ଏଣିକି ରାଜପଥରେ ଓହ୍ଲାଇବ ଯୁଦ୍ଧ ବିମାନ !

33

ଦେଶର ବିଭନ୍ନ ସ୍ଥାନକୁ ସହଜରେ ସୈନ୍ୟ ଏବଂ ଉଦ୍ଧାରକାରୀ ଦଳକୁ ପଠାଇବା ଲାଗି ସରକାର ଜାତୀୟ ରାଜପଥ ଗୁଡ଼ିକରେ ଏୟାରଷ୍ଟ୍ରିପ୍‌ ନିର୍ମାଣ କରିବେ । ଦେଶର ୧୨ଟି ଜାତୀୟ ରାଜପଥରେ ଏଭଳି ଜରୁରିକାଳୀନ ବିମାନ ଅବତରଣ ସୁବିଧା ନିର୍ମାଣ ହେବ । ଏଥିପାଇଁ ରାଜପଥ ଗୁଡ଼ିକୁ ଚଉଡ଼ା ମଧ୍ୟ କରାଯିବ । ସେଥିରେ ଯୁଦ୍ଧ ବିମାନ ଏବଂ ଅନ୍ୟ ବିମାନ ଓହ୍ଲାଇ ପାରିବ । ଯଦିଓ ଦେଶର ୨୧ଟି ଜାତୀୟ ରାଜପଥରେ ଏୟାରଷ୍ଟ୍ରିପ୍‌ ନିର୍ମାଣ ଯୋଜନା ରହିଥିଲା ପ୍ରାରମ୍ଭିକ ପର୍ଯ୍ୟାୟରେ ୧୨ଟି ରାଜପଥରେ ଏୟାରଷ୍ଟ୍ରିପ୍‌ ନିର୍ମାଣକୁ ସବୁଜ ସଙ୍କେତ ଦିଆଯାଇଛି । ଏଥିରେ ୩ଟି ରାଜପଥ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ସହ ସଂଯୋଗ ସ୍ଥାପନ କରୁଛି । ବିଶେଷତଃ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଏହି ରାଜପଥ ଗୁଡ଼ିକ ରହିଛି । ସେତିକି ନୁହେଁ ଏହି ଅଞ୍ଚଳ ଗୁଡ଼ିକ ବନ୍ୟା ଏବଂ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା ମଧ୍ୟ ବାରମ୍ବାର କରିଆସୁଛି ।

ଜଣେ ବରିଷ୍ଠ ସରକାରୀ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ଏହି ସୂଚନା ଦେଇଛନ୍ତି । ମୋଟ ୨୧ଟି ରାଜପଥ ମଧ୍ୟରୁ ୧୨ଟି ରାଜପଥରେ ଏୟାରଷ୍ଟ୍ରିପ୍‌ ନିର୍ମାଣକୁ ଭାରତୀୟ ବାୟୁସେନା (ଆଇଏଏଫ୍‌) ମଞ୍ଜୁରି ଦେଇଛି । ତେବେ ଅବଶିଷ୍ଟ ଜାତୀୟ ରାଜପଥରେ ଏୟାରଷ୍ଟ୍ରିପ୍‌ ନିର୍ମାଣ ପାଇଁ ଆଲୋଚନା ଚାଲିଛି । ବାୟୁସେନା ଦ୍ୱାରା ସେସବୁ ଜାତୀୟ ରାଜପଥରେ ଏୟାରଷ୍ଟ୍ରିପ୍‌ ନିର୍ମାଣକୁ ମଧ୍ୟ ମଞ୍ଜୁରି ମିଳିପାରେ ବୋଲି ଅଧିକାରୀ ଜଣକ କହିଛନ୍ତି । ଯେଉଁ ୧୨ଟି ଜାତୀୟ ରାଜପଥରେ ଏୟାରଷ୍ଟ୍ରିପ୍‌ ନିର୍ମାଣକୁ ମଞ୍ଜୁରି ଦିଆଯାଇଛି ସେଗୁଡ଼ିକ ମଧ୍ୟରେ ରହିଛି ଜାମସେଦ୍‌ପୁର-ବାଲେଶ୍ୱର, ଛତ୍ରପୁର-ଦୀଘା ଏବଂ ଖଡ଼ଗପୁର-କେନ୍ଦୁଝର ରାଜପଥ । ଏତଦ୍‌ ବ୍ୟତୀତ ବିହାରର କିଷାନଗଞ୍ଜ-ଇସ୍‌ଲାମ୍‌ପୁର, ଦିଲ୍ଲୀ-ମୋରଦାବାଦ, ଜମ୍ମୁକଶ୍ମୀରର ବିଜବେହରା-ଚିନାରବାଗ, ଉତ୍ତରାଖଣ୍ଡର ରାମପୁର-କାଥଗୋଡାମ୍‌, ଉତ୍ତର ପ୍ରଦେଶର ଲକ୍ଷ୍ନୌ-ବାରାଣସୀ,ଗୁଜରାଟର ଦ୍ୱାରକା-ମାଲ୍ୟା ଏବଂ ମୋହନବାଡ଼ି-ତିନସୁକିଆ ଜାତୀୟ ରାଜପଥ ମଧ୍ୟ ମଞ୍ଜୁରି ପାଇଛି ।

ଆନ୍ଧ୍ର ପ୍ରଦେଶର ବିଜୟଓ୍ଵାଡ଼ା-ରାଜମୁଣ୍ଡ୍ରି, ଚେନ୍ନାଇ-ପୁଡ଼ୁଚୋରି ଆଦି ରାଜପଥ ମଧ୍ୟ ରହିଛି । ଜାତୀୟ ରାଜପଥ ଗୁଡ଼ିକୁ ଏଭଳି ଚୟନ କରାଯାଇଛି ଯେ, ଜାତୀୟ ବିପର୍ଯ୍ୟୟ ସମୟରେ ଦେଶର ସବୁ ସ୍ଥାନରେ ସେନା ପହଞ୍ଚି ସେବା ଯୋଗାଇ ପାରିବ । ତେବେ ଏହି ପ୍ରକଳ୍ପ ଗୁଡ଼ିକ ସମ୍ପର୍କରେ ବାୟୁସେନା ପକ୍ଷରୁ କୌଣସି ମତାମତ ଦିଆଯାଇନାହିଁ । ସେହିଭଳି ଜରୁରିକାଳୀନ ପରିସ୍ଥିତିରେ ଯଦି ଜାତୀୟ ରାଜପଥକୁ ଏୟାରଷ୍ଟ୍ରିପ୍‌ ଭାବେ ବ୍ୟବହାର କରାଯାଏ ତାହେଲେ ସେଗୁଡ଼ିକରେ କି ପ୍ରକାର ସୁବିଧା ରହିବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ବିମାନ ଅବତରଣ କରିବାକୁ ହେଲେ ପିଚୁ ରାସ୍ତାକୁ ଅଧିକ ସୁଦୃଢ଼ କରିବାକୁ ହେବ । ସ୍ୱାଭାବିକ ସମୟରେ ଜାତୀୟ ରାଜପଥ ଗୁଡ଼ିକ ଜନସାଧାରଣଙ୍କ ଯାତାୟାତ ପାଇଁ ଖୋଲା ରହିବ । କିନ୍ତୁ କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ବିମାନ ଅବତରଣ ପାଇଁ ସେଗୁଡ଼ିକୁ ଜନସାଧାରଣଙ୍କ ଯାତାୟାତ ନିମନ୍ତେ ବନ୍ଦ ରଖାଯିବ । ଜନସାଧାରଣଙ୍କ ଯାତାୟାତ ଲାଗି ବିକଳ୍ପ ରାସ୍ତା ପ୍ରସ୍ତୁତ ରଖାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି ।

ସଡ଼କ, ପରିବହନ, ଜାତୀୟ ରାଜପଥ ଏବଂ ଜାହାଜ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏହି କାର୍ଯ୍ୟ ପାଇଁ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)କୁ ଚୟନ କରାଯାଇଛି । ପ୍ରଥମେ ଏନ୍‌ଏଚ୍‌ଏଆଇକୁ ୧୭ଟି ରାଜପଥର ବିକାଶ ଲାଗି କୁହାଯାଇଥିଲା । କିନ୍ତୁ ସର୍ଭେ ପରେ ଜଣାପଡ଼ିଲା ଯେ ୧୨ଟି ରାଜପଥରେ ଏୟାରଷ୍ଟ୍ରିପ ନିର୍ମାଣ ସମ୍ଭବ ହେବ । ଏଥିପାଇଁ ବିଓକ୍ୟୁ (ବିଲ୍‌ ଅଫ୍‌ କ୍ୱାଣ୍ଟିଟିଜ୍‌) ପ୍ରସ୍ତୁତ ହୋଇସାରିଛି । କାର୍ଯ୍ୟ ଆରମ୍ଭ ପାଇଁ ମଞ୍ଜୁରିକୁ ଅପେକ୍ଷା କରାଯାଇଛି ବୋଲି ଏନଏଚଏଆଇ ଅଧ୍ୟକ୍ଷ ଦୀପକ କୁମାର କହିଛନ୍ତି । ଆସନ୍ତା ୩ରୁ ୪ ମାସ ମଧ୍ୟରେ ଏହି କାମ ଆରମ୍ଭ ହୋଇପାରେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ୨୦୧୬ରେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଥିଲେ । ଏୟାରଷ୍ଟ୍ରିପ୍‌ ନିର୍ମାଣ ପାଇଁ କେଉଁ ରାଜପଥ ଗୁଡ଼ିକୁ ଚଉଡ଼ା କରାଯିବ ସେ ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରିଥିଲେ । ଏହି କମିଟି ରାଜପଥରେ ଏୟାରଷ୍ଟ୍ରିପ ନିର୍ମାଣ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଅନୁଧ୍ୟାନ କରିବ ।