ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଆଜି ଟିମ୍ ଇଣ୍ଡିଆର ଚୟନ: କ୍ରିକେଟର ତିନି ଫର୍ମାଟରେ କୋହଲି ହେବେ କ୍ୟାପଟେନ

33

କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଆଜି ହେବ ଟିମ୍ ଇଣ୍ଡିଆ ଚୟନ । ଅଧିନାୟକ ପଦରୁ ଧୋନି ଓହରିଯିବା ପରେ ଦଳର ମଙ୍ଗ କୋହଲିଙ୍କୁ ଦିଆଯିବା ପ୍ରାୟ ନିଶ୍ଚିତ । ତାଂକୁ ଟେଷ୍ଟ କ୍ରିକେଟ ସହ ଦିନିକିଆ ଦଳର ଅଧିନାୟକ କରିବାକୁ କେବଳ ଔପଚାରିକ ଘୋଷଣା ବାକି ଅଛି । ସେପଟେ ଦିନିକିଆ ସିରିଜ୍ ପାଇଁ ଦଳକୁ ଫେରିପାରନ୍ତି ଶିଖର ଧାୱନ ।

ରୋହିତ ଶର୍ମା ଓ ଅଜିଙ୍କ୍ୟା ରାହାଣେ ଆହତ ଥିବାରୁ କରୁଣ ନାୟାରଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି । ଚେନ୍ନାଇ ଟେଷ୍ଟରେ ତ୍ରିଶତକ ହାସଲ କରିବା ପରେ ଚୟନକର୍ତାଙ୍କ ଦୃଷ୍ଟିକୁ ଆସିଛନ୍ତି ନାୟର । ସେହିପରି ଅଶ୍ୱିନଙ୍କ ସହ ଦ୍ୱିତୀୟ ସ୍ପିନର ଭାବେ ଜୟନ୍ତ ଯାଦବଙ୍କ ନାଁ ରହିଛି । ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହେଉଥିବା ଏହି ଶୃଙ୍ଖଳାରେ ଭାରତ-ଇଂଲଣ୍ଡ ତିନିଟି ଲେଖାଏଁ ଦିନିକିଆ ଏବଂ ଟିଟ୍ୱେଂଟି ମ୍ୟାଚ୍ ଖେଳିବେ ।