ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌: ନେଦରଲ୍ୟାଣ୍ଡସକୁ ୫-୨ ଗୋଲରେ ହରାଇଲା ଟିମ୍ ଇଣ୍ଡିଆ, କମ୍ପିଲା କଳିଙ୍ଗ ଷ୍ଟାଡିୟମ୍ ।

85

କନକ ବ୍ୟୁରୋ : ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ର ଦ୍ୱିତୀୟ ସଂସ୍କରଣରେ ଅନୁଷ୍ଠିତ ଶନିବାର ମ୍ୟାଚ୍‌ରେ ଭାରତ ୫-୨ ଗୋଲରେ ନେଦରଲ୍ୟାଣ୍ଡସକୁ ପରାସ୍ତ କରିଛି । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ (ବିଶ୍ୱ ମାନ୍ୟତାରେ ପଞ୍ଚମ ସ୍ଥାନ) ଦମ୍‌ଦାର ପ୍ରଦର୍ଶନ କରି ନେଦରଲ୍ୟାଣ୍ଡସ (ବିଶ୍ୱ ମାନ୍ୟତାରେ ତୃତୀୟ ସ୍ଥାନ)କୁ ହରାଇ ଦେଇଛି ।

ଭାରତ ତରଫରୁ ଗୁରଜନ୍ତ ସିଂ ପ୍ରଥମ ମିନିଟରେ ନେଦରଲ୍ୟାଣ୍ଡସକୁ ଗୋଲ ଦେଇଥିଲେ । ଖେଳର ୧୨ ମିନିଟରେ ରୁପିନ୍ଦର ସିଂହ ଦଳ ପକ୍ଷରୁ ୨ୟ ଗୋଲ ଦେଇଥିବା ବେଳେ ସେ ୪୬ ମିନିଟରେ ଆଉ ଏକ ଗୋଲ ଦେଇଥିଲେ । ନେଦରଲ୍ୟାଣ୍ଡସ ନିଜର ପ୍ରଥମ ଗୋଲ ୧୪ ମିନିଟରେ ଦେଇଥିଲା । ଏହି ଗୋଲ ଜିପ୍‌ ଜନସିନଙ୍କ ଦ୍ୱାରା କରାଯାଇଥିଲା । ମନଦୀପ ସିଂହ ୩୪ ମିନିଟରେ ଓ ଲଲିତ ଉପାଧ୍ୟାୟ ୩୬ ମିନିଟରେ ଗୋଲ ଦେଇଥିଲେ । ନେଦରଲାଣ୍ଡ ପାଇଁ ଜେରୋଇନ ହରତଜବର୍ଗ ୨୪ ମିନିଟରେ ଗୋଲ ଦେଇଥିଲେ । ଭାରତୀୟଙ୍କ ପ୍ରଭାବଶାଳୀ ପ୍ରଦର୍ଶନରେ ଷ୍ଟାଡିୟମର ଗ୍ୟାଲୋରୀରେ ବସିଥିବା ଦର୍ଶକମାନେ ଉତ୍ସାହ ଦେଖାଯାଇଥିଲେ ।

ପାଖାପାଖି ୬ ମାସ ଧରି ଆୟୋଜିତ ଏହି ପ୍ରତିଯୋଗିତାରେ ୯ଟି ଦଳ ଭାଗ ନେଉଥିଲା ବେଳେ ପ୍ରତ୍ୟେକ ଦଳ ନିଜ ନିଜ ମଧ୍ୟରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିବେ। ପ୍ରତି ଦଳ ଲିଗ୍‌ ପର୍ଯ୍ୟାୟରେ ୧୬ ଲେଖାଏଁ ମ୍ୟାଚ୍‌ ଖେଳିବେ । ଘରେ ୮ ଏବଂ ସମାନ ସଂଖ୍ୟକ ମ୍ୟାଚ୍‌ ବାହାରେ ଖେଳିବେ । ଶ୍ରେଷ୍ଠ ୪ ଦଳ ଟ୍ରଫି ମୁକାବିଲା ଦୌଡ଼ରେ ରହିବେ । ଏହି ପ୍ରତିଯୋଗିତାରେ ଭାରତ ପ୍ରଥମ ଥର ଲାଗି ଖେଳିଛି ।