ଦେଶର ସବୁଠାରୁ ସାନ ବାଇକ୍ ରେସର୍ ବିରାଜ୍ ! ବୟସ ମାତ୍ର ୬ ବର୍ଷ, ନିର୍ଭୀକ ଭାବେ ଚଳାଉଛନ୍ତି ବାଇକ୍

57

ଦ୍ରୁତ ଗତିରେ ଗାଡ଼ି ଚଳାଇବା ଆଜିକା ଯୁବପୀଢ଼ିଙ୍କ ସଉକ । ବାଇକ୍ ରେସିଂ କରିବାକୁ ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି ମଧ୍ୟ । ଆପଣମାନେ ଟିଭିରେ ହେଉ କି ବାସ୍ତବରେ ହେଉ ବାଇକ୍ ରେସିଂ ଦେଖିଥିବେ ନିଶ୍ଚିତ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆମ ଦେଶ ଭାରତରେ ଏପରି ଜଣେ ବାଇକ୍ ରେସର୍ ଅଛନ୍ତି, ଯାହାଙ୍କ ବୟସ ମାତ୍ର ୬ ବର୍ଷ । ଅବିଶ୍ୱସନୀୟ ହେଲେ ମଧ୍ୟ କଥାଟି ନିରାଟ ସତ କଥା ।

ଦେଶରେ ସର୍ବକନିଷ୍ଠ ବାଇକ୍ ରେସର୍ ବିରାଜ୍ । ବୟସ ୬ ବର୍ଷ । ବୟସ ଅନୁପାତରେ ଖୁବ ସାହସର ସହିତ ନିର୍ଭୀକଭାବେ ବାଇକ୍ ଚଳାନ୍ତି ବିରାଜ୍ । ଇନ୍ଦୋରର ବିରାଜ ରାଠୋର ଜଣେ ଅଦ୍ଭୁତ ଶିଶୁ କହିଲେ ଅତ୍ୟୁକ୍ତ ହେବ ନାହିଁ । ଅଷ୍ଟ୍ରେଲିଆରେ ହେବାକୁ ଥିବା ୱାଲ୍ଡ ଚାମ୍ପିୟନସିପରେ ଭାରତକୁ ପ୍ରତିନିଧିତ୍ୱ୍ୱ କରିବେ ବିରାଜ୍ । ୨୦୧୯ରେ ହେବାକୁ ଥିବା ଏହି ରେସରେ ବିରାଜ ଦେଶର ସବୁଠାରୁ କମ୍ ବୟସ୍କ ରେସର ଭାବେ ଭାଗ ନେବେ । ବିରାଜଙ୍କ ବାପା ମଧ୍ୟ ଜଣେ ବାଇକ୍ ରାଇଡ଼ର୍ । ସେ ମଧ୍ୟ ଅନ୍ତର୍ଜୀତୀୟ ସ୍ତରରେ ବାଇକ୍ ରେସିଂରେ ଭାଗ ନେଇଛନ୍ତି ।

ଅଷ୍ଟ୍ରେଲିଆରେ ଜୁନିୟର ମୋଟୋକ୍ରସ୍ ୱାଲ୍ଡ ଚାମ୍ପିୟନସିପ୍ ପାଇଁ ବିରାଜ ଚୟନ କରାଯାଇଛି । ରେସରେ ଆୟୋଜକ ଅଷ୍ଟ୍ରେଲିଆ ବ୍ୟତୀତ ଆମେରିକା , କାନାଡ଼ା, ଚୀନ, ଇଣ୍ଡୋନେସିଆ, ଜର୍ମାନୀ, ଋଷ, ଥାଇଲାଣ୍ଡ, ସ୍ପେନ୍, ଇଟାଲୀ ଆଦି ଦେଶର ବାଇକରଙ୍କୁ ଟକ୍କର ଦେବେ ବିରାଜ୍ ।

ତେବେ ଏଥିପାଇଁ ଖୁବ ପରିଶ୍ରମ କରିବାପାଇଁ ପଡ଼େ ବିରାଜଙ୍କୁ । ସକାଳ ୬ଟାରୁ ଉଠି ସେ ଜିମନାଷ୍ଟିକ କରନ୍ତି । ଆଉ ତା’ପରେ ରନିଂ କରନ୍ତି । ସାଢ଼େ ସାତରେ ସ୍କୁଲ ଯାଆନ୍ତି । ଆଉ ସାଢ଼ ଚାରିଟାରେ ଫେରନ୍ତି । ବିରାଜ ପୂର୍ବରୁ ପୁନେରେ ଯୁବରାଜ କେନ୍ଦ୍ରୀୟ ୮୫ ସିସି ( ୧୬ ବର୍ଷ ତଳେ) ବର୍ଗରେ ଅଂଶଗ୍ରହଣ କରିସାରିଛନ୍ତି । ପିଲାଙ୍କ ପାଇଁ ରେସରେ ବ୍ୟବହୃତ ହୁଏ ସ୍ୱତନ୍ତ୍ର ବାଇକ୍ । ବିରାଜଙ୍କ ପାଖରେ ୫୦ ସିସି, ୫୫ସିସି ଓ ୬୫ ସିସି ବାଇକ୍ ଅଛି । ଆଉ ଏହାକୁ ଚଳାଇବା ପାଇଁ ଫେଡ଼ରେସନ୍ ଅଫ୍ ମୋଟର ସ୍ପୋଷଟସ କ୍ଲବ୍ ଇଣ୍ଡିଆର ଲାଇସେନ୍ସ ମଧ୍ୟ ଅଛି ତାଙ୍କ ପାଖରେ ।