ଏପ୍ରିଲ ମାସରୁ ଆରମ୍ଭ ହେବ ଇଣ୍ଡିଆନ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ! ମିଳିବ ଏହି ସବୁ ସେବା ।

159

ଇଣ୍ଡିଆନ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ଏପ୍ରିଲ ମାସରୁ ସାରା ଦେଶରେ କାମ କରିବା ଆରମ୍ଭ କରିବ । ପୋଷ୍ଟ ଅଫିସ ପୂର୍ବରୁ କହିସାରିଛି ଯେ, ପେମେଣ୍ଟସ୍ ବ୍ୟାଙ୍କ ଦ୍ରୁତଗତିରେ ବିସ୍ତାର ହେବାରେ ଲାଗିଛି । ଏପ୍ରିଲ ମାସରୁ ପୁରା ଦେଶରେ ଏହାର ନେଟୱାର୍କ କାମ କରିବା ଆରମ୍ଭ କରିବ ।

ଇଣ୍ଡିଆନ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ (ଆଇପିପିବି) ଏୟାରଟେଲ ଏବଂ ପେଟିଏମ ପରେ ଏମିତି ଏକ ତୃତୀୟ ପେମେଣ୍ଟ ବ୍ୟାଙ୍କ ହେବ, ଯାହା ସମ୍ପୂର୍ଣ୍ଣ ଭାବେ କାମ କରିବା ଆରମ୍ଭ କରିବ । ଏହି ବ୍ୟାଙ୍କ ର ସେବା ଗୁଡିକୁ ଦେଶର ସମସ୍ତ ୧.୫୫ ଲକ୍ଷ ଡାକଘର ନେଇପାରିବେ ।

ଡାକ ଏବଂ ଡାକ ପିଅନ ସାହାର୍ଯ୍ୟରେ ଏହି ସେବା ଲୋକମାନଙ୍କର ଘର ଆଗରେ ପହଞ୍ଚାଇ ଦିଆଯିବ । ଆଉ ଏଥି ପାଇଁ ଆଇପିପିବିର ୬୫୦ ଶାଖାର ନେଟୱାର୍କ କାମ କରିବ । ଭାରତୀୟ ପୋଷ୍ଟ ଅଫିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏହି ସେବା ସମ୍ପୂର୍ଣ୍ଣ ହେବା ଦ୍ୱାରା ଦେଶର ଅର୍ଥନୈତିକ ନେଟୱାର୍କ ମଜଭୁତ ହେବ ।

ପୋଷ୍ଟ ଅଫିସ ପେମେଣ୍ଟ ବ୍ୟାଙ୍କ ର ସେବା ଆରମ୍ଭ ହେବା ଦ୍ୱାରା ସବୁଠାରୁ ଅଧିକ ଲାଭ ଦୂରଦୁରାନ୍ତର ଅଞ୍ଚଳର ଲୋକମାନେ ପାଇବେ ଯେଉଁମାନେ ଏପର୍ଯ୍ୟନ୍ତ ବ୍ୟାଙ୍କିଙ୍ଗ ସିଷ୍ଟମ ଯାଏଁ ପହଞ୍ଚି ପାରିନାହାଁନ୍ତି ।

ଉଲ୍ଲେଖନୀୟ, ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୫ ମସିହାରେ ଏୟାରଟେଲ ଏବଂ ପେଟିଏମ ସହ ଭାରତୀୟ ଡାକ ବିଭାଗ ବ୍ୟତୀତ ଆହୁରି ମଧ୍ୟ କେତେକ ପେମେଣ୍ଟ ବ୍ୟାଙ୍କ ଖୋଲିବାକୁ ଅନୁମତି ଦେଇଥିଲେ । କହି ରଖୁଛୁ ଯେ, ପେମେଣ୍ଟ ବ୍ୟାଙ୍କ ସମ୍ପୂର୍ଣ୍ଣ ଭାବେ ବ୍ୟାଙ୍କ ନୁହେଁ । କିନ୍ତୁ ଏହା ବ୍ୟାଙ୍କ ଭଳି ଅନେକ ସୁବିଧା ଆପଣଙ୍କୁ ଯୋଗାଇଥାଏ ।

ପେମେଣ୍ଟ ବ୍ୟାଙ୍କରେ ଆପଣ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ । ଏହା ବ୍ୟତୀତ ଟଙ୍କା ପଠାଇବା ଏବଂ ଉଠାଇବା ସହ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ମଧ୍ୟ ଏହି ବ୍ୟାଙ୍କ ଦେଇଥାଏ । କିନ୍ତୁ ବ୍ୟାଙ୍କ ଭଳି ଏହା ଲୋନ ଦେଇ ପାରିବ ନାହିଁ ।