ବାଲାକୋଟରେ ପୁଣି ସକ୍ରିୟ ହେଲା ଆତଙ୍କୀ କ୍ୟାମ୍ପ : ଭାରତ ଭିତରକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି ୧୨୯ ଜଣ ଆତଙ୍କବାଦୀ 

387

କନକ ବ୍ୟୁରୋ : ବାଲାକୋଟରେ ପୁଣି ସକ୍ରିୟ ହେଉଛି ଆତଙ୍କୀ କ୍ୟାମ୍ପ । ପାକିସ୍ତାନର ବାଲାକୋଟରେ ପଶି  ଭାରତୀୟ ବାୟୁସେନା ଜୈଶ-ଇ-ମହମ୍ମଦର ଆତଙ୍କୀ ଶିବିରକୁ ଧ୍ଵଂସ କରିଥିଲା, ସେଠାରେ ପୁଣି ଥରେ ଆତଙ୍କୀ ଗତିବିଧି ଦେଖିବାକୁ ମିଳିଛି। ଏୟାର ଷ୍ଟ୍ରାଇକ୍ର ୭ ମାସ ପରେ ଏବେ ପୁଣି ଥରେ ଆତଙ୍କବାଦୀ ସକ୍ରିୟ ହେବାରେ ଲାଗିଛନ୍ତି ।  ଆତଙ୍କୀ ଶିବିରରେ ପୁଣି ଥରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେବା ଓ ଭାରତ ବିରୋଧରେ ହମଲା ପାଇଁ ପ୍ରସ୍ତୁତି କରାଯାଉଛି।

ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ପାଇଁ ସେମାନଙ୍କୁ ତାଲିମ୍ ଦିଆଯାଉଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି । ଏଠାରେ ୪୦ ଆତଙ୍କବାଦୀକୁ ପ୍ରଶିକ୍ଷଣ ଦିଆଯାଉଛି । ପ୍ରଶିକ୍ଷଣ ନେଉଥିବା ଆତଙ୍କୀମାନେ କେବଳ ଭାରତ ନୁହଁ ଦୁନିଆର ଅନେକ ଦେଶରେ ଆକ୍ରମଣ କରିବେ ବୋଲି ସୂଚନା ମିଳିଛି । ତାଲିମ୍ ଶେଷ ହେବା ପରେ ସେମାନଙ୍କୁ ପାକିସ୍ତାନ ଲଞ୍ଚପ୍ୟାଡରୁ ଭାରତରେ ଅନୁପ୍ରବେଶ ଲାଗି ଷଡ଼ଯନ୍ତ୍ର କରାଯାଇଛି।

ସୂଚନାଯୋଗ୍ୟ ଫେବୃଆରୀ ୧୪ରେ ପୁଲଓ୍ଵାମାରେ ସିଆରପିଏଫ ଉପରେ ଜୈସ ଆତଙ୍କୀ ଆତ୍ମଘାତୀ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ । ଲୋକସଭା ନିର୍ବାଚନର ଠିକ ପୂର୍ବରୁ ଏହି ଆତଙ୍କବାଦୀ ଆକ୍ରମଣ ମୋଦି ସରକାରଙ୍କ ପାଇଁ ଚ୍ୟାଲେଞ୍ଜର ବିଷୟ ଥିଲା । ଏହି ଘଟଣାକୁ ନେଇ ସମଗ୍ର ଦେଶରେ ଆକ୍ରୋଶର ମାହୋଲ ମଧ୍ୟ ସୃଷ୍ଟି ହୋଇଥିଲା । ହେଲେ ଆକ୍ରମଣର ୧୨ ଦିନ ପରେ ଅର୍ଥାତ ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ପଶି ଆତଙ୍କୀ କ୍ୟାମ୍ପ ଗୁଡ଼ିକ ଧ୍ୱଂସ କରିଦେଇଥିଲେ ।