ଆସିଲା ସ୍ମାର୍ଟଫୋନ ଚାର୍ଜିଂ ଏଟିଏମ ! ଏଣିକି ରାସ୍ତାକଡରେ ସ୍ମାର୍ଟଫୋନ ହେବ ଚାର୍ଜ, ୧ ଘଣ୍ଟାରେ ୫୦%ରୁ ଅଧିକ ଚାର୍ଜ ହେବ ବ୍ୟାଟେରୀ

45

ଯଦି ରାସ୍ତାରେ ଯାଉଥିବା ବେଳେ ସ୍ୱାର୍ଟଫୋନର ବ୍ୟାଟେରୀରୁ ଚାର୍ଜ ସରିଯାଏ ଏବଂ ଆପଣଙ୍କ ପାଖରେ କୌଣସି ପାୱାରବ୍ୟାଙ୍କ କିମ୍ବା ଫୋନ ଚାର୍ଜର ନଥାଏ ତେବେ କଣ କରିବେ । ଅଧିକାଂଶ ଲୋକ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥିବେ ନିଶ୍ଚିତ । କିନ୍ତୁ ଏବେ ଆଉ ଏଭଳି ସମସ୍ୟାର ସମ୍ମଖୀନ ହେବେ ନାହିଁ ୟୁଜର୍ସ । କାରଣ ରାସ୍ତାରେ ଯାଉଥିବା ବେଳେ ଯଦି ସ୍ମାର୍ଟଫୋନରୁ ଚାର୍ଜ ସରିଯାଏ ତେବେ ମୋବାଇଲ ଫୋନ ଚାର୍ଜିଂଙ୍ଗ ଏଟିଏମରୁ ଚାର୍ଜ କରି ପାରିବେ । ଚାର୍ଜିଙ୍ଗ କିୟୋସ୍କ ଏକ ଏଟିଏମ ଭଳି । ଯେଉଁଥିରେ ସ୍ୱାର୍ଟଫୋନ ଚାର୍ଜ କରାଯାଇପାରିବ ।

ଭାରତର ପ୍ରଥମ ଚାର୍ଜିଂ କିୟୋସ୍କ ଏଟିଏମ ମେସିନ ରାଜସ୍ଥାନର ନାଥଦ୍ୱାର ମନ୍ଦିର ବାହାରେ ଲଗାଯାଇଛି । ଏହି ମେସିନରେ ସ୍ମାର୍ଟଫୋନ ଚାର୍ଜ କରାଯାଇପାରିବ । ଏହି ଏଟିଏମରେ ଗୋଟିଏ ଘଣ୍ଟା ସ୍ମାର୍ଟଫୋନ ଚାର୍ଜ କଲେ ୫୦% ପ୍ରତିଶତରୁ ଅଧିକ ଚାର୍ଜ ହୋଇଥାଏ । ରାସ୍ତା କଡରେ ଏହି ମେସିନ ରହୁଥିଲେ ମଧ୍ୟ ୟୁଜର୍ସଙ୍କ ସ୍ମାର୍ଟଫୋନ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଥାଏ । ଏଟିଏମ ଭଳି ଏହି ମେସିନରେ ମୋଟ ୨୪ଟି ଲକର ରହିଛି । ଯେଉଁଠି ଫୋନକୁ ଚାର୍ଜିଂ କରାଯାଇଥାଏ ।

କିଭଳି କରିବେ ଚାଜିଂ : ସ୍ମାର୍ଟଫୋନ ଚାର୍ଜ କରିବା ପାଇଁ ପ୍ରଥମେ ୟୁଜର୍ସଙ୍କୁ ଏହାର ସ୍କ୍ରିନ ଉପର ଟଚ୍ ଟୁ ଷ୍ଟାର୍ଟ ବିକଳ୍ପ ବାଛିବାକୁ ପଡିବ । ଏଥିରେ ଟଚ୍ ଟୁ ଚାର୍ଜ ବିକଳ୍ପ ଉପରେ କ୍ଲିକ କରିବା ପରେ କେତୋଟି ଲକର ଫାଙ୍କା ଅଛି ତାହା ଦେଖାଇବ । ଫାଙ୍କା ଥିବା ଲକର ମଧ୍ୟରୁ ଗୋଟିଏ ଲକର ବାଛିବା ପରେ କେତେ ସମୟ(୧ ଘଣ୍ଟା, ୨ ଘଣ୍ଟା) ଚାର୍ଜ କରିବା ପାଇଁ ଚାହୁଁଛନ୍ତି ତାହା ସୂଚିତ କରିବାକୁ ପଡିବ । ୧ ଘଣ୍ଟା ପାଇଁ ଚାର୍ଜ କରିବାକୁ ଚାହୁଁଥିଲେ ୧୦ ଟଙ୍କା ଡିପୋଜିଟ କରିବାକୁ ପଡିବ । ଏହାଦ୍ୱାରା ୟୁଜର୍ସ ବାଛିଥିବା ଲକର ଆପଣାଛାଏଁ ଖୋଲିଯିବ ଏବଂ ଏହି ଲକର ମଧ୍ୟରେ ଫୋନ ଚାର୍ଜ କରିବା ପରେ ଏହି ଲକର ବନ୍ଦ କରିବା ଆବଶ୍ୟକ । ନଚେତ ଫୋନ ଚାର୍ଜ ହୋଇନଥାଏ । ଲକର ବନ୍ଦ ହେବା ପରେ ଏକ ପେମେଣ୍ଟ ସ୍ଲିପ ମିଳିବ ଯେଉଁଥିରେ ଏକ କୋର୍ଡ ରହିଥାଏ । ଚାର୍ଜିଂ ସମୟରେ ଗୋଟିଏ ଘଣ୍ଟା ନ ରହିଲେ ମଧ୍ୟ ଫୋନ ସୁରକ୍ଷିତ ରହିବ । କାରଣ କୋର୍ଡ ବିନା ଏହି ଲକର ଖୋଲିବ ନାହିଁ । ଚାର୍ଜ ହେବା ପରେ କୋର୍ଡ ଦେଖାଇ ଫୋନ ବାହାର କରିପାରିବେ । ତେଣୁ ଏହି ଏଟିଏମରେ ଚାର୍ଜ କରିବା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ।