ଦଲାଲ ବୁଡାଇଦେବେ ରେଳ କାରବାର : ବଢ଼ୁଛି ବିନା ଟିକେଟରେ ଯାତ୍ରା । ବନ୍ଧାହେଲେ ୩୦୭ ଦଲାଲ

41

କନକ ବ୍ୟୁରୋ: ପାଖରେ ଟିକେଟ ନାହିଁ ତଥାପି ଯାଉଛନ୍ତି । ଲାଇସେନ୍ସ ନାହିଁ ତଥାପି ବିକ୍ରି କରୁଛନ୍ତି ଟିକେଟ । ରେଳ କାରବାର କରୁଛନ୍ତି ଅବୈଧ ଏଜେନ୍ସି । ଏମିତି ଚାଲିଛି ଭାରତୀୟ ରେଳ । ଯାହା ଏବେ ଯାଞ୍ଚ ବେଳେ ଧରାପଡିଛି । ରେଳ ବିଭାଗର ଖୁଫିଆ ନଜରରୁ ବତ୍ତିପାରି ନାହାଁନ୍ତି ଏମାନେ । ଆଉ ଏମାନଙ୍କ ବିରୋଧରେ ରେଳ ବିଭାଗ ନେଇଛି କଡା ପଦକ୍ଷେପ । ରେଳ ଅଧିନିୟମ ଅନୁସାରେ ମାମଲା ରୁଜୁ କରିଛି ବିଭାଗ ।

ଦିନକୁ ଦିନ ଭାରତୀୟ ରେଳ କାରବାରରେ କ୍ଷତି ହେଉଥିବା ରିପୋର୍ଟ ଆସିବା ପରେ ଏନେଇ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା । ତେବେ କିଛି ଟିକେଟ ଦଲାଲ ଅନଧିକୃତ ଭାବେ ଟିକେଟ ବିକ୍ରି କରୁଥିବା ବେଳେ ଅଧିକାଂଶ ସ୍ଥାନରେ ଯାତ୍ରୀ ବିନା ଟିକେଟରେ ଯାତ୍ରା କରୁଥିବା ନେଇ ଖବର ମିଳିଥିଲା । ଯାହାକୁ ଆଧାର କରି ଭାରତୀୟ ରେଳ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ୨୦୧୭ ଅପ୍ରେଲ ୧ରୁ ୩୦ ଜୁନ ପର୍ଯ୍ୟନ୍ତ କରାଯାଇଥିବା ସ୍ୱତନ୍ତ୍ର ଚଢ଼ାଉରେ ୩୦୭ ଦଲାଲ, ୫୯ ହଜାର ୧୧୫ ଅନଧିକୃତ ବିକ୍ରେତା ଓ ୭ ଅବୈଧ ଟିକେଟ ଏଜେନ୍ସି ଧରାପଡିଛନ୍ତି । ଏମାନଙ୍କ ବିରୁଦ୍ଧରେ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଏହାସହ ଏମାନଙ୍କ ଠାରୁ ଜୋରିମାନା ସ୍ୱରୂପ ପ୍ରାୟ ୧.୧୮ କୋଟି ଟଙ୍କା ଆଦାୟ କରାଯାଇଛି ।

ଏ ଦିଗରେ ବିଭିନ୍ନ ଷ୍ଟେସନରେ ଲଗାଯାଇଥିବା କ୍ଲୋଜ ସର୍କିଟ କ୍ୟାମେରା ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଛି । ଏହାରି ମାଧ୍ୟମରେ ହିଁ ଅନେକ ଦଲାଲ ଓ ବିନା ଟିକେଟରେ ଯାତ୍ରା କରୁଥିବା ଠକଙ୍କୁ ଧରିପାରିଛି ବିଭାଗ । ସନ୍ଦେହଜନକ ଭାବେ ଯାତାୟତ କରୁଥିବା ଅନେକ ଲୋକଙ୍କୁ ସିସିଟିଭି ଜରିଆରେ ବାନ୍ଧିଛି ବିଭାଗ । ରେଳ ଅଧିନିୟମ ୧୯୮୯ର ଧାରା ୧୪୩ ଓ ୧୪୪ ଅନୁଯାୟୀ କିଛି ଦଲାଲ ଓ ଅନଧିକୃତ ବିକ୍ରେତାଙ୍କୁ ଗିରଫ କରାଯାଇଛି । ଅନଲାଇନ ଇ-ଟିକେଟିଂର ଦୁରୁପଯୋଗ କରି ଟିକେଟ ବିକ୍ରି କରୁଥିବା ଅବୈଧ ଏଜେନ୍ସିଗୁଡିକ ବିରୋଧରେ ରେଳ ଅଧିନିୟମ ୧୯୮୯ର ଧାରା ୧୪୩ ଅନୁସାରେ ମକଦ୍ଦମା ରୁଜୁ କରାଯାଇଥିବା ସୂଚନା ମିଳିଛି ।

ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ ଗୌହନ କହିଛନ୍ତି ସଂରକ୍ଷଣ ପ୍ରଣାଳୀରେ ସୁବ୍ୟବସ୍ଥିତ କରିବା ସହ ଏହାକୁ ଅଧିକ ସୁଦୂରପ୍ରସାରୀ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଗଣମାଧ୍ୟମ ଓ ସୋସିଆଲ ମିଡିଆ ଜରିଆରେ ଲୋକ ସଚେତନତା ସୃଷ୍ଟି କରାଯାଉଥିବା କହିଛନ୍ତି ମନ୍ତ୍ରୀ । ଏହାସହ ବିନା ଟିକେଟରେ ଯାତ୍ରା କରିବା ଓ ରେଳ ଟିକେଟର କଳାବଜାରୀ ଫଳରେ କେଉଁ ଦଣ୍ଡ ଭୋଗିବାକୁ ପଡିପାରେ ସେ ନେଇ ମଧ୍ୟ ସଚେତନତା ସୃଷ୍ଟି କରାଯାଉଥିବା କହିଛନ୍ତି ।

ଅଗ୍ରୀମ ଟିକେଟ ସଂରକ୍ଷଣ ଓ ତକ୍ରାଳ ବୁକିଙ୍ଗ ପୋର୍ଟାଲ ଖୋଲିବାର ୩୦ ମିନିଟ ପୂର୍ବରୁ ଏହି ସାଇଟକୁ ନଖୋଲିବାକୁ ଏଜେଣ୍ଟମାନଙ୍କ ଉପରେ ପ୍ରତିବନ୍ଧକ ଲାଗାଯାଇଛି । ରେଳଯାତ୍ରା କରୁଥିବା ସମୟରେ ସାଙ୍ଗରେ ଆବଶ୍ୟକୀୟ ପ୍ରମାଣପତ୍ର ନେବାକୁ ପରାମର୍ଶ ଦେଇଛି ବିଭାଗ । ସେହିପରି ଟିକେଟ ବୁକିଙ୍ଗର ୩୫ ସେକେଣ୍ଡ ପର୍ଯ୍ୟନ୍ତ ସମୟକୁ କେବଳ ଯାଞ୍ଚ ପାଇଁ ଉଦ୍ଦିଷ୍ଟ ରଖାଯିବାକୁ ପଦକ୍ଷେପ ନିଆଯାଇଛି ।

ଅନ୍ୟପଟେ ବୁକିଙ୍ଗ କରାଯାଇଥିବା ଟିକେଟକୁ ସୁନିଶ୍ଚିତ କରିବା ପାଇଁ ୱାନ ଟାଇମ ପାସୱାର୍ଡ (ଓଟିପି)କୁ ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀମାନଙ୍କ ସୁବିଧା ଦୃଷ୍ଟିରୁ ବିକଳ୍ପ ରେଳ ଆବାସ ଯୋଜନାର ଶୁଭାରମ୍ଭ କରିବା ନେଇ ସୂଚନା ଦେଇଛି ବିଭାଗ । ଏହାଦ୍ୱାରା ଗୋଟିଏ ଟ୍ରେନରେ ଯାତ୍ରା ପାଇଁ ଟିକେଟ କରିଥିବା ଯାତ୍ରୀ ବିକଳ୍ପ ଭାବେ ଯାତ୍ରା କରିପାରିବେ ।

ବୁକିଙ୍ଗ କାର୍ଯ୍ୟାଳୟ, ଆରକ୍ଷଣ କାର୍ଯ୍ୟାଳୟ, ରେଳଗାଡି ପ୍ରଭୃତିରେ ଯାଞ୍ଚକୁ କଡାକଡି କରିବାପାଇଁ ନିଷ୍ପତି ନିଆଯାଇଛି । ସମ୍ବେଦନଶୀଳ ସ୍ଥାନରେ ଅଧିକ ସିସିଟିଭି ଲଗାଇବା ସହିତ ଦଲାଲ ବା ଠକଙ୍କୁ ଧରିବା ପାଇଁ ଆରପିଏଫକୁ ଦାଇତ୍ୱ ଦିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।