ପୁଣି ଥରିଲା ଇଣ୍ଡୋନେସିଆ ! ଭୂମିକମ୍ପର ଝଟକାରେ ଥରିଲା ଇଣ୍ଡୋନେସିଆର ଦକ୍ଷିଣ ଉପକୂଳ । ୧୨୩୪ ରେ ପହଂଚିଲା ସୁନାମି ମୃତ୍ୟୁସଂଖ୍ୟା

38

କନକ ବ୍ୟୁରୋ: ଇଣ୍ଡୋନେସିଆରେ ଗତକାଲି ପୁଣି ୫.୯ ତୀବ୍ରତାର ଭୂକମ୍ପ ହୋଇଛି। ଗତ ସପ୍ତାହରେ ହୋଇଥିବା ଭୂକମ୍ପଜନିତ ସୁନାମି ହେତୁ ମୃତ୍ୟୁ ସଂଖ୍ୟା ୧୨୩୪ରେ ପହଞ୍ଚିଛି। ତେବେ ଗତକାଲି ହୋଇଥିବା ଭୂକମ୍ପ ଇଣ୍ଡୋନେସିଆର ଦକ୍ଷିଣ ଉପୂକଳ ସମ୍ବା ଦ୍ବୀପରେ ହୋଇଛି। ପୂର୍ବ ଭୂକମ୍ପ ସ୍ଥଳଠାରୁ ୧୬୦୦ କିମି ଦୂରରେ ଏହା ଅନୁଭୂତ ହୋଇଛି। ଗତକାଲି ଏକ ବାଇବେଲ୍ ଶିବିରରୁ ୩୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ଇଣ୍ଡୋନେସିଆରେ ପ୍ରକୃତିର ଭୟଙ୍କର କରାଳ ରୂପ ସବୁ ଉଜାଡ଼ି ଦେଇଛି। ଭୂକମ୍ପ ପରେ ଆସିଥିବା ଭୟଙ୍କର ସୁନାମି ଯୋଗୁ ମୃତ୍ୟୁ ସଂଖ୍ୟା ୧୨୩୪ରେ ପହଞ୍ଚିଛି। ଘରଦ୍ବାର, ଧନଜୀବନ ସବୁ ଛାରଖାର ହୋଇଯାଇଛି। ହଜାର ହଜାର ଲୋକ ଏବେ ବି ନିଖୋଜ ଥିବା ବେଳେ ଅନେକ ଜାଗା ଏ ପର୍ଯ୍ୟନ୍ତ ଯାଞ୍ଚ କରାଯାଇ ପାରିନାହିଁ। ଫଳରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ସୁନାମି ମାଡ଼ରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ ଆକଳନ କରାଯାଇଛି। ସୁନାମି ଯୋଗୁ ଇଣ୍ଡୋନେସିଆର ସୁଲାୱେସି ଦ୍ବୀପ ଅଧୀନ ପାଲୁ ସହର ଏବଂ ଏହାର ଆଖପାଖ ଅଞ୍ଚଳ ଅତିମାତ୍ରାରେ ପ୍ରଭାବିତ ହୋଇଛି।

୨୦୦୪ରେ ଆସିଥିଲା ସବୁଠୁ ଭୟଙ୍କର ସୁନାମି

ଇଣ୍ଡୋନେସିଆ ପାଇଁ ସୁନାମି ନୂଆ ନୁହେଁ। ଅନେକ ଭୟଙ୍କର ସୁନାମିର ସାମ୍ନା କରିଛି ଏହି ରାଷ୍ଟ୍ର। ୨୦୦୪ରେ ସବୁଠୁ ଭୟଙ୍କର ସୁନାମି ଏଠାରେ ସଂଘଟିତ ହୋଇଥିଲା। ସୁମାତ୍ରା ଦ୍ବୀପରେ ଏହା ହୋଇଥିଲା। ସମଗ୍ର ଭାରତ ମହାସାଗର ତଟବର୍ତ୍ତୀ ପାଖାପାଖି ୧୩ଟି ରାଷ୍ଟ୍ର ଏହାଦ୍ବାରା କ୍ଷତିଗ୍ରସ୍ତ ହୋଇଥିଲା। ୧୩ଟି ରାଷ୍ଟ୍ରରେ ମୋଟ ୨,୨୬,୦୦୦ ଲୋକ ପ୍ରାଣ ହରାଇଥିଲେ। ତେବେ ଇଣ୍ଡୋନେସିଆରେ ଏକାକୀ ୧,୨୦,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ୮.୮ ତୀବ୍ରତାର ଭୂକମ୍ପ ଆସିବା ଯୋଗୁ ଏହି ପ୍ରଳୟଙ୍କରୀ ସୁନାମି େହାଇଥିଲା।

