ଡୋକଲାମ ଯୁଦ୍ଧ ପରିସ୍ଥିତି ପରେ ମୋଦି-ଜିନପିଙ୍ଗ ବୈଠକ ଆଣିଲା ନୂଆ ମୋଡ ! ଭବିଷ୍ୟତରେ ସୀମା ବିବାଦ ଆଡେଇବାକୁ ଅଧିକ ପଦକ୍ଷେପ ପାଇଁ ସହମତି

37

କନକ ବ୍ୟୁରୋ : ଦୀର୍ଘ ୭୩ ଦିନ ଧରି ଭାରତ ଓ ଚୀନ ସେନା ମୁହାଁମୁହିଁ ହେବା ଓ ଦୁଇ ଦେଶର ସଂପର୍କ ସବୁଠାରୁ ଖରାପ ଆଡକୁ ଗତି କରୁଥିବା ବେଳେ ଏହି ବୈଠକ ଦୁଇ ଦେଶର ସଂପର୍କକୁ ଆଉ ଏକ ମୋଡ ଦେଇଛି । ଏକ ଘଂଟାରୁ ଅଧିକ ସମୟ ଧରି ଆଲୋଚନା ଟେବୁଲରେ ବସିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନର ରାଷ୍ଟ୍ରପତି ଜିନପିଙ୍ଗ । ବ୍ରିକ୍ସ ରାଷ୍ଟ୍ର ଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଉଭୟ ଆଲୋଚନା କରିବା ସହ ଚୀନ ଓ ଭାରତ ମଧ୍ୟରେ ସଂପର୍କ ବୃଦ୍ଧି ଦିଗରେ କାମ କରିବାକୁ ଉଭୟ ସହମତି ପ୍ରକାଶ କରିଛନ୍ତି । ସୀମାରେ ଶାନ୍ତି ବଜାୟ ରଖିବା ଓ ଆଲୋଚନା ଜରିଆରେ ବିବାଦର ସମାଧାନ ଲାଗି ଦୁଇ ନେତା ରାଜି ହୋଇଛନ୍ତି । ଜିନପିଙ୍ଗଙ୍କ ସହ ଆଲୋଚନା ସକରାତ୍ମକ ଥିବା କହିଛନ୍ତି ମୋଦି ।

୬୩ ବର୍ଷର ପଂଚଶୀଳ ନୀତି କଥା ପୁଣି ମନେ ପଡିଛି ଚୀନର । ସୀମା ବିବାଦର ସଂପୂର୍ଣ୍ଣ ସମାଧାନ ପାଇଁ ପଂଚଶୀଳ ନୀତି ଆଧାରରେ କାମ କରିବାକୁ ରାଷ୍ଟ୍ରପତି ଜିନପିଙ୍ଗ ପ୍ରସ୍ତାବ ଦେଇଛନ୍ତି । ୧୯୫୪ରେ ଏହି ଚୁକ୍ତି ଭାରତ-ଚୀନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ପଂଚଶୀଳ ନୀତିରେ ପରସ୍ପରର ଅଖଣ୍ଡତାକୁ ସମ୍ମାନ ଦେବା, ପରସ୍ପର ଉପରେ ଆକ୍ରମଣ ନ କରିବା କଥା କୁହାଯାଇଥିଲା । ସହଯୋଗ ବୃଦ୍ଧି ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନର କଥା ବି ଥିଲା ଏଥିରେ । ହେଲେ ୧୯୬୫ରେ ଭାରତ ଉପରେ ଆକ୍ରମଣ କରିବା ପରେ ପଂଚଶୀଳ ଚୁକ୍ତି ଅକାମୀ ହୋଇପଡିଥିଲା । ଏବେ ପୁଣି ଥରେ ଏହି ଚୁକ୍ତି ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସଂପର୍କ ବୃଦ୍ଧି କରିବାକୁ ଚାହୁଁଛି ଚୀନ ।

ପ୍ରଥମେ ଡୋକଲାମ ପ୍ରସଙ୍ଗରେ କୁଟନୈତିକ ବିଜୟ ଏବଂ ବ୍ରିକ୍ସ ସମ୍ମିଳନୀରେ ପାକିସ୍ତାନରେ କାର୍ଯ୍ୟ କରୁଥିବା ଲସ୍କର-ଇ-ତୋଇବା ଏବଂ ଜୈସ-ଇ-ମହମ୍ମଦଙ୍କୁ ଆତଙ୍କବାଦ ସଂଗଠନ ଘୋଷଣା ଥିଲା କୁଟନୈତିକ ସ୍ତରରେ ଭାରତର ଦ୍ୱିତୀୟ ବିଜୟ । ଏବେ ଚୀନ ସହ ସଂପର୍କ ବୃଦ୍ଧି ନେଇ ମୋଦି-ଜିନପିଙ୍ଗଙ୍କ ସଫଳ ବୈଠକ ପରେ ଦୁଇ ଦେଶର ସଂପର୍କରେ ନୂଆ ରଂଗ ଭରିବା ଆଶା କରାଯାଉଛି ।