ପାକିସ୍ତାନକୁ ଶିକ୍ଷା ଦେବା ପାଇଁ ଭାରତର ଜୋରଦାର ପ୍ରୟାସ : ସୀମା ଶୁଳ୍କ ବୃଦ୍ଧି ପରେ ପାଣି ଅଟକାଇଲା ଭାରତ  

487

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ । ଏବେ ପାକିସ୍ତାନକୁ ମିଳୁଥିବା ପାଣି ବନ୍ଦ କରିବା ପାଇଁ ଭାରତ ସରକାର ନିଷ୍ପତି ନେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି । ସେ କହିଚନ୍ତି ଯେ ଏହାଦ୍ୱାରା କୌଣସି ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ ହେବନାହିଁ । ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ସିନ୍ଧୁ ଚୁକ୍ତି ଅନୁସାରେ ହିଁ ଏହି ନିଷ୍ପତି ନିଆଯାଇଥିବା କୁହାଯାଇଛି ।

ସୂଚନାଯୋଗ୍ୟ ଯେ ଭାରତ ଦେଇ ପାକିସ୍ତାନକୁ ୬ଟି ନଦୀ ପ୍ରବାହିତ ହୋଇଛି। କିଏ କେଉଁ ନଦୀର ପାଣି ବ୍ୟବହାର କରିବ ତାହାକୁ ନେଇ ବିବାଦ ସୃଷ୍ଟି ହେବାରୁ ୧୯୬୦ରେ ଦୁଇ ଦେଶ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ଚୁକ୍ତି ଅନୁଯାୟୀ ସିନ୍ଧୁ, ଝେଲମ ଏବଂ ଚେନାବ ନଦୀ ଉପରେ ପାକିସ୍ତାନର ଅଧିକାର ଥିବା ବେଳେ ରବି, ବ୍ୟାସ ଓ ସତଲେଜ ନଦୀ ଉପରେ ଭାରତର ସଂପୂର୍ଣ୍ଣ ନିୟନ୍ତ୍ରଣ ରହିଛି ।

ତେବେ ଏହି ତିନିଟି ନଦୀର ୯୫ ଭାଗ ପାଣି ଭାରତ ବ୍ୟବହାର କରୁଥିବା ବେଳେ ଅବଶିଷ୍ଟ ୫ ଭାଗ ପାକିସ୍ତାନକୁ ଚାଲିଯାଉଛି । ଗତ ୬୦ ବର୍ଷ ଧରି ପାକିସ୍ତାନ ପାଉଥିବା ଏହି ୫ ଭାଗ ପାଣିକୁ ବନ୍ଦ କରିବା ଲାଗି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପାଣିର ପ୍ରବାହକୁ ବନ୍ଦ କରିବାକୁ ହେଲେ ଉକ୍ତି ତିନିଟି ନଦୀରେ ବନ୍ଧର ଉଚ୍ଚତା ବଢ଼ାଇବା ସହିତ ନୂଆ ବନ୍ଧ ନିର୍ମାଣ କରିବାକୁ ପଡ଼ିବ । ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଏଭଳି ପ୍ରକଳ୍ପ ସଂପୂର୍ଣ୍ଣ ହେବାକୁ ଅତିକମରେ ୬ ବର୍ଷ ଲାଗିଯିବ ବୋଲି କୁହାଯାଉଛି ।

ଯୋଜନା ଅନୁଯାୟୀ ଏହି ବଳକା ପାଣିକୁ ଜମ୍ମୁ-କଶ୍ମୀର ଏବଂ ପଡ଼ୋଶୀ ରାଜ୍ୟରେ ବ୍ୟବହାର କରାଯିବ। ଅବଶିଷ୍ଟ ପାଣି ଯମୁନା ନଦୀକୁ ନେବାଲାଗି ବ୍ୟବସ୍ଥା କରାଯିବ । ଗଡ଼କରି କହିଛନ୍ତି ଯେ ୧୯୬୦ ସିନ୍ଧୁ ଜଳ ଚୁକ୍ତି ଅନୁଯାୟୀ ଭାରତ ତା’ର ଅଧିକାରକୁ ସାବ୍ୟସ୍ତ କରିବ ଏବଂ ପାକିସ୍ତାନକୁ ବୁନ୍ଦାଏ ବି ଅଧିକ ପାଣି ଦିଆଯିବ ନାହିଁ। ତେବେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଭାରତକୁ ୬ ବର୍ଷ ଲାଗିଯିବ ।

ବର୍ତ୍ତମାନ ରହିଥିବା ନଦୀ ବନ୍ଧର ଉଚ୍ଚତା ୧୦୦ ମିଟରକୁ ବଢ଼ିଲେ ହିଁ ଏହା ସମ୍ଭବ ହୋଇପାରିବ । ଏ ବାବଦ ପ୍ରକଳ୍ପକୁ କ୍ୟାବିନେଟ୍ ମଂଜୁରି ମିଳିସାରିଛି ଏବଂ ୬ ବର୍ଷ ମଧ୍ୟରେ ଏହାକୁ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରହିଛି ବୋଲି ଜଳ ସଂପଦ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଶାହିପୁରକାଣ୍ଡିରେ ୨୯୭୩ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପ ପାଇଁ ପଂଜାବ ଏବଂ ଜମ୍ମୁ କଶ୍ମୀର ସରକାର ମଧ୍ୟରେ ଚୁକ୍ତି ସଂପନ୍ନ ହୋଇଛି ଏବଂ ପ୍ରଥମ ପର୍ଯ୍ୟାୟରେ ୪୮୫ କୋଟି ଟଙ୍କା ମଂଜୁର ହେବାପରେ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ସେହିଭଳି ରଂଜିତ୍ ସାଗର ନଦୀ ବନ୍ଧ ଯୋଜନାରେ ପଂଜାବର ୩୭,୧୭୩ ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ ରହିଛି ।