ନିରବ ମୋଦିଙ୍କ ପରି ଭାରତର ଜଣେ ପ୍ରଧାନମନ୍ତ୍ରୀ ପିଏନବିରୁ ନେଇଥିଲେ ଋଣ : ଜାଣନ୍ତୁ କିଏ ସେହି ପ୍ରଧାନମନ୍ତ୍ରୀ ଓ କେଉଁ ପରିସ୍ଥିତିରେ ନେଇଥିଲେ ୠଣ ?

79

କନକ ବ୍ୟୁରୋ : ନିରବ ମୋଦି ୧୧ ହଜାର ୪ଶହ କୋଟି ନେଇ ଫେରାର ହୋଇଯିବା ପରେ ପିଏନବି ମାନେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ ବାବଦରେ ସାରା ଦେଶରେ ଚର୍ଚ୍ଚା ହେଉଛି । ପିଏନବି ମହାଦୁର୍ନୀତିର ଏହି ଚର୍ଚ୍ଚା ଭିତରେ ଜାତୀୟ ଗଣମାଧ୍ୟମରେ ଆଉଏକ ପ୍ରସଙ୍ଗକୁ ନେଇ ବି ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ଯେ କିଭଳି ପିଏନବିରୁ ମାତ୍ର ୫ହଜାର ଟଙ୍କା ଋଣ ନେଇ ଶୁଝି ଦେଇଥିଲେ ଲାଲ ବାହାଦୁର ଶାସ୍ତ୍ରୀ । ନିରବ ମୋଦି ଟଙ୍କା ଫେରାଇବ ନାହିଁ ବୋଲି ଚିଠି ଲେଖି ସ୍ପଷ୍ଟ କରିସାରିଛି । ଆଉ ୧୯୬୫ରେ ତତକାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ନେଇଥିବା ୫ ହଜାର ଟଙ୍କାର ଲୋନ ତାଙ୍କ ମୃତ୍ୟୁ ପରେ ବି ସୁଝିଥିଲେ ପରିବାର । ଅତି ସାଦାସିଧା ଜୀବନ ବିତାଇବାକୁ ପସନ୍ଦ କରୁଥିବା ଲାଲ ବାହାଦୁର ଶାସ୍ତ୍ରୀ ନିଜ ପରିବାର ଲୋକଙ୍କୁ ନେବାଆଣିବା ପାଇଁ ସରକାରୀ ଗାଡିର ବ୍ୟବହାର କରୁନଥିଲେ ।

ତେଣୁ ସେତେବେଳେ ନିଜସ୍ୱ ଏକ ଫିଆଟ କାର କିଣିବାକୁ ପିଏନବିରୁ ୫ ହଜାର ଟଙ୍କା ଲୋନ କରିଥିଲେ । ସେତେବେଳେ କାରଟିର ଦାମ ଥିଲା ୧୨ ହଜାର ଟଙ୍କା । ହେଲେ ତାଙ୍କ ବ୍ୟାଙ୍କ ଆକାଉଂଟରେ ଥିବା ୭ ହଜାର ଟଙ୍କ। । ତେଣୁ ବାକି ୫ ହଜାର ଟଙ୍କା ସେ ଲୋନ ଆକାରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଆଣିଥିଲେ । ହେଲେ ଋଣ ଶୁଝିବା ପୂର୍ବରୁ ତାସକେଂଟ ଚୁକ୍ତି ସମୟରେ ଶାସ୍ତ୍ରୀଜୀଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା । ଆଉ ଲୋନ ଶୁଝିବା ପାଇଁ ବ୍ୟାଙ୍କ ତାଙ୍କ ପତ୍ନୀ ଲଳିଚା ଶାସ୍ତ୍ରୀଙ୍କୁ ନୋଟିସ ପଠାଇଲା । ପରେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପତ୍ନୀ ପେନସନ ଟଙ୍କାରୁ କିସ୍ତିରେ ଏହି ଋଣ ପରିଷୋଧ କରିଥିଲେ । ଏବେ ବି ଡିଇଏଲ-ସିକ୍ସ ନମ୍ବର, ୧୯୬୪ ମଡେଲର ଫିଆଟ କାର ଦିଲ୍ଲୀ ଲାଲ ବାହାଦୁର ଶାସ୍ତ୍ରୀ ମେମୋରିଆଲରେ ଥୁଆ ହୋଇଛି । ଆଉ ଯେତେବେଳେ ୧୧ ହଜାର କୋଟିର ଋଣ ନେଇ ନିରବ ମୋଦି ଫେରାଇବେ ନାହିଁ ବୋଲି କହୁଛନ୍ତି, ସେତିକିବେଳେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଏହି ୫ହଜାର ଟଙ୍କାର ଋଣ ଓ ମୃତ୍ୟୁ ପରେ ବି ପରିବାର ଗୋଟିଏ ଗୋଟିଏ ପଇସା ଶୁଝିବା ସାଧାରଣରେ ଚର୍ଚ୍ଚା ସୃଷ୍ଟି କରିଛି ।