ମୋଦି ସରକାରଙ୍କ ଶାସନରେ ବଢ଼ିଲା ଋଣଭାର ! ୨୦୧୪ ତୁଳନାରେ କେତେ ବଢ଼ିଛି, ପଢ଼ନ୍ତୁ ପୁରା ରିପୋର୍ଟ ?
ମୋଦି ସରକାରଙ୍କ ଶାସନରେ ବଢ଼ିଲା ଋଣଭାର
କନକ ବ୍ୟୁରୋ : ମୋଦି ସରକାରଙ୍କ ଅମଳରେ ଅଧିକ ଋଣଗ୍ରସ୍ତ ହୋଇଛି ଦେଶ । ମୋଦିଙ୍କ କାର୍ଯ୍ୟକାଳରେ ୪୯ ପ୍ରତିଶତ ବଢ଼ିଛି ଋଣଭାର । ଗୋଟିଏ ପଟେ ଲୋକସଭା ନିର୍ବାଚନକୁ ନେଇ ତଥା ଲୋକଙ୍କୁ ଆକର୍ଷିତ କରିବା ପାଇଁ ମୋଦି ସରକାର ଅନେକ ଜନକଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରୁଛନ୍ତିି । ଅନ୍ୟପଟେ ଦେଶର ରାଜକୋଷ ଉପରେ ଋଣଭାର ଲଦିହୋଇଯାଉଛି । ନିକଟରେ ଦେଶର ଋଣଭାର ନେଇ ଷ୍ଟାଟସ୍ ରିପୋର୍ଟର ଅଷ୍ଟମ ସଂସ୍କରଣ ପ୍ରକାଶ ପାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟ ଅନୁସାରେ କେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟକାଳ ଭିତରେ ସରକାରଙ୍କ ଉପରେ ୪୯ ପ୍ରତିଶତ ଋଣ ବଢ଼ି ୮୨ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଛି । ତଥ୍ୟ ଅନୁସାରେ ଜୁନ୍ ୨୦୧୪ରେ ସରକାରଙ୍କ ଉପରେ ମୋଟ ଋଣ ଥିଲା ୫୪,୯୦, ୭୬୩ କୋଟି, ଯାହା ସେପ୍ଟେମ୍ବର ୨୦୧୮ ପର୍ଯ୍ୟନ୍ତ ବଢ଼ି ବଢ଼ି ୮୨,୦୩,୨୫୩ କୋଟିରେ ପହଞ୍ଚିଯାଇଛି । ସରକାରଙ୍କ ଉପରେ ଋଣଭାର ବଢ଼ିବା ସହ ୫୧,୭ ପ୍ରତିଶତ ବଢ଼ିଛି ସର୍ବସାଧାରଣ ଋଣଭାର ।
ସରକାରଙ୍କ ଉପରେ ଋଣଭାର ବୃଦ୍ଧି ଯୋଗୁଁ ସର୍ବସାଧାରଣ ଋଣଭାର ୫୧. ୭ ପ୍ରତିଶତ ବୃଦ୍ଧି ପାଇ ୪୮ ଲକ୍ଷର କୋଟିରୁ ୭୩ ଲକ୍ଷ କୋଟିରେ ପହଞ୍ଚିଛି । ସର୍ବସାଧାଣ ଋଣ ବୃଦ୍ଧି ହେବାସହ ଆନ୍ତରିକ ଋଣ ୫୪ ପ୍ରତିଶତ ବଢ଼ିଯାଇଛି, ଯାହା ପାଖାପାଖି ୬୮ ଲକ୍ଷ କୋଟିରେ ପହଞ୍ଚିଛି । ଏହା ବ୍ୟତୀତ ମୋଦି ସରକାରଙ୍କ ସାଢ଼େ ଚାରି ବର୍ଷ କାର୍ଯ୍ୟକାଳ ଅବଧି ମଧ୍ୟରେ ବଜାର ଋଣ ୪୭.୫ ପ୍ରତିଶତ ବୃଦ୍ଧି ପାଇଁ ୫୨ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି ।