ବିଗ୍ ବିଙ୍କୁ ଘାରିଲା ହକି ଫିଭର ! କେବିସି ମଞ୍ଚରୁ ଅମିତାଭ ଓ ସଚିନ ଭାରତୀୟ ହକି ଟିମକୁ ଜଣାଇଲେ ଶୁଭେଚ୍ଛା

111

କନକ ବ୍ୟୁରୋ : ଓଡିଶା ସମେତ ଏବେ ପୂରା ଦେଶରେ ହକି ଫିଭର । ନଭେମ୍ବର ୨୮ରୁ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପକୁ ଚାହିଁ ବସିଛନ୍ତି ହକି ପ୍ରେମୀ । ଏପରିକି ଏହି ଟୁର୍ଣ୍ଣାମେଣ୍ଟକୁ ବିଶ୍ୱରେ ସମସ୍ତ ହକି ପ୍ରେମୀଙ୍କ ପାଖରେ ପହଞ୍ଚାଇବା ପାଇଁ ଜୋରଦାର କ୍ୟାମ୍ପେନ କରାଯାଉଛି । ଆଉ ଏସବୁ ଭିତରେ ହକି ବିଶ୍ୱକପକୁ ପ୍ରମୋଟ କରିବାକୁ ଅଣ୍ଟା ଭିଡିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ ।


ଜାତୀୟ ଟେଲିଭିଜନରେ ପ୍ରସାରିତ ହେଉଥିବା ଲୋକପ୍ରିୟ କେବିସି ସୋ’ରେ ହକି ବିଶ୍ୱକପକୁ ସଫଳ କରିବାକୁ କ୍ୟାମ୍ପେନ କରିଛନ୍ତି ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ । କେବିସି ସୋ’ରେ ଭାରତୀୟ ହକି ଟିମର ସଦସ୍ୟଙ୍କ ସହ ହକି ବିଶ୍ୱକପକୁ ନେଇ ଆଲୋଚନା କରିଛନ୍ତି ବିଗ୍ ବି । ଭାରତୀୟ ହକି ଟିମ୍ ଯେତେବେଳେ ପୁଣିଥରେ ବିଶ୍ୱର ଶ୍ରେଷ୍ଠ ୫ଟି ଦଳରେ ସ୍ଥାନ ପାଇଛି ସେତେବେଳେ ଦେଶବାସୀ ଏହି ସଫଳତାକୁ ନେଇ ଗର୍ବ ଅନୁଭବ କରୁଛନ୍ତି ବୋଲି ସେ କହିଛନ୍ତି । ଏହି ସୋ’ରେ ହକି ପ୍ରତି ଓଡିଶାବାସୀଙ୍କ ଭଲପାଇବା କଥା କହିବାକୁ ଭୁଲିନାହାନ୍ତି ଅମିତାଭ । ଏହାସହ ହକି ବିଶ୍ୱକପ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ଅମିତାଭ । ଭୁବନେଶ୍ୱରରେ ଟିମ୍ ଇଣ୍ଡିଆ ପୁଣିଥରେ ଦମଦାର ପ୍ରର୍ଦଶନ କରିବା ସହ ଇତିହାସ ରଚିବ ବୋଲି ସେ ଆଶା ବାନ୍ଧିଛନ୍ତି ।


୫୦ ସେକେଣ୍ଡର ଏହି ପ୍ରମୋ ଭିଡିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଓଡିଶାରେ ହକି ଖେଳ ବେଶ ଲୋକପ୍ରିୟ । ଖାସକରି ଆଦିବାସୀ ଅଧୁଷିତ ଅଞ୍ଚଳରେ ଏହି ଖେଳ ବେଶ ଲୋକପ୍ରିୟ । ଆଉ ଏବେ ଅଧିକାଂଶ ଯୁବକ ଓ ଯୁବତୀ ହକି ଖେଳିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ନବୀନ କହିଛନ୍ତି । ଏହାସହ ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପରେ ସମସ୍ତଙ୍କୁ ଯୋଗ ଦେବାକୁ ଆହ୍ୱାନ ଦେବା ସହ ଭାରତର ବିଜୟ ପାଇଁ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୁହନ୍ତି ବରଂ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ମଧ୍ୟ ହକି ବିଶ୍ୱକପ ପାଇଁ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ହକି ବିଶ୍ୱକପକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା ନବୀନ ଯେଉଁ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛନ୍ତି ତାହା ବେଶ ପ୍ରଂଶସାଯୋଗ୍ୟ । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ହକି ବିଶ୍ୱକପକୁ ନେଇ ଜୋରଦାର କ୍ୟାମ୍ପେନ କରାଯାଉଛି । ଯାହାକୁ ବେଶ ପସନ୍ଦ କରିଛନ୍ତି ହକି ପ୍ରେମୀ । ଆଉ ଏସବୁ ଭିତରେ ହକି ବିଶ୍ୱକପ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଆଉ ହକି ପ୍ରେମୀ ନଭେମ୍ବର ୨୮କୁ ଅପେକ୍ଷା କରି ରହିଛନ୍ତି ।