ଚାଇନାରେ ଛପା ହେଉଛି ଭାରତୀୟ ନୋଟ! ଚୀନ ଗଣମାଧ୍ୟମର ଖୁଲାସା ପରେ ସରକାରଙ୍କୁ ଘେରିଲେ ବିରୋଧୀ

84

ଭାରତୀୟ ନୋଟ ଚୀନରେ ଛପାଯାଉଛି କି ? ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଆଶ୍ଚର୍ଯ୍ୟ କରିଛି । ଚୀନର ଗଣମାଧ୍ୟମ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁଯାୟୀ, ଭାରତରେ ବ୍ୟବହାର ହେଉଥିବା ନୋଟ ଚୀନରେ ଛପାଯାଉଛି । ଆଉ ଏଭଳି ଦାବି ପରେ ଭାରତୀୟ ରାଜନୈତିକ ମହଲରେ ଝଡ ସୃଷ୍ଟି ହୋଇଛି । କଂଗ୍ରେସ ନେତା ଶଶୀ ଥରୁର ଏହି ଘଟଣାକୁ ସମ୍ବେଦନଶୀଳ କହିବା ସହ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛି । ତେବେ ଏନେଇ ଚୀନ ସରକାର କିମ୍ବା ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଭାରତ ସମେତ ନେପାଳ, ବାଂଲାଦେଶ, ମାଲେସିଆ, ଥାଇଲାଣ୍ଡ ଭଳି କିଛି ଦେଶର କରେନ୍ସି ବା ନୋଟ ଚୀନ ସ୍ଥିତ ପ୍ରିଣ୍ଟିଂ ପ୍ରେସରେ ଛପାଯାଉଛି । ତେବେ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ଏଭଳି ଦାବି ପରେ କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି, ଏହା ଭାରତୀୟ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ । ତେଣୁ ଏ ବାବଦରେ ସରକାର ସ୍ପଷ୍ଟୀକରଣ ଦେବା ଆବଶ୍ୟକ । କାରଣ ଏହାଦ୍ୱାରା ଭାରତର ନୋଟ ଗୁଡିକୁ ବେଶ ସହଜରେ ପାକିସ୍ତାନ ନକଲ କରିପାରିବ ।

ତେବେ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ପ୍ରକାଶ ପାଇବା ପରେ ରିଜର୍ଭ ବ୍ୟାଙ୍କ ଏହାକୁ ଖାରଜ କରିଛି । ଆରବିଆଇ କହିଛି, ଚୀନ ମିଡିଆରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ଭାବେ ଭୁଲ । ଭାରତର କରେନ୍ସି କେବଳ ଭାରତରେ ହିଁ ଛପା ଯାଇଥାଏ ବୋଲି ସ୍ପଷ୍ଟ କରିଛି ଆରବିଆଇ । ତେବେ ଏହାର ପ୍ରମାଣ ଦେବାକୁ ଯାଇ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ବ୍ୟାଙ୍କ ନୋଟ ପ୍ରିଣ୍ଟିଂ ଆଣ୍ଡ ମିଟିଂ କର୍ପୋରେସନର ଅଧ୍ୟକ୍ଷ ଲିୟୁ ଗୁଶେଙ୍ଗ ମେ ମାସରେ ଇଣ୍ଟରଭ୍ୟୁରେ ଦେଇଥିବା ବୟାନ ଜାରି କରିଛି । ଇଣ୍ଟରଭ୍ୟୁରେ ଗୁଶେଙ୍ଗ କହିଥିଲେ କି, ୨୦୧୩ ମସିହାରେ ଚୀନରେ ବିଦେଶୀ ନୋଟ ଛାପିବା ଆରମ୍ଭ ହୋଇଥିଲା । ପ୍ରଥମେ ନେପାଳର କରେନ୍ସି ଛପା ଯାଇଥିଲା । ଏବେ ଭାରତ,ବାଂଲାଦେଶ, ଶ୍ରୀଲଙ୍କା, ମାଲେସିଆ, ଥାଇଲାଣ୍ଡ, ବ୍ରାଜିଲ ଓ ପୋଲାଣ୍ଡ ସମେତ ଅନ୍ୟ କିଛି ଦେଶ ଗୁଡିକର ମଧ୍ୟ ନୋଟ ଛପାଯାଉଛି ।