ଇଣ୍ଡୋନେସିଆରେ ପୁଣି ଥରେ ୭ ତୀବ୍ରତାର ଭୂକମ୍ପ ହୋଇ ୮୨ ମୃତ : ଭୂକମ୍ପପରେ ସୁନାମୀ ଆଲର୍ଟ ଜାରି କଲେ ସରକାର, ସମୁଦ୍ର କୂଳକୁ ନ ଯିବା ପାଇଁ ଜନତାଙ୍କୁ ପରାମର୍ଶ

39

କନକ ବ୍ୟୁରୋ : ଇଣ୍ଡୋନେସିଆରେ ପୁଣି ଥରେ ୭ ତୀବ୍ରତାର ଭୂକମ୍ପ ହୋଇ ୮୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏହି ଭୂକମ୍ପରେ ଅନେକ କେଠାବାଡି ଭୁଶୁଡି ପଡିଥିବା ଜଣାପଡିଛି । ଭୂକମ୍ପର କେନ୍ଦ୍ରସ୍ଥଳ ଲୋମ୍ବୋକ ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ତେବେ ଆମେରିକା ଜିଓଲୋଜିର ସର୍ଭେ ଅନୁସାରେ ଏହା ଭୂମିର ୧୦ କିଲୋମିଟର ଆଭ୍ୟନ୍ତରକୁ ଯାଇଛି । ସେଠାରେ ଭୂକମ୍ପ ହେବାପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁନାମି ସତର୍କତା ଜାରି କରାଯାଇଛି । ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କ ଯଥାଶୀଘ୍ର ଉଚ୍ଚସ୍ଥାନକୁ ପଳାଇବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସମୟରେ ସେପରି କୈାଣସି ବିପଦ ନଥିଲେ ବି ଲୋକମାନେ ଉଚ୍ଚସ୍ଥାନକୁ ପଳାଇବା ଲାଗି ଏଜେନ୍ସି ଫର ମେଟ୍ରୋଲୋଜି କହିଛି ।

 

ତେବେ ପୂର୍ବରୁ ଜୁଲାଇ ମାସରେ ହୋଇଥିବା ଏକ ଭୂକମ୍ପରେ ୧୭ ଜଣ ପ୍ରାଣ ହରାଇବା ସହ ଅନେକ ଲୋକ ଗୁରୁତର ଆହତ ହୋଇଥିଲେ । ସେତେବେଳ ସମୟରେ ଅନେକ କୋଠାବାଡି ଭୁଶୁଡି ପଡିଥିଲା । ତେବେ ପୁଣିଥରେ ଭୂକମ୍ପ ହେବାରୁ ସ୍ଥାନୀୟ ଲୋକମାନଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । ଇଣ୍ଡୋନେସିଆରେ ବାରମ୍ବାର ଭୂକମ୍ପ ହେଉଥିବା କାରଣରୁ ସେଠାରେ ଅନେକ କ୍ଷତି ହୋଇଥାଏ । ତେବେ ବର୍ତ୍ତମାନ ସମୟରେ କେତେ ଜଣ ଲୋକ ପ୍ରାଣ ହରାଇଛନ୍ତି ତାହାର ସୂଚନା ମିଳିପାରିନାହିଁ । ସ୍ଥାନୀୟ ପ୍ରଶାସନ ସମସ୍ତ ଆହତଙ୍କୁ ମେଡିକାଲରେ ମାଗଣାରେ ଚିକିତ୍ସା କରାଯିବ ବୋଲି ଘୋଷଣା କରିଛନ୍ତି । ଖାସ କରି ସମୁଦ୍ର ତଟ୍ଟବର୍ତ୍ତୀ ଅଞ୍ଚଳରେ ସରକାର ବିଶେଷ ଭାବରେ ଧ୍ୟାନ ରଖିବା ସହ ସୁନାମିର ପ୍ରଭାବ ଉପରେ ନଜର ରଖିବା ସହ ଯେପରି କୈାଣସି ଲୋକଙ୍କର କ୍ଷତି ନହୁଏ ତାହା ଉପରେ ନଜର ରଖିବା ପାଇଁ ଏକ ଟିମ ଗଠନ ହୋଇଛି । ସେଠାରେ ଥିବା ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷାରେ ରଖାଯାଇଛି । କୈାଣସି ଲୋକକୁ ସମୁଦ୍ର ନିକଟକୁ ଛଡାଯିବ ନାହିଁ ବୋଲି ପ୍ରଶାସନ କହିଛି ।