ଭାରତର ଜନସଂଖ୍ୟା କେତେ ? ଜୁନ ୧ରୁ ଆରମ୍ଭ ୨୦୨୧ ଜନଗଣନା

189

କନକ ବ୍ୟୁରୋ : ଭାରତର ଜନସଂଖ୍ୟା କେତେ ? ୨୦୧୧ରେ ଜନଗଣନା ପରେ କେତେ ବଢ଼ିଛନ୍ତି ଭାରତର ଜନସଂଖ୍ୟା । ଏହାର ପ୍ରକୃତ ତଥ୍ୟ ଜାଣିବା ପାଇଁ ଆରମ୍ଭ ହେବ ଜନଗଣନା । ଆସନ୍ତାମାସ ୧ ତାରିଖରୁ ୨୦୨୧ ଜନଗଣନାର ଔପଚାରିକତା ଆରମ୍ଭ ହେବ। ଜନଗଣନା ଡାଟା ଓ ଟ୍ରେଣ୍ଡରୁ ଯେଉଁ ସୂଚନା ଉପଲବ୍ଧ ହେବ ସେଥିରୁ ଯୋଜନା ପ୍ରସ୍ତୁତି ଓ କ୍ରିୟାନ୍ଵୟନ ସଠିକ ରୂପେ ହୋଇପାରିବ ବୋଲି ସରକାର କହିଛନ୍ତି। ୨୦୨୧ର ଜନଗଣନାରୁ କେବଳ ଲୋକସଂଖ୍ୟା ଓ ସାମାଜିକ ତଥ୍ୟ ଜଣାପଡ଼ିବ ତାହା ନୁହେଁ ବରଂ କିଛି ନୂତନ ସୂଚନା ମଧ୍ୟ ମିଳିପାରିବ।

ପ୍ରତି ୧୦ ବର୍ଷରେ ଥରେ ଜଣଗଣନା ହେଉଥିବା ବେଳେ ଶେଷଥର ପାଇଁ ୨୦୧୧ରେ ଏହି ଗଣନା ହୋଇଥିଲା। ସେତେବେଳେ ଦେଶର ଜନସଂଖ୍ୟା ୧୨୧୦୮୫୪୯୭୭ ଥିବା ଜଣାପଡ଼ିଥିଲା। ତେବେ ସମୟ ଓ ଆବଶ୍ୟକତା ଦୃଷ୍ଟିରୁ ଏହି ଜନଗଣନାରେ କିଛି ମାନଦଣ୍ଡର ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି।

ବିଶେଷକରି ଗ୍ରାମାଞ୍ଚଳର ଆର୍ଥିକ ଅବସ୍ଥା, ଚାଷୀମାନଙ୍କର ଅବସ୍ଥାର ବାସ୍ତବରୂପ ଆକଳନ ପାଇଁ ନୂଆ ପଦ୍ଧତିର ବ୍ୟବହାର ହେବ। ଜନଗଣନା ଓ ଜାତୀୟ ନମୁନା ସର୍ଭେରୁ ମିଳୁଥିବା ତଥ୍ୟରୁ ପ୍ରକୃତ ଚିତ୍ର ସାମ୍ନାକୁ ଆସିପାରୁନଥିବା ଅନେକ ସମୟରେ ସମାଲୋଚକମାନେ ମତବ୍ୟକ୍ତ କରିଥାନ୍ତି। ମିଳିଥିବା ଖବର ମୁତାବକ, ଔପଚାରିକତା ଆରମ୍ଭ ହେବା ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାର ଓ ରାଜନୈତିକ ଦଳଙ୍କଠାରୁ ଏନେଇ ମତ ଲୋଡ଼ିବେ। ଉକ୍ତ ମତାମତକୁ ମଧ୍ୟ ଏଥିରେ ସାମିଲ କରାଯିବାକୁ ପ୍ରୟାସ କରାଯିବ ବୋଲି ଜଣାପଡ଼ିଛି।