ଓଡ଼ିଶା ଜର୍ସିରେ କମାଲ କଲା ଟିମ୍ ଇଣ୍ଡିଆ!

29

ନେଦରଲାଣ୍ଡରେ ଚମକିଲା ଟିମ୍ ଇଣ୍ଡିଆ । ଚାମ୍ପିୟନ୍ସ ଟ୍ରଫି ହକିରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ମାତ୍ ଦେଇ ଦମଦାର ଅଭିଯାନ ଆରମ୍ଭ କରିଛି ଭାରତ । ଏହି ବିଜୟରେ ପୂରା ଦେଶ ଯେତିକି ଖୁସି ହୋଇଛି, ତା ଠାରୁ ଅଧିକ ଖୁସି ହୋଇଛନ୍ତି ଓଡ଼ିଶାବାସୀ । କାରଣ ପାକିସ୍ତାନକୁ ଗୋଟିଏ ପରେ ଗୋଟିଏ ଗୋଲ ଭାରତ ଦେଉଥିବା ବେଳେ ଛାତିରେ ଥିଲା ଓଡ଼ିଶାର ନାଁ । ଓଡ଼ିଶାର ନାଁ ଥିବା ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ପାକିସ୍ତାନକୁ ୪ଟି ଗୋଲ ଦେବାକୁ ସକ୍ଷମ ହୋଇଥିଲା । ଆଉ ଶେଷ ମିନିଟର ଶେଷ ସେକେଣ୍ଡରେ ହ୍ୱିସିଲ ବାଜିବା କ୍ଷଣି ଖୁସିରେ ଆତ୍ମହରା ହୋଇଯାଇଥିଲେ ଭାରତୀୟ ଖେଳାଳି ।

ପାକିସ୍ତାନକୁ ୪-୦ ଗୋଲରେ ପରାସ୍ତ କରିଥିବା ବେଳେ ଏଥିରେ ହିରୋ ସାଜିଥିଲେ ରମନଦୀପ ସିଂ, ଦିଲପ୍ରୀତ ସିଂ, ମନଦୀପ ସିଂ ଓ ଲଳିତ ଉପାଧ୍ୟାୟ । ପ୍ରତ୍ୟେକ ଖେଳାଳି ଗୋଟିଏ ଲେଖାଏଁ ଗୋଲ କରି ପାକିସ୍ତାନକୁ ଦେଇଥିଲେ ଜବରଦସ୍ତ ଝଟକା । ହାଫ୍ ଟାଇମ ପର୍ଯ୍ୟନ୍ତ ଗୋଟିଏ ଗୋଲ କରିଥିବା ଭାରତ ଶେଷ ୬ ମିନିଟ୍ ମଧ୍ୟରେ ୩ଟି ଗୋଲ ଦେଇ ସହଜ ବିଜୟ ହାସଲ କରିଥିଲା । ପାକିସ୍ତାନ ପକ୍ଷରୁ ଭାରତ ଗୋଲପୋଷ୍ଟ ଉପରେ ଘନ ଘନ ଆକ୍ରମଣ କରିଥିଲେ ମଧ୍ୟ ଭାରତ ପାଇଁ ସଙ୍କଟମୋଚକ ସାଜିଥିଲେ ପିଆର ଶ୍ରୀଜେସ ।

ଗୋଟିଏ ପଟେ ଭାରତର ଏହି ବିଜୟରେ ଓଡ଼ିଶାବାସୀ ବେଶ୍ ଖୁସି ଥିବା ବେଳେ ହକିକୁ ଜାତୀୟ କ୍ରୀଡ଼ା ମାନ୍ୟତା ଦେବାକୁ ମଧ୍ୟ ଜୋର ଦାବି ଉଠିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି ଉଠାଇବା ପରେ ଜାତୀୟ ଗଣମାଧ୍ୟମ ମଧ୍ୟ ହକିକୁ ହକ୍ ଦେବାକୁ ଅଣ୍ଟା ଭିଡ଼ିଛି ।