ସାରା ଦେଶ ପାଇଁ ଗୌରବର ଦିନ, ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୨ । ଅନେଇ ରହିଛି ସାରାବିଶ୍ୱ, ପ୍ରଥମ ରାଷ୍ଟ୍ର ଭାବେ ଦକ୍ଷିଣ ମେରୁରେ ହେବ ଧୀର ଅବତରଣ ।

316

କନକ ବ୍ୟୁରୋ : ୪୭ ଦିନ ପରେ ଆସୁଛି ବହୁ ପ୍ରତୀକ୍ଷିତ ମୁହୂର୍ତ । ରାତି ଗୋଟାଏ ୫୫ ମିନିଟରେ ଚନ୍ଦ୍ରକୁ ଛୁଇଁବ ଚନ୍ଦ୍ରଯାନ-୨ । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଏକ ସ୍ମରଣୀୟ ଦିନ ଏବଂ ଇସ୍ରୋ ପାଇଁ ଏକ ବଡ଼ ପରୀକ୍ଷାର ଦିନ । କାରଣ ମହାକାଶ ବିଜ୍ଞାନରେ ସ୍ୱର୍ଣ୍ଣିମ ଇତିହାସ ରଚିବାକୁ ଯାଉଛି ଭାରତ । ରାତି ଉଜାଗର ରହି ଏହି ବିରଳ ମୁହୂର୍ତର ଲାଇଭ ଚିତ୍ର ଦେଖିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୭୦ ଜଣ ସ୍କୁଲ ପିଲାଙ୍କ ଗହଣରେ ବାଙ୍ଗାଲୋର ଇସ୍ରୋ ସେଂଟରରେ ଏହି ଦୃଶ୍ୟ ଦେଖିବେ ମୋଦି ।

ଜହ୍ନରାଇଜରେ ଭାରତ ପାଇଁ ଅଗ୍ନିପରୀକ୍ଷା । ଇତିହାସ ଅଭିମୁଖେ ଇସ୍ରୋ । ଆଜି ମହାକାଶ ବିଜ୍ଞାନ ଗବେଷଣାରେ ଭାରତ ପାଇଁ ଐତିହାସିକ ଦିନ । କାରଣ ଜହ୍ନର ମାଟି ଛୁଇଁବ ଭାରତର ଚନ୍ଦ୍ରଯାନ-୨ । ଅଧ ରାତିରେ ଏହି ସଫଳତା ଦେଖିବା ପାଇଁ କୋଟି କୋଟି ଭାରତୀୟଙ୍କ ଆଖିରୁ ନିଦ ହଜିଯାଇଛି । କ୍ରିକେଟ ପାଇଁ ଭାରତୀୟଙ୍କ ମଧ୍ୟରେ ଯେପରି ଉତ୍ସାହ ଦେଖିବାକୁ ମିଳେ, ପ୍ରଥମ ଥର ପାଇଁ ମହାକାଶରେ ବୈଜ୍ଞାନିକଙ୍କ ସଫଳତା ଦେଖିବା ପାଇଁ ସେହିପରି ଉତ୍ସାହିତ ହୋଇ ପଡିଛନ୍ତି ଦେଶବାସୀ ।

