କର୍କଟ ରୋଗରେ ପୀଡ଼ିତ ଥିଲେ ପ୍ରତିଭା, ପରିବାର ଲୋକ ବି ହାତ ଛାଡ଼ିଦେଲେ : ବନ୍ଧୁ ପୁଷ୍ପେନ୍ଦ୍ର ବିବାହ କରିବା ସହ ଦେଲେ ପତ୍ନୀର ମର୍ଯ୍ୟାଦା

66

କର୍କଟ ରୋଗ ଏପରି ଏକ ଭୟଙ୍କର ରୋଗ ଯାହା ମୃତ୍ୟୁ ମୁଖକୁ ଠେଲିଦେବା ସହ ରୋଗୀର ମନୋବଳ ମଧ୍ୟ ଭାଙ୍ଗିଦିଏ । କର୍କଟ ରୋଗ ଏବେ ଧୀରେ ଧୀରେ ମହାମାରୀର ରୂପ ନେଉଛି । ନିକଟରେ ଏକ ରିପୋର୍ଟରେ ୧୦୦ରୁ ଉର୍ଦ୍ଧ୍ୱ ପ୍ରକାରର କର୍କଟ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ତେବେ କର୍କଟ ରୋଗଗ୍ରସ୍ତ ମଣିଷ ହିଁ ବୁଝିପାରିବ ଏହି ରୋଗର କଷ୍ଟ ଓ ବେଦନା । ରୋଗ ସହ ଲଢ଼ିବା ସହ ରୋଗୀକୁ ସମାଜ ସହ ମଧ୍ୟ ଲଢ଼ିବା ପାଇଁ ପଡ଼େ । ଯେଉଁ ସମୟରେ ଲୋକଙ୍କ ସାହାଯ୍ୟ ଦରକାର ହୁଏ ସେହି ସମୟରେ ହିଁ ଲୋକେ ହାତ ଛାଡ଼ି ଦିଆନ୍ତି । ଆଉ ସମାଜରେ କର୍କଟ ରୋଗୀଙ୍କ ପ୍ରତି ବ୍ୟବହାର ତାଙ୍କୁ ଆଉ ବିଷାଦଗ୍ରସ୍ତ କରିପକାଏ । ଇନ୍ଦୋରର ମକ୍ସିରେ ରହୁଥିବା ପ୍ରତିଭା ସିଂଙ୍କ ସହ ମଧ୍ୟ ଏପରି ହୋଇଥିଲା ।

୨୦୦୬ରେ ପ୍ରତିଭାଙ୍କୁ ବକ୍ଷୋଜ କର୍କଟ ହୋଇଛି ବୋଲି ଜଣାପଡ଼ିଥିଲା । ଜାଣିବା ପରେ ତାଙ୍କର ଅସ୍ତ୍ରୋପଚାର କରି ଏକ ବକ୍ଷୋଜ ବାହାର କରିଦେଇଥିଲେ । ଗୋଟିଏ ପଟେ ପ୍ରତିଭା ମାନସିକ ଦୁଶ୍ଚିନ୍ତାରେ କାଳ କାଟୁଥିଲେ, ଆଉ ଗୋଟିଏ ପଟେ ଲୋକଙ୍କ ଟାହିଟାପରା ଅସହ୍ୟ ହେଉଥିଲା । ଏପରିକି ଶେଷର ପରିବାର ଲୋକ ମଧ୍ୟ ତାଙ୍କ ହାତ ଛାଡ଼ିଦେଲେ । ତେବେ ଏସବୁ ପରେ ପ୍ରତିଭା ସାହସ କରି ଘର ଛାଡ଼ିଥିଲେ ଆଉ ଇନ୍ଦୋର ଚାଲିଗଲେ ।

