ଆଜି ନୌସେନା ପାଳିଲା ପ୍ରତିଷ୍ଠା ଦିବସ ! ଆକାଶରେ ଯବାନ୍ ଦେଖାଇଲେ ଦୁଃସାହସିକ କୌଶଳ ।

225

କନକ ବ୍ୟୁରୋ : ଦେଶକୁ ଲାଗି ରହିଥିବା ବିଶାଳ ସମୁଦ୍ର ଉପକୁଳ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଉପସ୍ଥିତି ଯୋଗୁଁ ନୌବାହିନୀ ସବୁବେଳେ ସତର୍କ ହୋଇ ରହିଛି  । ବିଭିନ୍ନ କାରଣରୁ ସରକାର ମଧ୍ୟ ନୌବାହିନୀର ଶକ୍ତି ବୃଦ୍ଧି ଦିଗରେ ସବୁବେଳେ ଗୁରୁତ୍ୱ ଆରୋପ କରି ଆସିଛନ୍ତି  । ଆଜି ନୌସେନା ପାଳନ କରିଛି ପ୍ରତିଷ୍ଠା ଦିବସ  । ଏଥିସହ ୧୯୭୧ ପାକ୍ ବିରୋଧୀ ଅପରେସନରେ ନୌସେନାର ପୁରୁଣା ପରାକ୍ରମର ସ୍ମୃତି ତାଜା ହୋଇଛି  ।

ବିଶ୍ୱ ଦେଖିଲା ସମୁଦ୍ର ଯୋଦ୍ଧାର ତାକତ୍ । ଭାରତୀୟ ନୌସେନାର ବୀରତ୍ୱ ଓ ସାମର୍ଥ୍ୟ । ରାମେଶ୍ୱରମ୍ ସମୁଦ୍ରତଟରେ ଭାରତୀୟ ନୌସେନାର ବୀରତ୍ୱ ଓ ପରାକ୍ରମର କିଛି ନମୁନା ଦେଖିଲା ବିଶ୍ୱ । ମଝି ଆକାଶରେ ନୌସେନାର ଯବାନ ଦେଖାଇଥିଲେ ଡେୟାର୍ ଡେଭିଲ୍ ଷ୍ଟଂଟ୍  । ବୀର ଯବାନ ଆକାଶରେ ମଧ୍ୟ ଅପରାଜେୟ, ଦେଖାଇଛନ୍ତି ଏହାର ନମୁନା  । ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଅଭୂତପୂର୍ବ ପରାକ୍ରମ ଦେଖାଇଥିବାରୁ ପ୍ରତିବର୍ଷ ପରି ଆଜି ବି ଡିସେମ୍ବର ୪କୁ ନୌସେନା ଦିବସ ଭାବେ ପାଳନ କରାଯାଇଛି ଆଉ ଏଥିପାଇଁ ଯବାନ ଦେଖାଇଥିଲେ ଦୁଃସାହସିକ କୌଶଳ  ।

ଦେଖନ୍ତୁ ନୌସେନାର ପୂରା କାହାଣୀ :

– ୧୬୧୩ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ତିଆରି କରେ ଇଣ୍ଡିଆନ୍ ମେରାଇନ୍  ।

– ୧୮୩୦ ମସିହା ପର୍ଯ୍ୟନ୍ତ ବମ୍ବେ ମେରାଇନ୍ ନାଁରେ ଏହା ଚାଲେ  ।

– ୧୯୩୪ ସେପଟେମ୍ବର ୮ରେ ଏହାକୁ ଭାରତୀୟ ନୌସେନାର ନାଁ ଦିଆଯାଏ  ।

– ବିଭାଜନ ପରେ ନୌସେନା ସଂପ୍ରସାରିତ ହୋଇ ୫ମ ସର୍ବବୃହତ୍ ନୌବାହିନୀର ରୂପ ପାଏ  ।

– ଆକାଶରୁ ଭୂମିକୁ ଓ ଭୂମିରୁ ଆକାଶକୁ ଲକ୍ଷ୍ୟ ଭେଦ କରି ପାରୁଥିବା ଅନେକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଭାରତୀୟ ନୌସେନା ନିକଟରେ ରହିଛି  ।

– ଦଶକ ଦଶକ ଧରି ସାମୁଦ୍ରିକ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ନୌସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି  ।

୧୯୭୧ ଡିସେମ୍ବର ୪ ତାରିଖରେ ପାକିସ୍ତାନ ବିରୁଦ୍ଧରେ ଭାରତୀୟ ନୌସେନା କରିଥିଲା ଟ୍ରାଇଡେଂଟ୍ ଅପରେସନ୍  । ଯେଉଁଥିରେ ଯବାନଙ୍କ ବୀରତ୍ୱକୁ ଆଧାର କରି ଭାରତ ଧୁଳି ଚଟାଇଥିଲା ପାକିସ୍ତାନକୁ  । ଆଜି ସେହି ପରାକ୍ରମର ସ୍ମୃତିରେ ପ୍ରତିବର୍ଷ ପରି ନୌବାହିନୀ ପାଳନ କରିଛି ନୌସେନା ଦିବସ  ।