ଚନ୍ଦ୍ରଯାନ-୨ର ସଫଳତା ପାଇଁ ଚାଲିଛି ହୋମ-ଯଜ୍ଞ ଓ ପୂଜାର୍ଚ୍ଚନା । ଏହି ଐତିହାସିକ ମୁହୂର୍ତର ସାକ୍ଷୀ ରହିବେ ନିଜେ ପ୍ରଧାନମନ୍ତ୍ରୀ । ବେଙ୍ଗାଲୁରର ଇସ୍ରୋ ସେଂଟରରେ ଦେଶର ୭୦ ଜଣ ସ୍କୁଲ ପିଲାଙ୍କ ସହ ଚନ୍ଦ୍ରଯାନ-୨ର ଅବତରଣ ଦେଖିବେ ମୋଦି । ଟୁଇଟ୍ କରି ଦେଶବାସୀଙ୍କୁ ଏହି ମୁହୂର୍ତର ଲାଇଭ ଚିତ୍ର ଦେଖିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ରାତି ୧ଟା ୫୫ ମିନିଟ୍ । ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରିବ ଚନ୍ଦ୍ରଯାନ-୨ । ଚନ୍ଦ୍ରକୁ ଛୁଇଁବ ଶହେ କୋଟି ଲୋକଙ୍କ ସ୍ୱପ୍ନକୁ ନେଇ ଜୁଲାଇ ୨୨ ତାରିଖରେ ପୃଥବୀ ଛାଡିଥିବା ଚନ୍ଦ୍ରଯାନ-୨ । ଏହା ପୂର୍ବରୁ ମାତ୍ର ୩ଟି ରାଷ୍ଟ୍ର ଏଭଳି ବିରଳ ସଫଳତା ନିଜ ନାଁରେ ଲେଖାଇଛନ୍ତି । ୨୦୦୮ରେ ପ୍ରଥମ ଚନ୍ଦ୍ର ଅଭିଯାନ କରିଥିଲା ଭାରତ । ଏହାର ପ୍ରାୟ ୧୧ ବର୍ଷ ପରେ ଜହ୍ନ ରାଇଜକୁ ଯାଇଛି ଚନ୍ଦ୍ରଯାନ-୨ ।

ନଜର ପକାନ୍ତୁ କ’ଣ ରହିଛି ଚନ୍ଦ୍ରଯାନ-୨ର ବିଶେଷତ୍ୱ

ଚତୁର୍ଥ ରାଷ୍ଟ୍ର ଭାବେ ଚନ୍ଦ୍ରପୃଷ୍ଠରେ କରିବ ଧୀର ଅବତରଣ
ପ୍ରଥମ ଥର ପାଇଁ ଦକ୍ଷିଣ ମେରୁରେ ପହଁଚିବ ଚନ୍ଦ୍ରଯାନ
୧୪ ଦିନ ଧରି ଚନ୍ଦ୍ରପୃଷ୍ଠରେ ପରୀକ୍ଷା ନିରୀକ୍ଷା କରିବ ରୋଭର
ଜହ୍ନରେ ଜଳ ଅଛି କି ନାହିଁ ପରୀକ୍ଷା କରିବ
ପଠାଇବ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଦକ୍ଷିଣ ମେରୁର ଫଟୋ ଚିତ୍ର
୧ ବର୍ଷ କାଳ କକ୍ଷପଥରେ ରହି ତଥ୍ୟ ପଠାଇବ ଅର୍ବିଟର

ସବୁଠୁ କମ୍ ଖର୍ଚ୍ଚରେ ହୋଇଛି ଇସ୍ରୋର ଏହି ଚନ୍ଦ୍ର ଅଭିଯାନ । ମାତ୍ର ୯୭୮ କୋଟି ଟଙ୍କାରେ ଦ୍ୱିତୀୟ ଚନ୍ଦ୍ର ମିସନ୍ କରିଛି ଭାରତ । ଯାହାର ସଫଳତା ଉପରେ ସାରା ବିଶ୍ୱର ବୈଜ୍ଞାନିକମାନେ ତୀକ୍ଷ୍ଣ ନଜର ରଖିଛନ୍ତି । ଚନ୍ଦ୍ରର ଦକ୍ଷିଣ ମେରୁର ଯେଉଁ ରହସ୍ୟ ଉଦଘାଟନ ହେବାକୁ ଯାଉଛି, ତାହା ବିଶ୍ୱ ମହାକାଶ ବିଜ୍ଞାନୀଙ୍କୁ ନୂଆ ବାଟ ଦେଖାଇବ ।