ଇଣ୍ଡୋନେସିଆକୁ ସହାୟତାର ହାତ ବଢାଇଲା ଇଣ୍ଡିଆ ! ସୁନାମି ପ୍ରଭାବିତ ଅଞ୍ଚଳକୁ ପିଇବା ପାଣି, କ୍ଷୀର, ଜୁସ୍ ଏବଂ ଟେଣ୍ଟ ପଠାଇଲା ଭାରତୀୟ ନୌସେନା ।

84

ଇଣ୍ଡୋନେସିଆରେ ସୁନାମିର ମହାପ୍ରଳୟ ପ୍ରଭାବିତ କରିଛି ଅନେକ ଧନଜୀବନ । ଇଣ୍ଡୋନେସିଆରେ ତାଣ୍ଡବ ରଚିଛି ପ୍ରକୃତି । ଭୂମିକମ୍ପ ପରେ ସୁନାମି ନେଇଯାଇଛି ଅନେକ ଧନଜୀବନ । ତେବେ ଏହି ମହାପ୍ରଳୟ ପରେ ଇଣ୍ଡୋନେସିଆକୁ ବଢିଛି ସହାୟତାର ହାତ । ସୋମବାର ଭାରତୀୟ ନୌସେନା କହିଛି ଯେ, ଦକ୍ଷଣପୂର୍ବ ଏସିଆରେ ନିୟୋଜିତ ଥିବା ତିନୋଟି ଜାହାଜକୁ ମାନବୀୟ ସହାୟତା ପାଇଁ ସୁନାମି ପ୍ରଭାବିତ ଇଣ୍ଡୋନେସିଆକୁ ପଠାଯାଇଛି ।

ଭାରତୀୟ ନୌସେନାର ପ୍ରବକ୍ତା ଟ୍ୱିଟ୍ କରି କହିଛନ୍ତି ଯେ, ନୌସେନା ଆଇଏନଏସ ତୀର, ଆଇଏନଏସ୍ ସୁଜାତା, ଆଇଏନଏସ୍ ସାର୍ଦୁଲକୁ ଇଣ୍ଡୋନେସିଆ ପାଇଁ ପଠାଯାଇଛି । ଆଜି ସକାଳର ପ୍ରଥମ କିରଣ ସହ ଏହି ତିନୋଟି ଜାହାଜ ଇଣ୍ଡୋନେସିଆ ପାଇଁ ଯାତ୍ରା କରିଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ନୌସେନା ସୂଚନା ଦେଇଛି ଯେ, ଏହି ଜାହାଜ ଗୁଡିକରେ ୩୦ ହଜାର ଲିଟର ପିଇବା ପାଣି, ୧୫୦୦ ଲିଟର ପ୍ୟାକ୍ ହୋଇଥିବା ଜୁସ୍, ୫୦୦ ଲିଟର କ୍ଷୀର, ୭୦୦ କିଲୋଗ୍ରାମ ବିସ୍କୁଟ୍ ଏବଂ ୨୦ ଟି ଟେଣ୍ଟ ରହିଛି ।

ଶୁକ୍ରବାର ଆସିଥିବା ସୁନାମି ଏବଂ ଭୂମିକମ୍ପରେ ସୁଲାବେସୀ ଧ୍ୱଂସ ହୋଇଯାଇଛି । ବଡ ବଡ ବିଲଡିଂ ଠାରୁ ଆରମ୍ଭ କରି ଘରଦ୍ୱାର, ଗଛଲତା ସବୁ କିଛି ସମୁଦ୍ର ପାଣିରେ ଭାସି ଯାଇଛି । ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଧନଜୀବନ ଅନେକ ମାତ୍ରାରେ ପ୍ରଭାବିତ ହୋଇଛି । ଇଣ୍ଡୋନେସିଆ ସେନା ଉଦ୍ଧାରକାର୍ଯ୍ୟରେ ଲାଗି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବିଭିନ୍ନ ବେସରକାରୀ ସଂସ୍ଥା ମଧ୍ୟ ଉଦ୍ଧାରକାର୍ଯ୍ୟରେ ଲାଗି ରହିଛନ୍ତି ।