ମହିଳା ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା । ୧୫ ଜଣିଆ ଦଳର ନେତୃତ୍ୱ ନେବେ ହରମନପ୍ରୀତ କୌର ।

234

ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ୨୧ ଫେବ୍ରୁଆରୀରୁ ଅଷ୍ଟ୍ରେଲିଆରେ ବିଶ୍ୱକପ ଟି-୨୦ ଆରମ୍ଭ ହେବାକୁ ଥିବା ବେଳେ ଭାରତୀୟ ଦଳର ନେତୃତ୍ୱ ହରମନପ୍ରୀତ କୌରଙ୍କ କାନ୍ଧରେ ରହିବ । ଭାରତୀୟ ଦଳରେ ଏକମାତ୍ର ନୂଆ ଚେହେରା ଭାବେ ରିଚା ଘୋଷଙ୍କୁ ସାମିଲ କରାଯାଇଛି ।

ବିଶ୍ୱକପ ଦଳରେ ବଡ ପରିବର୍ତ୍ତନ କରାଯାଇନଥିବା ବେଳେ ହରିୟାଣାର ୧୫ ବର୍ଷୀୟ ପ୍ରତିଭାବାନ ସେଫାଳି ବର୍ମାଙ୍କୁ ବିଶ୍ୱକପ ଟିମରେ ସାମିଲ କରାଯାଇଛି । ଗତ କିଛି ମ୍ୟାଚରେ ସେଫାଳିଙ୍କ ଦମଦାର ପ୍ରଦର୍ଶନ ଚୟନକର୍ତ୍ତାଙ୍କୁ ବେଶ ପ୍ରଭାବିତ କରିଛି । ସେହିଭଳି ମହିଳା ଚ୍ୟାଲେଞ୍ଜର ଟ୍ରଫିରେ ଦମଦାର ପ୍ରଦର୍ଶନ ରିଚା ଘୋଷଙ୍କୁ ବିଶ୍ୱକପ ଟିକେଟ ଦେଇଛି । ଚ୍ୟାଲେଞ୍ଜର ଟ୍ରଫିରେ ୨୬ ବଲରୁ ୩୬ ରନର ଦ୍ରୁତ ଇନିଂସ ଖେଳି ସମସ୍ତଙ୍କୁ ପ୍ରଭାବିତ କରିପାରିଥିଲେ ରିଚା । ଆଉ ଏହି ଇନିଂସରେ ୪ ଚୌକା ଓ ଗୋଟିଏ ଛକା ସାମିଲ ଥିଲା ।

ସେହିଭଳି ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ତ୍ରିକୋଣୀୟ ସିରିଜ ପାଇଁ ୧୬ ଜଣିଆ ଟିମ୍ ମଧ୍ୟ ଘୋଷଣା କରାଯାଇଛି । ଯେଉଁଥିରେ ୧୬ ନମ୍ବର ଖେଳାଳି ଭାବେ ନୁଜହତ ପରୱିନଙ୍କୁ ସାମିଲ କରାଯାଇଛି । ଏହି ତ୍ରିକୋଣୀୟ ସିରିଜରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସହ ଖେଳିବ ଭାରତ । ଜାନୁଆରୀ ୩୧ରୁ ଏହି ତ୍ରିକୋଣୀୟ ସିରିଜ ଆରମ୍ଭ ହେବ ।