ରାଜସ୍ୱ ଆଦାୟ ସହିତ ଲୋକଙ୍କୁ ରୋଜଗାର ପ୍ରଦାନ କରିବା ପାଇଁ ରେଳବାଇର ନୂଆ ପ୍ରୟାସ : ପୁରୁଣା ରେଳଡବାରେ ତିଆରି କରିବାକୁ ଯାଉଛି ଅତ୍ୟାଧୁନିକ ରେଷ୍ଟୁରାଣ୍ଟ

39

ରେଳବାଇ ଖୁବ୍ ଶୀଘ୍ର ଦେଶର ସବୁ ବଡ଼ ରେଳ ଷ୍ଟେସନରେ ରେଷ୍ଟୁରାଣ୍ଟ ତିଆରି କରିବାକୁ ଯାଉଛି । ରେଳ ବିଭାଗର କହିବା ଅନୁଯାୟୀ ଏହା ଦ୍ୱାରା ରେଳ ବିଭାଗର ପ୍ରଚାର ପ୍ରସାର ହେବା ସହ ରୋଜଗାରର ନୂଆ ମାଧ୍ୟମ ଆରମ୍ଭ ହେବ । ଏଥି ମଧ୍ୟରେ ରେଳ ବିଭାଗ ତାର ସବୁ ଜୋନକୁ ପତ୍ର ମାଧ୍ୟମରେ ଜଣାଇ ଦେଇଛି ଯେ ରେଳ ଷ୍ଟେସନରେ ଥିବା ପୁରୁଣା ବଗିକୁ ବ୍ୟବହାର କରି ଗୋଟିଏ ଡିଜାଇନର ରେଷ୍ଟୁରାଣ୍ଟ ସବୁ ରେଳ ଷ୍ଟେସନରେ ତିଆରି ହେବ । ସୂଚନା ମୁତାବକ ଏହାଦ୍ୱାରା ରାଜସ୍ୱ ଆଦାୟ ହେବା ସହ ଲୋକଙ୍କୁ ରୋଜଗାର ପ୍ରଦାନ କରାଯାଇପାରିବ। ଯେପରି ଲୋକେ ପାର୍କ ଓ ସଂଗ୍ରହାଳୟ ବୁଲିବାକୁ ଯାଉଛନ୍ତି ସେହିପରି ଲୋକେ ରେଳବାଇର ଏହି ନିଆରା ରେଷ୍ଟୁରାଣ୍ଟକୁ ମଧ୍ୟ ଖାଇବାକୁ ଆସିବେ ଏବଂ ରେଷ୍ଟରାଣ୍ଟକୁ ଆସୁଥିବା ଲୋକଙ୍କୁ ବିଶେଷ ରାହାତି ଦିଆଯିବ ।

 

ଜନୈକ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ରେଷ୍ଟୁରାଣ୍ଟ ନିର୍ମାଣ ପାଇଁ ପୁରୁଣା ଓ ଖରାପ ରେଳଡବାର ବ୍ୟବହାର କରାଯିବ, ଯାହା ଦ୍ୱାରା ଲୋକମାନେ ଏଠାକୁ ଆସିବାକୁ ପସନ୍ଦ କରିବେ। ଅଧିକାରୀ ଜଣଙ୍କ ‘ସାନ-ଏ-ଭୋପାଳ’ରେଷ୍ଟୁରାଣ୍ଟର ଉଦାହରଣ ଦେଇ କହିଛନ୍ତି ଏହି ରେଷ୍ଟୁରାଣ୍ଟକୁ ଲୋକମାନେ ଯେପରି ପସନ୍ଦ କରୁଛନ୍ତି ସେହିପରି ଭାବେ ରେଳ ଷ୍ଟେସନରେ ରେଷ୍ଟୁରାଣ୍ଟ ତିଆରି କରାଯିବ ।

ଏଥିପାଇଁ ସ୍ୱତନ୍ତ୍ର ଆଟିଟେକ୍ଟ ଓ ହସ୍ପିଟାଲିଟି ବିଶେଷଜ୍ଞଙ୍କୁ ନିଯୁକ୍ତ କରାଯିବ । ରେଳଡବା ଗୁଡିକୁ କିପରି ଆଧୁନିକୀକରଣ କରାଯାଇ ନୂଆ ରଙ୍ଗ ଦିଆଯିବ ସେଥି ପ୍ରତି ଧ୍ୟାନ ଦିଆଯାଉଛି । ଏହି ରେଷ୍ଟୁରାଣ୍ଟ ପରିସରରେ ହେରିଟେଜ ପାର୍କ, ସଂଗ୍ରହାଳୟ ସହ ଭିନ୍ନକ୍ଷମଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସୁବିଧା ରହିବ।