ଦିଲ୍ଲୀରେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢରେ ଝଲସିଲା ଭାରତର ସଂସ୍କୃତି ।  ପ୍ରଥମ ଥର ଲାଗି ବାଇକରେ ଚିତାକର୍ଷକ ଷ୍ଟଂଟ ଦେଖାଇଲେ ବିଏସଏଫର ସୀମା ଭବାନୀ ଟିମ ।

27

 କନକ ବ୍ୟୁରୋ : ଆଜି ଦେଶ ପାଳୁଛି ୬୯ ତମ ସାଧାରଣତନ୍ତ୍ର ଦିବସ । ୧୯୪୭ ମସିହାରେ ଦେଶ ସ୍ୱାଧୀନ ହୋଇଥିଲା । କିନ୍ତୁ ୧୯୫୦ ମସିହାରେ ଦେଶ ପାଇଥିଲା ନୂଆ ସମ୍ବିଧାନ । ୬୯ତମ ସାଧାରଣତନ୍ତ୍ର ଦିବସରେ ପ୍ରଥମ ଥର ଲାଗି ଆସିଆନ ଦେଶର ରାଷ୍ଟ୍ରମୁଖ୍ୟ ମୁଖ୍ୟ ଅତିଥି ଥିଲେ । ଆଉ ଦିଲ୍ଲୀର ରାଜପଥରେ ବିଶ୍ୱ ଦେଖିଲା ଭାରତର ଦମ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତାକା ଉତୋଳନ କରିବା ସହ  ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ।

ଗଣତନ୍ତ୍ର ଦିବସ ପରେଡରେ ପ୍ରଥମ ଥର ପାଇଁ ଷ୍ଟଂଟ୍ ପ୍ରଦର୍ଶନ କରିଛନ୍ତି ବିଏସଫର ମହିଳା ବାଇକର୍ସ । ଦିଲ୍ଲୀ ରାଜପଥରେ ଦେଖାଇଛନ୍ତି ଦୁଃସାହସିକ ଷ୍ଟଂଟ୍ । ବିଏସଏଫ ମହିଳା ଶାଖାର ଡେୟାରଡେଭିଲ୍ସ ଟିମ୍ ସୀମା ଭବାନୀ ଏହି ଷ୍ଟଂଟ୍ ପ୍ରଦର୍ଶନ କରିଛନ୍ତି । ୨୫ରୁ ୩୦ ବର୍ଷର ୨୭ ଜଣ ମହିଳା ବାଇକ୍ ଉପରେ ବିଭିନ୍ନ ଆକର୍ଷଣୀୟ ଷ୍ଟଂଟ୍ କରିଛନ୍ତି । ଏହି ଟିମରେ ୧୫ ଜଣ ବିବାହିତା ମହିଳା ମଧ୍ୟ ସାମିଲ ଅଛନ୍ତି । ଜମ୍ମୁ କଶ୍ମୀର ଲଦାଖ ଅଂଚଳର ଇନ୍ସପେକ୍ଟର ଷ୍ଟାଞ୍ଜିନ୍ ନୋରୟାଙ୍ଗ୍ ସୀମା ଭବାନୀ ଟିମର ନେତୃତ୍ୱ ନେଇଛନ୍ତି । ରୟାଲ ଏନଫିଲ୍ଡ ବୁଲେଟଉପରେ ବିଭିନ୍ନ ଦୁଃସାହସିକ କ୍ରୀଡା କୌଶଳ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକ ତଥା ବିଦେଶୀ ଅତିଥିଙ୍କୁ ଚକିତ କରିଛନ୍ତି ବିଏସଏଫର ଏହି ମହିଳା ଟିମ । ୭୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ମହିଳା ସୁରକ୍ଷାକର୍ମୀମାନେ ଏଭଳି ପ୍ରତିଭା ପ୍ରଦର୍ଶନ କରିଛନ୍ତି ।

