୨୦ ବର୍ଷରେ ପ୍ରଥମ ଥର ବିଫଳ ହେଲା ଉପଗ୍ରହ ଉତକ୍ଷେପଣ ! କକ୍ଷପଥରେ ପହଂଚିବା ପରେ ଖୋଲିଲା ନି ହିଟ୍ ସିଲ୍ଡ

28

କନକ ବ୍ୟୁରୋ : ବିଫଳ ହେଲା ନାଭିଗେସନ୍ ସାଟେଲାଇଟ୍ ଆଇଆରଏନଏସଏସ- ୧ ଏଚ୍ର ଉତକ୍ଷେପଣ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆଜି ସଂଧ୍ୟା ୭ଟାରେ ଏହାକୁ ଉତକ୍ଷେପଣ କରାଯାଇଥିବାବେଳେ କକ୍ଷପଥରେ ଅବସ୍ଥାପିତ ହୋଇଛି । କିନ୍ତି ଉପଗ୍ରହରେ ଲଗାଯାଇଥିବା ହିଟ୍ ସିଲ ଏଥିରୁ ଅଲଗା ହୋଇନାହିଁ । ପିଏସଏଲଭି –ସି ୩୯ ସହାୟତାରେ ଏହାକୁ ଛଡାଯାଇଥିଲେ ମଧ୍ୟ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଉତକ୍ଷେପଣ ବିଫଳ ହୋଇଥିବା କହିଛନ୍ତି ଇସ୍ରୋ ମୁଖ୍ୟ ଏ ଏସ କିରଣ କୁମାର ।

ବଡକଥା ହେଉଛି ପ୍ରଥମଥର ପାଇଁ ଏହି ଉପଗ୍ରହକୁ ପ୍ରସ୍ତୁତ କରିଥିଲେ ଘରୋଇ ଉପଗ୍ରହ ନିର୍ମାଣ ସଂସ୍ଥା । ପୂର୍ବରୁ କେବଳ ସାଟେଲାଇଟ୍ ନିର୍ମାଣରେ ଅତ୍ୟାବଶ୍ୟକ ଯନ୍ତ୍ରାଂଶ ଯୋଗାଉଥିବା ଘରୋଇ କମ୍ପାନି, ଇସ୍ରୋ ବୈଜ୍ଞାନିକଙ୍କ ସହାୟତାରେ ଏହି ଉପଗ୍ରହକୁ ପ୍ରସ୍ତୁତ କରିଛି । ସାଟେଲାଇଟକୁ ପ୍ରସ୍ତୁତ କରିଛି ବାଙ୍ଗାଲୁରୁ ସ୍ଥିତ ଆଲଫା ଡିଜାଇନ ଟେକ୍ନୋଲୋଜି । ୧ ହଜାର ୪୨୫ କିଲୋଗ୍ରାମ ଓଜନର ଏହି ଉପଗ୍ରହ ଆଇଆରଏନଏସଏସ -୧ ଏ ର ସ୍ଥାନ ନେଇଥାନ୍ତା । ୧୪ଶହ ୨୦କୋଟି ଟଙ୍କା ବ୍ୟୟରେ ଏହି ଉପଗ୍ରହକୁ ନିର୍ମାଣ କରାଯାଇଛି ।

ଭାରତୀୟ ନାଭିଗେସନ ସାଟେଲାଇଟ ସିଷ୍ଟମର ଏହା ଅଷ୍ଟମ ସଂସ୍କରଣ । ଏୟାରଫୋର୍ସର ଲଢୁଆ ବିମାନରେ ଜିପିଏସ ସିଷ୍ଟମ ବଦଳରେ ଆଇଆରଏନଏସଏସ ସିଷ୍ଟମ ଖଂଜିବାରେ ଏହି ଉପଗ୍ରହ ସହାୟତା କରିଥାନ୍ତା । ଜାହାଜ ଚଳାଚଳ, ଭୁପୃଷ୍ଠ ପରିବହନ ଓ ଟ୍ରେନ ଚଳାଚଳ କ୍ଷେତ୍ରରେ ମଧ୍ୟ ଏହି ଉପଗ୍ରହର ଲାଭ ମିଲିଥାନ୍ତା । ସମୁଦ୍ରରେ ଅନ୍ତର୍ଜାତୀୟ ଜଳସୀମା ନିର୍ଦ୍ଧାରଣରେ ମଧ୍ୟ ଏହା ଧୀବରମାନଙ୍କୁ ସହାୟତା କରିବାକୁ ଲକ୍ଷ୍ୟ ରଖାଯାଇଥିଲା ।

ଇସ୍ରୋର ଉପଗ୍ରହ ଉତକ୍ଷେପଣର ଇତିହାସ ବେଶ୍ ଗୌରବମୟ । ମହାକାଶ ଅଭିଯାନରେ ସଫଳତା ପାଇ ପାଶ୍ଚାତ୍ୟ ଦେଶକୁ ଚମକାଇ ଦେଇଛି ଇସ୍ରୋ । କିନ୍ତୁ ତାହାରି ଭିତରେ ବିଫଳତା ବି ପାଇଛି । .. ୧୯୯୩ ମସିହା ସେପ୍ଟେମ୍ବର ୨୦ରେ ପିଏସଏଲଭି ଡି-୧ ଉତକ୍ଷେପଣ ବିଫଳ ହୋଇଥିଲା । ପ୍ରୋଗ୍ରାମିଂରେ ସମସ୍ୟା ଥିବାରୁ ଏହି ପ୍ରଥମ ପର୍ଯ୍ୟାୟର ରକେଟ ଉତକ୍ଷେପଣରେ ହୋଇଥିଲା ବିଫଳ । ଉତକ୍ଷେପଣର ମାତ୍ର ୭୦୦ ସେକେଣ୍ଡ ପରେ ଏହା ବଙ୍ଗୋପସାଗରରେ ଖସି ପଡିଥିଲା ।

ଏହାର ୪ବର୍ଷ ପରେ ୨୯ ସେପ୍ଟେମ୍ବର ୧୯୯୭ରେ ପିଏସଲଏଭି ସି-୧ ରକେଟ ଉତକ୍ଷେପଣ ବିଫଳ ହୋଇଥିଲା । ଚାପ ନିୟନ୍ତ୍ରଣରେ ବିଫଳ ହେବାରୁ ଏହି ରକେଟ ଉତକ୍ଷେପଣର ମାତ୍ର ୨୫୦ ସେକେଣ୍ଡ ପରେ ଜଳିଯାଇଥିଲା । ଦୀର୍ଘ ୨୦ ବର୍ଷ ପରେ ଆଜି ଅଗଷ୍ଟ ୩୧ ତାରିଖରେ ଇସ୍ରୋକୁ ପୁଣି ବିଫଳତା ଦେଖିବାକୁ ପଡିଛି । ୨୦ ବର୍ଷ ପରେ ପିଏସଏଲଭି ଏକ୍ସଏଲ ରକେଟ ଉତକ୍ଷେପଣ ପରେ କକ୍ଷ ପଥରେ ବିଫଳ ହୋଇଛି ।