ସିଗାରେଟ ଜାଲରେ ନାବାଳକ ! ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ, ଦିନକୁ ୬ ଲକ୍ଷ ନାବାଳକ ଟାଣୁଛନ୍ତି ସିଗାରେଟ

72

ଭାରତରେ ତମ୍ବାକୁ ଉତ୍ପାଦ ଉପରେ କଡା ନିୟମ ଲାଗୁ କରାଯାଇଛି । ଏପରିକି ସର୍ବସାଧାରଣରେ ତମ୍ବାକୁ ସେବନ କଲେ ଜରିମାନାର ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ଏସବୁ ନିୟମ ସିଗାରେଟ ପିଉଥିବା ଲୋକଙ୍କ ଉପରେ ଟିକିଏ ବି ପ୍ରଭାବ ପକାଉନାହିଁ । ସବୁଠାରୁ ଉଦବେଗଜନକ କଥା ହେଉଛି, ତମ୍ବାକୁ ସେବନ ଉପରେ ଅନେକ ପ୍ରାବନ୍ଧାନ ଥିଲେ ସୁଦ୍ଧା ଭାରତରେ ପ୍ରତିଦିନ ୬.୨୫ ଲକ୍ଷ ନାବାଳକ ସିଗାରେଟ ସେବନ କରୁଛନ୍ତି । ଗ୍ଲୋବାଲ ତମ୍ବାକୁ ଏଟଲସ ରିପୋର୍ଟ ଅନୁଯାୟୀ, ଯେଉଁ ୬.୨୫ ଲକ୍ଷ ପିଲା ସିଗାରେଟ ପିଉଛନ୍ତି ସେମାନଙ୍କର ବୟସ ୧୦ରୁ ୧୪ ବର୍ଷ ମଧ୍ୟରେ ।

ପ୍ରତିବର୍ଷ ଦେଶରେ ୯,୩୨,୬୦୦ ଲୋକ ସିଗାରେଟ ପିଇବା ଦ୍ୱାରା ହେଉଥିବା ରୋଗ ଯୋଗୁଁ ପ୍ରାଣ ହରାଉଛନ୍ତି । ଏହି ହିସାବକୁ ଦୃଷ୍ଟିରେ ରଖିଲେ ପ୍ରତି ସପ୍ତାହରେ ୧୭,୮୮୭ ଲୋକ ତମ୍ବାକୁ ସେବନ ଦ୍ୱାରା ପ୍ରାଣ ହରାଉଛନ୍ତି । ଏଭଳି ତଥ୍ୟ ଆମେରିକାନ କ୍ୟାନସର ସୋସାଇଟି ପକ୍ଷରୁ ପ୍ରକାଶ ପାଇଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଝିଅ ମାନେ ମଧ୍ୟ ସିଗାରେଟ ଟାଣୁଥିବା ଖବର ଏବେ ଅଧିକରୁ ଅଧିକ ସାମ୍ନାକୁ ଆସୁଛି । ସିଗାରେଟ ଟାଣୁଥିବା ୧୦ରୁ ୧୪ ବର୍ଷ ବୟସର ଯୁବବର୍ଗଙ୍କ ମଧ୍ୟରେ ୪ଲକ୍ଷ ୨୯ ହଜାର ୫୦୦ ଜଣ ଯୁବକ ଥିବା ବେଳେ ୧ ଲକ୍ଷ ୯୫ ହଜାର ୫୦୦ ଜଣ ଯୁବତୀ ରହିଛନ୍ତି । ରିପୋର୍ଟ ଅନୁଯାୟୀ, ୨୦୧୬ ମସିହାରେ ଦେଶରେ ୮୨.୧୨ ବିଲିୟନ ସିଗାରେଟ ବିକ୍ରି ହୋଇଛି । ସବୁଠାରୁ ମଜାଦାର କଥା ହେଲା, ୨୦୧୬ ମସିହାରେ ଭାରତରେ ସିଗାରେଟ ବିକ୍ରି କରି କମ୍ପାନି ୩୪୬ ବିଲିୟନ ଡଲାର ଲାଭ ପାଇଛନ୍ତି । ଯାହା ଭାରତର ଜିଡିପିର ୧୫ ପ୍ରତିଶତ ।