ଚୋର ଠାରୁ ଅପରାଧ ସ୍ୱୀକାର କରାଇବା ଚକ୍କରରେ ହରଡଘଣାରେ ପଡିଲେ ପୁଲିସକର୍ମୀ : ଅପରାଧୀର ବେକରେ ସାପ ଗୁଡାଇ କରୁଥିଲେ ପଚରାଉଚୁରା

333

ବେଳେ ବେଳେ ଅପରାଧୀକୁ ଦୋଷ ସ୍ୱୀକାର କରାଇବାକୁ ଯାଇ ପୁଲିସ ହରଡ଼ଘଣାରେ ପଡ଼ିଥାଏ । କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ପୁଲିସକର୍ମୀମାନେ ଦୋଷୀକୁ ଦଣ୍ଡ ଦେବାକୁ ଯାଇ ନିଜେ ଫସି ଯାଇଥାନ୍ତି । ଗତକାଲି ମୁମ୍ବାଇ ଟ୍ରାଫିକ୍ ପୁଲିସ ଜଣେ ଗାଡ଼ି ଚାଳକକୁ ଅଟକାଇବାକୁ ଯାଇ ନିଜେ ଦୁର୍ଘଟଣାର ଶିକାର ହୋଇଥିବା ଦେଖାଯାଇଥିଲା । ସେଭଳି ଇଣ୍ଡୋନେସିଆର ଜଣେ ପୁଲିସକର୍ମୀ କିଛି ଏମିତି କାମ କରି ଦେଇଛନ୍ତି ଯେଉଁଥି ପାଇଁ ତାଙ୍କୁ ନିଜର ଚାକିରି ହରାଇବାକୁ ପଡ଼ିଛି ।

ସୂଚନା ମୁତାବକ, ଜଣେ ଅଭିଯୁକ୍ତକୁ ଦୋଷ ସ୍ୱୀକାର କରାଇବାକୁ ଯାଇ ଇଣ୍ଡୋନେସିଆରେ ଥିବା ପପୁଆରେ ପୁଲିସକର୍ମୀ ଅଭିଯୁକ୍ତ ବେକରେ ସାପ ଗୁଡ଼ାଇ ଦେଇଥିଲେ । କେହି ଜଣେ ଏହି ସମୟର ଦୃଶ୍ୟ ନିଜ ଫୋନରେ ରେକର୍ଡ କରିବା ସହ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ଏହାପରେ ଭିଡିଓଟି ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ହେବା ପରେ ସମସ୍ତେ ପୁଲିସର ଅସଲ ଚେହେରା ଦେଖିପାରିଥିଲେ । ଭିଡିଓରେ ଅଭିଯୁକ୍ତ ଫୋନ ଚୋରି କରିଥିବାରୁ ତାକୁ ପଚରାଉଚରା କରାଯାଉଥିବା ଦେଖାଯାଇଛି । ଜଣେ ପୁଲିସକର୍ମୀ ଅଭିଯୁକ୍ତର ବେକରେ ସାପ ଗୁଡ଼ାଇ କେତେ ଥର ଚୋରି କରିଛ ବୋଲି ପଚାରୁଛନ୍ତି । ଯାହା ପରେ ସାପ ଡ଼ରରେ ମୁଁ ଦୁଇ ଥର ଚୋରି କରିଛି ବୋଲି କହୁଛନ୍ତି ଅଭିଯୁକ୍ତ । ଭିଡିଓଟି ଭାଇରାଲ ହେବା ପରେ ଭୁଲ ମାନିବା ସହ ଭିଡିଓରେ ନଜର ଆସୁଥିବା ପୁଲିସକର୍ମୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜଣେ ବରିଷ୍ଠ ପୁଲିସ ଅଧିକାରୀ ।