ଚୀନ ଓ ପାକିସ୍ତାନ ସାବଧାନ ! ଭାରତୀୟ ସେନାର ନୂଆ ରଣନୀତି, ୪୦୦ ଡ୍ରୋନ ଓ ଲେଜର ବନ୍ଧୁକ ଧରି ସୀମା ସମ୍ଭାଳିବ ସେନା

86

ସୀମାରେ ବାରମ୍ବାର ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ଓ ଚୀନର ନାଲିଆଖି ଦେଖାଇବା ଭାରତ ପାଇଁ ଚିନ୍ତା ବଢାଉଛି । ଖାସକରି ଚୀନର ସାମରିକ କ୍ଷମତା ଓ ତାହାର ଆକ୍ରାମକ ମନୋଭାବ ଭାରତ ପାଇଁ ବେଶ ଚିନ୍ତାର କାରଣ ହୋଇଛି । କେବଳ ଉତ୍ତର ଓ ପଶ୍ଚିମ ଦିଗରେ ନୁହେଁ ଭାରତ ମହାସାଗରରେ ମଧ୍ୟ ଚୀନ ଭାରତକୁ ଘେରିବାକୁ ଉଦ୍ୟମ କରୁଛି । ଏହାଫଳରେ ଆଗାମୀ ଦିନରେ ଭାରତର ସୁରକ୍ଷା ଚିନ୍ତା ଅନେକଗୁଣରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।ଚୀନ ପରି ଏକ ଅତ୍ୟାଧୁନିକ ସେନାର ମୁକାବିଲା ପାଇଁ ଭାରତକୁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡ଼ିବ । କାରଣ ବିଶ୍ୱରେ ଯେତେ ବଡ଼ ବଡ଼ ଦେଶଙ୍କ ସହିତ ସମ୍ପର୍କ ରଖିଲେ ମଧ୍ୟ ନିଜ ଯୁଦ୍ଧ ନିଜେ ହିଁ ଲଢିବାକୁ ପଡିବ । ଏହାକୁ ଦୃଷ୍ଟିରେ ରଖି ଆମ ସାମରିକ ବାହିନୀର ଆଧୁନିକୀକରଣ କରାଯିବା ଜରୁରୀ ହୋଇପଡିଛି ।

୨୦୨୦ ଦଶକରେ ଭାରତର ସାମରିକ କ୍ଷମତା କିପରି ରହିବ, ଭାରତର ସାମରିକ ଆବଶ୍ୟକତା କଣ ରହିବ, କେଉଁ କେଉଁ ଅସ୍ତ୍ର ଶସ୍ତ୍ର ବ୍ୟବହାର ହେବ ତାହାକୁ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ଟେକନଲୋଜୀ ପ୍ରସପେକ୍ଟିଭ ଏଣ୍ଡ କାପାବିଲିଟି ରୋଡମ୍ୟାପ୍-୨୦୧୮ ପ୍ରସ୍ତୁତ କରାଯାଇଛି । ଏହା ଅନୁସାରେ ଭବିଷ୍ୟତର ଆହ୍ଵାନର ମୁକାବିଲା ପାଇଁ ଭାରତୀୟ ସେନାର ବୈଷୟିକ କ୍ଷମତାକୁ ବଢାଇବାକୁ ପଡିବ । ଆଗାମୀ ଦିନରେ ଭାରତ ପ୍ରାୟ ୪୦୦ଟି ଡ୍ରୋନ ଆବଶ୍ୟକ କରିବ । ଏଗୁଡିକ ମଧ୍ୟରେ ରହିଛି ଅତ୍ୟାଧୁନିକ ଲଢୁଆ ଡ୍ରୋନ, ବୁଡ଼ାଜାହାଜରୁ ଉଡିପାରୁଥିବା ଡ୍ରୋନ, ସାଧରଣ ଗୁଇନ୍ଦା ଡ୍ରୋନ ଆଦି । ଆଉ କେତେକ ନୂଆ ପିଢିର ଅସ୍ତ୍ର ଶସ୍ତ୍ର ମଧ୍ୟ ବ୍ୟବହାର ପାଇଁ ଚିନ୍ତା କରାଯାଉଛି । ଏଗୁଡ଼ିକ ମଧ୍ୟରେ ରହିଛି ଡାଇରେକ୍ଟେଡ୍ ଏନର୍ଜି େଓ୍ଵପନ୍ସ (ଲେଜର ଅସ୍ତ୍ର, ମାଇକ୍ରୋେଓ୍ଵଭ ଅସ୍ତ୍ର ଯାହାକି ଶତ୍ରୁପକ୍ଷର ବିମାନ ଏପରିକି ସାଟେଲାଇଟକୁ ମଧ୍ୟ ଧ୍ୱଂସ କରିପାରିବ ।

ଏସବୁ ନୂଆ ନୂଆ ଟେକନଲୋଜୀର ବିକାଶ ପାଇଁ ସ୍ୱଦେଶୀ ଜ୍ଞାନ କୌଶଳର ବିକାଶ ଅଥବା ଅନ୍ୟ ଦେଶମାନଙ୍କ ସହ ମିଳିତଭାବେ ବିକାଶ କରାଯାଇପାରିବ ବୋଲି ରିପୋର୍ଟରେ କୁହାଯାଇଛି । ଏଥିପାଇଁ ଘରୋଇ କମ୍ପାନିମାନଙ୍କୁ ମଧ୍ୟ ପ୍ରେତ୍ସାହିତ କରାଯାଇପାରିବ । ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା ଡିଆରଡିଓ ପକ୍ଷରୁ ଲଢୁଆ ଡ୍ରୋନ ଘାତକର ବିକାଶ କରାଯାଉଛି । କିନ୍ତୁ ନୌସେନା ଓ ବାୟୁସେନା ଜରୁରୀକାଳୀନ ଭିତ୍ତିରେ ୩୦ଟି ଲଢୁଆ ଡ୍ରୋନ ଆବଶ୍ୟକ କରୁଛି ବୋଲି ଏଥିରେ କୁହାଯାଇଛି ।