ଯୁଦ୍ଧର ନୂଆ ରଣନୀତି ପ୍ରସ୍ତୁତ କରୁଛି ଭାରତୀୟ ସେନା ! ରକ୍ଷା ମନ୍ତ୍ରାଳୟକୁ ପଠାଗଲା ପ୍ଲାନ୍,ସଫଳ ହେବାପରେ କରାଯିବ ଲାଗୁ

142

କନକ ବ୍ୟୁରୋ : ଭାରତ ଉପରେ ଦୁଇ ପଡ଼ୋଶୀ ଦେଶ ପାକିସ୍ତାନ ଓ ଚୀନର ତୀକ୍ଷ୍ଣ ନଜର । ଗୋଟିଏ ପଟେ ପାକିସ୍ତାନ ସବୁବେଳେ ଅନୁପ୍ରବେଶ ଉଦ୍ୟମ କରିବା ସହ ଅସ୍ତ୍ରବିରତି ଉଲଂଘନ କରୁଛି । ଅନ୍ୟପଟେ ଚୀନ ଲଗାତାର ଭାରତକୁ ଧମକ ଦେବାକୁ ପଛାଉନାହିଁ । ଏପରିସ୍ଥଳେ ଭାରତୀୟ ସେନା ଯୁଦ୍ଧ ନେଇ ନୂଆ ରଣନୀତି ପ୍ରସ୍ତୁତ କରୁଛି । ଯୁଦ୍ଧ ସ୍ଥିତିରେ ନୂଆ କନସେପ୍ଟ ଉପରେ କାମ କରୁଛି ଭାରତୀୟ ସେନା । ଯାହାକୁ ଇଂଟିଗ୍ରେଟେଡ଼୍ ବ୍ୟାଟେଲ ଗ୍ରୁପ ((IBG) ନାମ ଦିଆଯାଇଛି । ଆଗାମୀ କିଛି ମାସ ଭିତରେ ପଞ୍ଜାବରେ ଏହାର ଅଭ୍ୟାସ କରିବେ ସେନା । ନୂଆ ପ୍ଲାନକୁ ଆର୍ମିର ରକ୍ଷା ମନ୍ତ୍ରାଳୟ ପାଖକୁ ପଠାଇ ଦିଆଯାଇଛି । ଅନୁମତି ମିଳିବା ପରେ ପରୀକ୍ଷଣ କରାଯିବ ଏବଂ ସଫଳ ହେବାପରେ ଏହାକୁ ଲାଗୁ କରାଯିବ ।

ଆଇବିଜି କନସେପ୍ଟ ଅଭ୍ୟାସ ପାଇଁ ସେନା ଦଳକୁ ଦୁଇଟି ଦଳରେ ଭାଗ କରି ଅଭ୍ୟାସ କରାଯିବ । ପ୍ରଥମ ଦଳ ରୋଲ କ୍ରସ ବଡର ଅପରେସନରେ ଆକ୍ରମକରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଆଉ ସେହି ସମୟରେ ଅନ୍ୟ ଦଳ ଶତ୍ରୁକୁ ରୋକିବା ପାଇଁ ଚେଷ୍ଟା କରିବ । ଏହି କନସେପ୍ଟକୁ ବ୍ରିଗେଡ ବ୍ୟବସ୍ଥାର ସ୍ଥାନ ଦେବାକୁ ଚାହୁଁଛି ଆର୍ମି । ଯଦ୍ୱାରା ଯୁଦ୍ଧ ସ୍ଥିତିରେ ଆଇବିଜି ନିଜେ ଏକ ସକ୍ଷମ ଟିମ ହୋଇପାରିବ । ଆଇବିଜି ଦ୍ୱାରା ଶତ୍ରୁ ସୀମାରେ ଯାଇ ଶକ୍ତି ପ୍ରଦର୍ଶନ କରାଯିବ । ନିଜ ସୀମାକୁ ରକ୍ଷା କରିବା ପାଇଁ ଆର୍ମି ଏହି ପଦକ୍ଷେପ ନେଇଛି । ଏଥିରେ ପୂର୍ବାପେକ୍ଷା ତୁଳନାରେ ଅଧିକ ସୈନିକ ଉପସ୍ଥିତ ରହିବେ ।