ଭାରତୀୟ ମହାକାଶ ବିଜ୍ଞାନୀଙ୍କୁ ବଡ଼ ସଫଳତା ! ପୃଥିବୀଠାରୁ ୬ ଗୁଣ ବଡ଼ ଗ୍ରହର କଲେ ସନ୍ଧାନ ।

111

କନକ ବ୍ୟୁରୋ : ଭାରତୀୟ ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା । ନୂଆ ବିରାଟକାୟ ଗ୍ରହର ସନ୍ଧାନ କଲେ ମାଉଣ୍ଟଆବୁ ଗବେଷଣା କେନ୍ଦ୍ରର ମହାକାଶ ବିଜ୍ଞାନୀ । ଉଚ୍ଚ ତାପମାତ୍ରା ଯୋଗୁଁ ଜୀବନ ପାଇଁ ଆବଶ୍ୟକ ଉପାଦାନ ପୃଥିବୀ ପରି ଏହି ଗ୍ରହରେ ସମ୍ଭବ ନଥିବା ବିଜ୍ଞାନୀ କହିଛନ୍ତି ।
ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ପୁଣି ଇତିହାସ ରଚିଛି । ମାଉଣ୍ଟଆବୁର ଏକ ବିଜ୍ଞାନୀ ଦଳ ନୂଆ ଗ୍ରହର ସନ୍ଧାନ କରିଛନ୍ତି । ଇସ୍ରୋ ଦ୍ୱାରା ଏହି ଗ୍ରହକୁ ଏପିକ୍ କେ୨-୨୩୬ବି ନାଁରେ ନାମିତ କରାଯାଇଛି । ଏହି ଅନୁସନ୍ଧାନ ଦ୍ୱାରା ଭାରତ ସେହି ଦେଶ ସୂଚୀରେ ସାମିଲ ହୋଇଛି ଯେଉଁ ଦେଶ ନକ୍ଷତ୍ର ଚାରିପଟେ ଗ୍ରହ ବୁଲିଥିବାର ଅତୀତରେ ପ୍ରମାଣ ଦେଇଛନ୍ତି । ଉଚ୍ଚ କ୍ଷମତାସମ୍ପନ୍ନ ପାରସ୍ ସ୍ପେକ୍ଟ୍ରୋସ୍କୋପ୍ ମାଧ୍ୟମରେ ଦୀର୍ଘ ଦେଢ଼ ବର୍ଷର ଗବେଷଣା ପରେ ଏହି ଗ୍ରହର ସନ୍ଧାନ ମିଳିଥିବା କୁହାଯାଇଛି । ପୃଥିବୀ ବାହାରେ ପୃଥିବୀ ନେଇ ଗବେଷଣା ଜାରିଥିବାବେଳେ ଏ ଦିଗରେ ଭାରତୀୟ ବିଜ୍ଞାନୀଙ୍କୁ ମିଳିଛି ବଡ଼ ସଫଳତା ।

ନୂଆ ଗ୍ରହର ସ୍ୱତନ୍ତ୍ରତା :

୧. ଏପିକ୍ ଗ୍ରହ ପୃଥିବୀ ବସ୍ତୁତ୍ୱର ୨୭ ଗୁଣା ଓ ବ୍ୟାସାର୍ଦ୍ଧର ୬ ଗୁଣା ଅଧିକ ହେବ ।

୨. ପୃଥିବୀଠାରୁ ପ୍ରାୟ ୬୦୦ ଆଲୋକବର୍ଷ ଦୂରରେ ରହିଛି ଏହି ନୂଆ ଗ୍ରହ ।

୩. ଗ୍ରହଟି ନିଜ ନକ୍ଷତ୍ର ଚାରିପଟେ ପ୍ରାୟ ୧୯.୫ ଦିନରେ ପରିକ୍ରମା କରୁଛି ।

୪. ୬୦୦ ଡିଗ୍ରୀ ତାପମାତ୍ରା ଯୋଗୁ ଏଠାରେ ଜୀବନ ସମ୍ଭବ ନୁହଁ ।

୫. ଏକ ନିର୍ଦ୍ଦିଷ୍ଟ ନକ୍ଷତ୍ର ଓ ପୃଥିବୀ ମଧ୍ୟରେ ଏହା ଆସିବା ପରେ ସୃଷ୍ଟି ହେଉଥିବା ଛାଇରୁ ଏହାକୁ ପ୍ରଥମେ ଠାବ କରାଯାଇଥିଲା ।

୬. ବସ୍ତ୍ରତ୍ୱ ଓ ବ୍ୟାସାର୍ଦ୍ଧରୁ ଏହି ଗ୍ରହର ୭୦ ପ୍ରତିଶତ ଅଂଶ ବରଫ, ସିଲିକେଟ୍ ଓ ଲୁହା ଦ୍ୱାରା ଆଚ୍ଛାଦିତ ଥିବା ବିଜ୍ଞାନୀ ଅନୁମାନ କରିଛନ୍ତି ।

୭. ଏବେ ପର୍ଯ୍ୟନ୍ତ ପୃଥିବୀର ବସ୍ତୁତ୍ୱଠାରୁ ୧୦ରୁ ୭୦ ଗୁଣା ଓ ବ୍ୟାସାର୍ଦ୍ଧଠାରୁ ୪ରୁ ୮ ଗୁଣା ଅଧିକ ଥିବା ୨୩ଟି ମହାକାଶ ଏକକ ଖୋଜାଯାଇସାରିଛି ।

ଆଗକୁ ଏପିକ୍ ଗ୍ରହରୁ ଖୋଲିବ ମହାକାଶର ଜଟିଳ ରହସ୍ୟ । ନକ୍ଷତ୍ର ନିକଟରେ କିପରି ଗ୍ରହ ସୃଷ୍ଟି ହୁଏ ତା’ର ରହସ୍ୟ ଭେଦ କରିବେ ମହାକାଶ ବିଜ୍ଞାନୀ । ଏହା ବ୍ୟତୀତ ପୃଥିବୀ ବାହାରେ ପୃଥିବୀ ପରି ଗ୍ରହର ସନ୍ଧାନ କରୁଥିବା ବିଜ୍ଞାନୀଙ୍କୁ ବି ମିଳିବ ଗବେଷଣାର ନୂଆ ଆଧାର । ଏଭଳି ଅନେକ ଦୃଷ୍ଟିରୁ ଭାରତୀୟ ମହାକାଶ ବିଜ୍ଞାନୀଙ୍କ ଏହି ଗବେଷଣା ଲବ୍ଧ ତଥ୍ୟକୁ ବିଶ୍ୱବ୍ୟାପୀ ଉଚ୍ଚପ୍ରଶଂସା ମିଳିଛି ।