ତେଲକୁ ନେଇ ଚିନ୍ତାରେ ସରକାର ! ଗୋଟିଏ ପଟେ ଇରାନ ଶସ୍ତାରେ ତେଲ ଦେଉଥିବା ବେଳେ ସେଠାରୁ ତେଲ ନଆଣିବାକୁ ଭାରତକୁ ମନା କଲା ଆମେରିକା ।

25

ତେଲକୁ ନେଇ ଭାରତ ସରକାର ଅକଳରେ ପଡ଼ିଯାଇଛନ୍ତି । ଗୋଟିଏ ପଟେ ଇରାନରୁ ଶସ୍ତାରେ ତେଲ ମିଳିଯାଉଛି । ତେଣୁ ତାହାର ହାତ ଛାଡ଼ିବାକୁ ସରକାର ଚାହୁଁନାହାନ୍ତି । ଅନ୍ୟପଟେ ଇରାନରୁ ତେଲ ନକିଣିବାକୁ ଯୁକ୍ତରାଷ୍ଟ୍ର ଆମେରିକା ଚାପ ପକାଉଛି । କାହା ହାତ ଧରିବେ ଓ କାହାର ଛାଡ଼ିବେ ? ସରକାର ଏହି ନିଷ୍ପତ୍ତି ନେଇପାରୁନାହାନ୍ତି । ଭାରତ ଏହାର ତୃତୀୟ ସର୍ବାଧିକ ତେଲ ଇରାନରୁ କିଣୁଛି । ଇରାନରୁ ତେଲ ଆଣିଲେ ପରିବହନ ଖର୍ଚ କମ୍ ରହୁଛି । ଅନ୍ୟ ଦେଶଗୁଡ଼ିକ ତୁଳନାରେ ତେଲ ଦର ଶସ୍ତା ମଧ୍ୟ ରହୁଛି । ପେମେଣ୍ଟ୍ ବେଳେ ମଧ୍ୟ ଇରାନ ଅଧିକ ଦିନ ଅପେକ୍ଷା କରୁଛି । ଏତେ ସବୁ ସୁବିଧା ଭାରତକୁ ଅନ୍ୟ କୌଣସି ଦେଶ ଦେଉନାହାନ୍ତି । ଆମେରିକା ଚାପରେ ଯଦି ଇରାନର ହାତକୁ ଭାରତ ଛାଡ଼ି ଦେବ ତେବେ ଏହି ସବୁ ସୁବିଧା ହାତ ଛଡ଼ା କରିବ । ଭାରତ ତାହା ଚାହୁଁନାହିଁ । ଇରାନ ସହ ବନ୍ଧୁତା ବଢ଼ାଇବା ପାଇଁ ଯଦି ଆମେରିକା ସହିତ ଶତ୍ରୁତା କରିବ ତେବେ ଭାରତକୁ ଅନେକ ମୂଲ୍ୟ ଦେବାକୁ ପଡ଼ିବ । ଆମେରିକା କଥା ନମାନିଲେ ବିଦେଶୀ ମୁଦ୍ରା ହରାଇବାକୁ ପଡ଼ିବ ।

ଇରାନ ଉପରେ ପ୍ରତିବନ୍ଧକ ଲଗାଇ ଆମେରିକା ଏହାର ତେଲ ବଜାରକୁ ଏସିଆରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି । ବିଶେଷ କରି ଚୀନ୍ ଓ ଭାରତୀୟ ବଜାରକୁ ଏହା ହାସଲ କରିବାକୁ ଚାହୁଁଛି । କିଛି ମାସ ହେଲାଣି ଭାରତ ପକ୍ଷରୁ ଆମେରିକା ଠାରୁ ଅଧିକ ତେଲ କିଣାଯାଉଛି । ମେ’ରେ ଆମେରିକାରୁ ଭାରତ ୪.୭୨ ନିୟୁତ ବ୍ୟାରେଲ୍ ତେଲ ଆମଦାନି କରିଛି । ପୂର୍ବ ମାସ ତୁଳନାରେ ଏହି ଆମଦାନି ୮୦୦% ବୃଦ୍ଧି ହୋଇଛି । ଆମେରିକାରୁ ତେଲ ଆଣିବାରେ ରହିଥିବା ବଡ଼ ଅସୁବିଧା ହେଉଛି, ଭାରତ କେବଳ ଗୋଟିଏ ବନ୍ଦର ଜରିଆରେ ସେଠାରୁ ତେଲ ଆଣୁଛି । ଅନ୍ୟ ଯେଉଁ ସବୁ ବନ୍ଦର ଜରିଆରେ ତେଲ ଆମଦାନି କରିବାର ସମ୍ଭାବନା ରହିଛି ସେଠାରେ ସମ୍ପ୍ରସାରଣ କାମ ଜାରି ରହିଛି । ୨୦୨୦ ସୁଦ୍ଧା ସେହି କାମ ଶେଷ ହେବାର ବହୁତ କମ୍ ସମ୍ଭାବନା ରହିଛି । ସେହି ସମୟ ପର୍ୟ୍ୟନ୍ତ କେଉଁ ବିକଳ୍ପ ଗ୍ରହଣ କରାଯିବ ସେ ନିଷ୍ପତ୍ତି ଭାରତ ନେଇପାରୁନାହିଁ । ନଭେମ୍ବର ସୁଦ୍ଧା ଇରାନରୁ ତେଲ ଆମଦାନି ବନ୍ଦ କରିବାକୁ ଆମେରିକା ସବୁ ରାଷ୍ଟ୍ରଙ୍କୁ କହିଛି । ଏନେଇ ଆମେରିକାର ଏକ ପ୍ରତିନିଧି ଦଳ ଗତକାଲି ଭାରତ ସରକାରଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ । ଭାରତ ଭଳି ମୂଲ୍ୟବାନ ଗ୍ରାହକକୁ ଇରାନ ଛାଡ଼ିବାକୁ ଚାହୁଁନାହିଁ । ସେଥିପାଇଁ ଇରାନର ପ୍ରତିନିଧି ମଧ୍ୟ ଭାରତ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ଇରାନ ନା ଆମେରିକା । କାହାକୁ ସନ୍ତୁଷ୍ଟ କରିବେ ଓ କାହାକୁ ଅସନ୍ତୁଷ, ସେ ନିଷ୍ପତ୍ତି ସରକାର ନେଇପାରୁନାହାନ୍ତି ।