ଖାଦ୍ୟାଭାବ ହସ୍ପିଟାଲ୍ ବାହାରେ ଚିକିତ୍ସା

ଇଣ୍ଡୋନେସିଆରେ ସୁନାମି ବିପର୍ଯ୍ୟୟ ଘଟାଇବା ପରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘରଦ୍ବାର ଭାଙ୍ଗିଯାଇଥିବାରୁ ଲୋକମାନେ ନିଜ ପାଇଁ ସଞ୍ଚିତ ରଖିଥିବା ଖାଦ୍ୟ ପଦାର୍ଥ ସବୁ ସୁନାମି ପାଟିରେ ଚାଲିଯାଇଛି। ଏବେ ଲୋକମାନେ ଭୋକରେ ଆଉଟୁପାଉଟୁ ହେଉଛନ୍ତି। ଫଳରେ ସ୍ଥାନୀୟ ଦୋକାନବଜାରରେ ପଶି ଖାଦ୍ୟ ପଦାର୍ଥ ଲୁଟପାଟ କରୁଥିବା ଜଣାପଡ଼ିଛି। ପାଲୁର ଜଣେ ବାସିନ୍ଦାଙ୍କ କହିବାନୁସାରେ ଏବେ ସହର ସାରା ଲୋକମାନେ ଲୁଟରେ ମାତିଛନ୍ତି। ଯାହା କିଛି ଖାଦ୍ୟ ଥିଲା ତାହା ସୁନାମି ଢେଉରେ ନଷ୍ଟ ହୋଇଯାଇଛି। ଦୋକାନ ବଜାର ମଧ୍ୟ ଛାରଖାର ହୋଇଯାଇଛି। ତେବେ ପାଲୁର ମିନିମାର୍କେଟ୍ ଭାଙ୍ଗିନଥିବା ବେଳେ ଲୋକମାନେ ଏଠାରେ ପ୍ରବେଶ କରି ଲୁଟପାଟ ଆରମ୍ଭ କରିଦେଇଛନ୍ତି। ଖାଲି ସେତିକି ନୁହେଁ, ଏଠାରେ ଏବେ ପାନୀୟ ଜଳ ମିଳିବା ମୁସ୍କିଲ ହୋଇପଡ଼ିଛି। ବିଜୁଳି ସରବରାହ ବିଚ୍ଛିନ୍ନ ହୋଇଯାଇଥିବାରୁ ପାନୀୟ ଜଳ ମିଳିପାରୁ ନାହିଁ।

ତେଣୁ ସରକାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରି ପାନୀୟ ଜଳ ଓ ଖାଦ୍ୟ ଯୋଗାଇବା ଆବଶ୍ୟକ ବୋଲି େସ କହିଛନ୍ତି। ସୁନାମିର ୨୦ ଫୁଟ୍ ଉଚ୍ଚତାର ଢେଉ ମାଡ଼ରେ ଅଧିକାଂଶ ହସ୍ପିଟାଲ୍ ମଧ୍ୟ ଭୁଶୁଡ଼ି ପଡ଼ିଛି। ଫଳରେ ଲୋକମାନଙ୍କୁ ଡାକ୍ତରଖାନା ପକ୍ଷରୁ ଖୋଲା ଆକାଶ ତଳେ ଚିକିତ୍ସା କରାଯାଉଛି। ପ୍ରତି ମିନିଟରେ ଆମ୍ବୁଲାନ୍ସରେ ଏଠାକୁ ଆହତ ବ୍ୟକ୍ତିଙ୍କୁ ଅଣାଯାଉଛି। ସଂକଟାପନ୍ନ ଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ ସେବା ନ ମିଳିବାରୁ ସେମାନେ ପ୍ରାଣ ହରାଉଛନ୍ତି। ସେପଟେ ଇଣ୍ଡୋନେସିଆକୁ ସହାୟତାର ହାତ ବଢ଼ାଇବା ପାଇଁ କିଛି ରାଷ୍ଟ୍ର ଆଗେଇ ଆସିଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ୍ ଏ ବାବଦରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ସହ ଘଟଣା ସଂପର୍କରେ କଥା ହୋଇଛନ୍ତି।