ଆଜିର ସଧାରଣତନ୍ତ୍ର ଦିବସରେ ୧୦ ଆସିଆନ ଦେଶର ରାଷ୍ଟ୍ରମୁଖ୍ୟ ମୁଖ୍ୟ ଅତିଥି ହୋଇଛନ୍ତି । ଆସିଆନ ଦେଶରେ ଥାଇଲାଣ୍ଡ, ଭିଏତନାମ, ଇଣ୍ଡୋନେସିଆ, ମାଲେସିଆ, ଫିଲିଫାଇନସ, ସିଙ୍ଗାପୁର, ମିଆଁମାର, କାମ୍ବୋଡିଆ, ଲାଓସ ଓ ବ୍ରୁନେଇ ସାମିଲ ହୋଇଥିଲେ । ଏଥିଲାଗି ରାଜପଥରେ ହେବାକୁ ଥିବା ପରେଡକୁ ଏଥର ଖାସ କରାଯାଇଛି । ପରେଡର ଆରମ୍ଭ ୧୦ ଆସିଆନ ଦେଶର ଜାତୀୟ ପତାକା ସହ ହୋଇଥିଲା ।  ଏଥିପେ ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ପ୍ରଜ୍ଞାପନ ମେଢ ସାମିଲ ହୋଇଛନ୍ତି । ଉତର-ପର୍ବ ରାଜ୍ୟ ସହ ମହାରାଷ୍ଟ ଓ ଗୁଜରାଟର ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲା ।

ଆଜିର ପରେଡରେ ଆକର୍ଷଣ ଥିଲା ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସ । ଏହା ସହ ନିର୍ଭୟ, ଆକାଶ, ଭୀଷ୍ମ ଟ୍ୟାଙ୍କ ଓ ଅନ୍ୟ ସ୍ୱଦେଶୀ ରାଡାର ବି ପ୍ରଦର୍ଶିତ ହୋଇଛି । ଏଥି ମଧ୍ୟରେ ରହିଛି ୨୧ ଯୁଦ୍ଧ ବିମାନ, ୧୨ ହେଲିକପ୍ଟର, ଓ ୪ ଟ୍ରାନ୍ସପୋର୍ଟ ଏୟାରକ୍ରାଫଟ । ଯୁଦ୍ଧ ବିମାନ ମଧ୍ୟରେ ରହିଛି ସୁଖୋଇ, ତେଜସ୍ ଓ ମିଗ୍-୨୯ । ପରେଡରେ ସେନା ସହ ପଞ୍ଜାବ ରେଜିମେଂଟ, ମରାଠା ଲାଇଟ ଫେକ୍ଟ୍ରି, କୋଷ୍ଟଗାର୍ଡ, ବିଏସଏଫ ବି ସାମିଲ ହୋଇଥିଲେ ।

ସାଧାରଣତନ୍ତ୍ର ଦିବସ ଅବସରରେ ଦେଶ ଜଣାଇଛି ସହିଦଙ୍କୁ ସମ୍ମାନ । ଅମର ଯବାନ ଜ୍ୟୋତିରେ ସହିଦ ଯବାନଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁଷ୍ପଗୁଚ୍ଛ ଦେଇ ବୀର ସହିଦଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉପସ୍ଥିତ ରହି ଅମରସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ତିନି ସେନା ମୁଖ୍ୟ ମଧ୍ୟ ଅମର ଯବାନ ଜ୍ୟୋତିରେ ସହିଦଙ୍କୁ ଶ୍ରଦ୍ଧା ସୁମନଅର୍ପଣ କରିଛନ୍ତି ।

ସେହିପରି ସୀମାରେ ପାଳିତ ହୋଇଛି ଗଣତନ୍ତ୍ର ଦିବସ । ସେନା ପକ୍ଷରୁ ସୀମାନ୍ତରେ ହୋଇଛି ପତାକା ଉତୋଳନ । ଅଟ୍ଟାରୀ-ୱାଘା ବର୍ଡରରେ ବିଏସଏଫ ପକ୍ଷରୁ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ । ଶୀତୁଆ ସକାଳରେ ପ୍ରବଳ କୁହୁଡି ସତ୍ୱେ ବେଶ୍ ଉତ୍ସାହର ସହ ସାଧାରଣତନ୍ତ୍ର ଦିବସ ପାଳିଛନ୍ତି ବିଏସଏଫ ଯବାନ । ମିଠା ଖୁଆଇବା ସହ ଯବାନମାନେ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି ।