ଭାରତର ନୋଟ୍ ଏବଂ ଏଥିରେ ଥିବା ସାମଞ୍ଜସ୍ୟ କ’ଣ ଜାଣିଛନ୍ତି କି ? ବିଭିନ୍ନ ରଙ୍ଗ ସାଙ୍ଗକୁ ରହିଛି ଐତିହ୍ୟର ଛାପ ।

174

ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁବାର ୧୦୦ ଟଙ୍କାର ନୂଆ ନୋଟର ଫଟୋ ଜାରି କରିଛି । ଆସନ୍ତା ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ଏହାର ପ୍ରଚଳନ ଆରମ୍ଭ କରିବ ଆରବିଆଇ । ବାଇଗଣୀ ରଙ୍ଗର ଏହି ନୂଆ ନୋଟ ବଜାରକୁ ଆସିବା ପାଇଁ ଆହୁରି କିଛି ଦିନ ବାକି ରହିଛି । ତେବେ ଏହି ନୂତନ ୧୦୦ ଟଙ୍କିଆ ନୋଟରେ ଇତିହାସର ଛାପ ଦେଖିବାକୁ ମିଳିଛି । ଏହି ନୋଟରେ ଗୁଜରାଟ ରାଣୀଙ୍କ ବାବଡୀର ଫଟୋ ରହିଅଛି । ବାସ୍ତୁକଳାର ନମୁନା ମନେ କରାଯାଉଥିବା ରାଣୀଙ୍କ ବାବଡୀକୁ ଦୁନିଆ କୋଣ ଅନୁକୋଣରୁ ପର୍ଯ୍ୟଟକ ମାନେ ଦେଖିବାକୁ ଆସନ୍ତି । ତେବେ ଭାରତୀୟ ନୋଟରେ ଏଭଳି ଐତିହ୍ୟ ଭରା ଛାପ ଦେଖିବା କିଛି ନୁଆ କଥା ନୁହଁ ଏହା ପୂର୍ବରୁ ବାହାରିଥିବା ୧୦,୫୦,୨୦୦,୫୦୦ ଏବଂ ୨୦୦୦ ଟଙ୍କିଆ ନୋଟରେ ମଧ୍ୟ ଇତିହାସର ଛାପ ଦେଖିବାକୁ ମିଳିଥିଲା । ତେବେ ଆସନ୍ତୁ କେଉଁ ନୋଟ ସହ କେଉଁ ସ୍ଥାନର ସାମଞ୍ଜସ୍ୟ ରହିଛି ଆଜି ଜାଣିବା ।

୧୦ ଟଙ୍କିଆ ନୋଟ୍ : ଭାରତର ନୂତନ ୧୦ ଟଙ୍କିଆ ନୋଟ୍ ଚକଲେଟ୍ କଲର୍ ବା ମାଟିଆ ରଙ୍ଗ ହୋଇଥିବା ବେଳେ ଉକ୍ତ ନୋଟରେ ଓଡିଶାର ଗର୍ବଗୌରବ ବିଖ୍ୟାତ କୋଣାର୍କ ସୂର୍ଯ୍ୟମନ୍ଦିରର ସୌନ୍ଦର୍ଯ୍ୟର ରୂପରେଖ ଦେଖିବାକୁ ମିଳେ ।

୫୦ ଟଙ୍କିଆ ନୋଟ୍ : ଆକାଶୀୟା ନୀଳ ରଙ୍ଗର ଦେଖାଯାଉଥିବା ନୂତନ ୫୦ ଟଙ୍କିଆ ନୋଟରେ କର୍ଣ୍ଣାଟକର ପ୍ରସିଦ୍ଧ ତଥା ୟୁନେସ୍କୋରେ ସ୍ଥାନ ପାଇଥିବା ବେଷ୍ଟ୍ ହେରିଟେଜ୍ ମଧ୍ୟରେ ହାମ୍ପି ଚାରିକୋଟର ଚିତ୍ରକଳା ଦେଖିବାକୁ ମିଳେ ।

୧୦୦ ଟଙ୍କିଆ ନୋଟ୍ : ବାଇଗଣୀ ରଙ୍ଗରେ ବଜାରକୁ ଆସିବା ଅପେକ୍ଷାରେ ଥିବା ୧୦୦ ଟଙ୍କିଆ ନୋଟଟି ଗୁଜୁରାଟର ଐତିହ୍ୟକୁ ବର୍ଣ୍ଣନା କରେ । ରାଣୀଙ୍କ ବାବଡୀର ଫଟୋ ଏହି ନୋଟରେ ଦେଖିବାକୁ ମିଳିବ ।

୨୦୦ ଟଙ୍କିଆ ନୋଟ୍ : କମଳା ଏବଂ ହଳଦିଆ ରଙ୍ଗରେ ବଜାରକୁ ଆସିଥିବା ୨୦୦ ଟଙ୍କିଆ ନୋଟରେ ମଧ୍ୟପ୍ରଦେଶର ସାଞ୍ଚି ସ୍ତୁପର ଝଲକ ଦେଖିବାକୁ ମିଳେ ।

୫୦୦ ଟଙ୍କିଆ ନୋଟ୍ : ଗ୍ରେ ତଥା ପାଉଁଷିଆ ରଙ୍ଗରେ ବଜାରକୁ ଆସିଥିବା ୫୦୦ ଟଙ୍କିଆ ନୋଟରେ ମଧ୍ୟ ଐତିହ୍ୟର ଛାପ ଦେଖିବାକୁ ମିଳେ । ଦିଲ୍ଲୀ ଫେମସ୍ ଲାଲକିଲ୍ଲାର ଦୃଶ୍ୟ ଭାରତୀୟ ୫୦୦ ଟଙ୍କିଆ ନୋଟରେ ଦେଖିବାକୁ ମିଳିଥାଏ ।

୨୦୦୦ ଟଙ୍କିଆ ନୋଟ୍ : ନୋଟ୍ ମଧ୍ୟରେ ବଡ ତଥା ଭାରତର ୨୦୦୦ ଟଙ୍କିଆ ନୋଟର ରଙ୍ଗ ଗୋଲାପୀ ରଙ୍ଗର ହୋଇଥିବା ବେଳେ ଏହି ନୋଟରେ ମଙ୍ଗଳଯାନର ଚିତ୍ର ଦେଖିବାକୁ ମିଳେ ।