କେନ୍ଦ୍ରରେ ଏନଡିଏ ସରକାରକୁ ପୁରିଲା ୩ବର୍ଷ ! ଉତର-ପୂର୍ବାଂଚଳକୁ ମୋଦିଙ୍କ ଉପହାର

30

କନକ ବ୍ୟୁରୋ: ଆସାମ ଓ ଅରୁଣାଚଳ ପ୍ରଦେଶକୁ ସଂଯୋଗ କରୁଥିବା ଢୋଲା-ସଦିଆ ବ୍ରିଜକୁ ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରହ୍ମପୁତ୍ରର ଶାଖା ନଦୀ ‘ଲୋହିତ’ ଉପରେ ତିଆରି ହୋଇଥିବା ଏହା ସବୁଠାରୁ ବଡ ପୋଲ । ଆସାମର ଢୋଲା ଓ ଅରୁଣାଚଳ ପ୍ରଦେଶର ସଦିଆକୁ ସଂଯୋଗ କରୁଥିବା ୯.୧୫ କିଲୋମିଟର ଦୀର୍ଘ ଏହି ପୋଲର ଅନେକ ଗୁରୁତ୍ୱ ରହିଛି । ଉତର-ପୂର୍ବଂଚଳ କ୍ଷେତ୍ରକୁ ମୋଦି ସରକାରଙ୍କ ବିକାଶ ଧାରାରେ ଯୋଡିବା ଲାଗି ଏହା ପ୍ରମୁଖ ପଦକ୍ଷେପ ବୋଲି କୁହାଯାଉଛି ।

କେନ୍ଦ୍ରରେ ମୋଦି ସରକାରଙ୍କ ୩ ବର୍ଷ ପୂର୍ତି ଅବସରରେ ଏହି ପୋଲକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ ଉତର- -ପୂର୍ବାଂଚଳ କ୍ଷେତ୍ରକୁ ଉପହାର ଦେବେ ବୋଲି ପ୍ରଚାର କରାଯାଉଛି । ସାମରିକ ଦୃଷ୍ଟିକୋଣରୁ ମଧ୍ୟ ଏହି ପୋଲର ଗୁରୁତ୍ୱ ରହିଛି । ଚୀନ ସୀମାକୁ ଲାଗିରହିଥିବା ଅରୁଣାଚଳ ପ୍ରଦେଶକୁ ଆସାମରୁ ସେନା ସହାୟତା ପଠାଇବାରେ ଏହି ପୋଲ ପ୍ରମୁଖ ଭୂମିକା ନେବ । ଉତର-ପୂର୍ବାଂଚଳ କ୍ଷେତ୍ରରେ ସାମରିକ ଶକ୍ତି ବୃଦ୍ଧି କରିବାରେ ପୋଲଟି ସହାୟକ ହେବ ।

ପୂର୍ବରୁ ଏହି କ୍ଷେତ୍ରରେ ଲୋକେ କେବଳ ଦିନବେଳା ଡଙ୍ଗା ସାହାଯ୍ୟରେ ନଦୀ ପାର ହୋଇ ଯିବାଆସିବା କରୁଥିଲେ । ଯାହା ବର୍ଷାଦିନେ ବା ବନ୍ୟା ସମୟରେ ସମ୍ଭବ ହେଉନଥିଲା । ଏହି ପୋଲ ଉପର ଆସାମ ଓ ପୂର୍ବ ଅରୁଣାଚଳ ମଧ୍ୟରେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ହେବ । ଆପ୍ରୋଚ ରୋଡକୁ ମିଶାଇ ମୋଟ ୨୮.୫୦ କିଲୋମିଟରର ରାସ୍ତା ନିର୍ମାଣ କରାଯାଇଛି । ଏଥିପାଇଁ ୨ ହଜାର ୫୬ କୋଟି ଟଙ୍କା ବ୍ୟୟ ହୋଇଛି । ଭୂମିକମ୍ପରୁ ସୁରକ୍ଷା ଦେବା ପାଇଁ ପୋଲଟିକୁ ୧୮୨ ଭାଗରେ ତିଆରି କରାଯାଇଛି ।