ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ । ରେଳମନ୍ତ୍ରୀଙ୍କ ବଡ ଘୋଷଣା, ଜାଣନ୍ତୁ ଯାତ୍ରୀଙ୍କୁ ମିଳିବ କେଉଁ ସୁବିଧା

45

ରେଳଯାତ୍ରୀଙ୍କ ପାଇଁ ଖୁସିଖବର । ଏଣିକି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ବିମାନ ଓ ବଡ ହୋଟେଲରେ ମିଳୁଥିବା ସୁବିଧା ଦେବାକୁ ଚିନ୍ତା କରୁଛି ରେଳବିଭାଗ । ଏପରିକି ଯାତ୍ରୀ ମାନଙ୍କ ଠାରୁ ଯାତ୍ରା ସମୟରେ ହେଉଥିବା ଅସୁବିଧା ସର୍ମ୍ପକରେ ବୁଝିବା ସହ ସମସ୍ୟାର ସମାଧାନ ମଧ୍ୟ ବେଶ ଆରାମରେ କିପରି କରାଯାଇପାରିବ ସେନେଇ ମଧ୍ୟ ଯୋଜନା ପ୍ରସ୍ତୁତ କରୁଛି ରେଳବିଭାଗ । ପ୍ରଧାନମନ୍ତ୍ରୀ କୋଶଳ ବିକାଶ ଯୋଜନା ଅନୁଯାୟୀ, ରେଳ କର୍ମଚାରୀଙ୍କୁ ଏନେଇ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଦେଉଛି ରେଳବିଭାଗ । ରେଳମନ୍ତ୍ରୀ ପୀୟୁଷ ଗୋଏଲ ଟ୍ୱିଟ୍ କରି କହିଛନ୍ତି, ଭାରତୀୟ ରେଳବିଭାଗ ୩୦ ହଜାର କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ କୋଶଳ ବିକାଶ ଯୋଜନା ଅନୁଯାୟୀ, ଯାତ୍ରୀମାନଙ୍କ ସେବା ଓ ସକ୍ରାର ପାଇଁ ପ୍ରଶିକ୍ଷଣ ଦେବ । ଯାହାଦ୍ୱାରା ରେଳ ଯାତ୍ରା ସମୟରେ ଯାତ୍ରୀ ମାନଙ୍କୁ ଉନ୍ନତ ସେବା ଓ ସୁବିଧା ମିଳିଥାଏ ।

ଏହି ନୂଆ ଯୋଜନା ଅନୁଯାୟୀ, ରେଳବିଭାଗ କର୍ମଚାରୀ ମାନଙ୍କୁ ଆତିଥ୍ୟ, ବିନମ୍ରତା ଓ ଭଲ ବ୍ୟବହାର ପାଇଁ ପ୍ରଶିକ୍ଷଣ ଦେଉଛି । ଯାହାଦ୍ୱାରା ରେଳ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ପ୍ରଥମ ବ୍ୟାଚରେ ପ୍ରାୟ ୧୫୦୦ ଲୋକଙ୍କୁ ଏନେଇ ଟ୍ରେନିଂ ଦିଆଯାଉଛି । ଟ୍ରେନିଂ ସମାପ୍ତ ହେବା ପରେ ଅକ୍ଟୋବର ମାସରେ ଏମାନଙ୍କୁ ଟ୍ରେନରେ କାଯ୍ୟ କରିବାକୁ ଛଡାଯିବ । ଏହି ଯୋଜନା ଅନୁଯାୟୀ, ମାର୍ଚ୍ଚ ୨୦୧୯ ମଧ୍ୟରେ ସମସ୍ତ ୩୦ ହଜାର କର୍ମଚାରୀଙ୍କୁ ଟ୍ରେନିଂ ଦିଆଯିବ ।

ରେଳଯାତ୍ରୀଙ୍କୁ ଉନ୍ନତମାନର ସେବା ପାଇଁ ରେଳବିଭାଗ ସମସ୍ତ ଏସି ବଗିକୁ ଅପଗ୍ରେଡ କରିବାକୁ ନିଷ୍ପତି ନେଇଛି । ଏପରିକି ଏସି ବଗି ଗୁଡିକ ଟ୍ରାକରେ ଗଡିବାର ୬ ବର୍ଷ ପରେ ଏହାକୁ ଅପଗ୍ରେଡ କରାଯିବ । ଏସି ବଗି ଗୁଡିକର ନବକଳେବର ପାଇଁ ପ୍ରବଳ ଟଙ୍କା ମଧ୍ୟ ଖର୍ଚ୍ଚ ହେବ । ଏପରିକି ପ୍ରତି ବଗି ପିଛା ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଏସି ବଗି ଗୁଡିକରେ ଯାତ୍ରୀ ମାନେ ଯେପରି ଆରାମଦାୟକ ଯାତ୍ରା କରିପାରିବେ ।ଏଥିପାଇଁ ଏଭଳି ନିଷ୍ପତି ନେଇଛି ରେଳବିଭାଗ ।