ପ୍ରତିଭା ଇନ୍ଦୋର ଯାଇ ସଙ୍ଗୀନି କେୟାର ସୋସାଇଟି ସଂଷ୍ପର୍ଶରେ ଆସିଥିଲେ ଯେଉଁମାନେ ତାଙ୍କୁ ସାହସ ଦେଇଥିଲେ । ସେ ସେଠାରେ ଏକ କମ୍ପାନୀରେ କାମ କରିବା ଆରମ୍ଭ କଲେ, ଆଉ ସେଠାରେ ଲୋକମାନେ ତାଙ୍କ ବିବାହ କଥା ମଧ୍ୟ ଉଠାଇଥିଲେ । ହେଲେ ପ୍ରତିଭା ସବୁ କଥା ଜାଣି ଶୁଣି ସୁଦ୍ଧା ଅଣଦେଖା କରିଦେଉଥିଲେ । କାରଣ ସେ ଭଲଭାବରେ ଜାଣିଥିଲେ ବିବାହ କଲେ ତାଙ୍କୁ ନେଇ ଅନେକ ପ୍ରଶ୍ନ ଉଠିବ । ତେଣୁ ସେ ଏସବୁରୁ ଦୂରେଇ ରହୁଥିଲେ । ହେଲେ ପ୍ରତିଭାଙ୍କ ଜଣେ ବନ୍ଧୁ ପୁଷ୍ପେନ୍ଦ୍ର ତାଙ୍କ ପାଇଁ ପୁଅ ଖୋଜିବା ଦାୟିତ୍ୱ ନେଲେ । ଯେମିତି ହେଲେ ପ୍ରତିଭାଙ୍କ ବିବାହ କରାଇବେ ବୋଲି ସେ ମନନ୍ଥ କରିଥିଲେ ।

ତେବେ ଫଟୋ ଦଖେି ଓ ପାଠପଢ଼ା କଥା ଶୁଣି ସମସ୍ତେ ରାଜି ତ ହୋଇଯାଉଥିଲେ । ହେଲେ ପୂର୍ବରୁ କର୍କଟ ରୋଗ ହୋଇଥିବା କଥା ଶୁଣି ସମସ୍ତେ ବିବାହ ପାଇଁ ମନା କରିଦେଉଥିଲେ । ପରେ ପୁଷ୍ପେନ୍ଦ୍ର ହିଁ ପ୍ରତିଭାଙ୍କ ହାତ ଧରିବା ପାଇଁ ଆଗଭର ହୋଇଥିଲେ । ତେବେ ଅନେକ ଲୋକ ପୁଷ୍ପେନ୍ଦ୍ରଙ୍କୁ ବୁଝାଇଥିଲେ । ପ୍ରତିଭାଙ୍କୁୁ ବିବାହକଲେ ଜୀବନ ଖରାପ ହୋଇଯିବ ବୋଲି ମଧ୍ୟ ଅନେକ କହିଥିଲେ । ହେଲେ ପୁଷ୍ପେନ୍ଦ୍ର କହିଲେ ମୁଁ ନିର୍ଣ୍ଣୟ ନେଇସାରିଛି । ଆଗକୁ ଯାହା ହେବ ଦେଖାଯିବ ।

ସମସ୍ତେ ଭାବୁଥିଲେ ବିବାହ ପରେ ଛାଡ଼ପତ୍ର ହୋଇଯିବ । କିନ୍ତୁ ସେପରି କିଛି ହୋଇନଥିଲା । ଆମେ କର୍କଟ ହୋଇଥିବା କଥା ଭୁଲିଗଲୁ । ହେଲେ ପିଲାପିଲି ନହେବାରୁ ପରୀକ୍ଷା ପରେ ଜଣାପଡ଼ିଲା ପୁଣି କର୍କଟ ରୋଗ ହୋଇଛି । ପ୍ରତିଭା କହନ୍ତି ଏବେ ବି ତାଙ୍କର ଚିକିତ୍ସା ଚାଲିଛି । ପୁଷ୍ପେନ୍ଦ୍ରଙ୍କ ଆଖିରେ ହିଁ ସେ ତାଙ୍କ ଦୁନିଆ ଦେଖନ୍ତି । ତାଙ୍କୁ କର୍କଟ ରୋଗ ହୋଇଛି ବୋଲି କେବେ ବି ଅନୁଭବ କରିପାରନ୍ତି ନାହିଁ ପ୍ରତିଭା । ତାଙ୍କ ସ୍ୱାମୀଙ୍କ ଅନାବିଳ ପ୍ରେମ ଆଗରେ କର୍କଟ କେବଳ ଏକ ସାମାନ୍ୟ ରୋଗ ପରି ଲାଗେ । ପୁପ୍ପେନ୍ଦ୍ର କହନ୍ତି ଯେତିକି ଗୁଣ ପ୍ରତିଭାଙ୍କ ପାଖରେ ଅଛି, ଆଉ କାହ କେହି ସେପରି ରହିବନାହିଁ । ମୋ ମା’ ମଧ୍ୟ ପ୍ରତିଭାଙ୍କୁ ଅନ୍ୟ ବୋହୁଙ୍କ ଅପେକ୍ଷା ବେଶୀ ଭଲପାଆନ୍ତି ।