ଭାରତ ଯୋଗାଉଛି ଆମେରିକା ସେନାକୁ ଅତ୍ୟାଧୁନିକ ଜୋତା ! ଆମ ସେନା ପିନ୍ଧୁଛି ବ୍ରିଟିସ ଅମଲର ପୁରୁଣା ବୁଟ୍ ।

71

ସେନାରେ ଟ୍ରେନିଂ ଯେପରି ଏକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଯବାନ ମାନେ ପରିଧାନ କରୁଥିବା ଡ୍ରେସ ଏବଂ ଜୋତା ମଧ୍ୟ ସୈନ୍ୟମାନଙ୍କ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କାରଣ ସେନାର ଯବାନ ମାନେ ଜଙ୍ଗଲର ଏପରି ଅଞ୍ଚଳରେ ରହିଥାନ୍ତି ଯେଉଁଠାରେ କେବଳ ପାହା ପର୍ବତ ସହିତ ଅନେକ ପ୍ରକାର କଣ୍ଟାର ବିପଦ ରହିଥାଏ । ଯବାନମାନେ ବୋର୍ଡର ଉପରେ ସର୍ବଦା ସକ୍ରିୟ ହୋଇ ରହିଥାନ୍ତି । କେତେବେଳେ ଯୁଦ୍ଧ ପରିସ୍ତିତି ଉପୁଜିଥାଏ ତାହା କାହାକୁ ବି ଜଣା ନଥାଏ । ତେଣୁ ସେପରି ସ୍ଥିତିରେ ଭଲ ଜୋତାଟିଏ ପିନ୍ଧିନଥିଲେ ଅନେକ ସମସ୍ୟା ଛିଡାହେବା ସହ ଜୀବନ ଯିବାର ଭୟ ମଧ୍ୟ ରହିଥାଏ । ମୋଟାମୋଟି ଭାବେ କହିବାକୁ ଗଲେ ଯବାନଙ୍କ ପୋଷାକ ତାଙ୍କୁ ଜଙ୍ଗଲରେ ଲୁଚାଇ ରଖିବାରେ ସାହାଯ୍ୟ କରିବା ସହ ଯବାନଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ । ତେଣୁ ଯବାନ ମାନଙ୍କ ପାଇଁ ଭଲ ପୋଷାକ ସହିତ ମଜଭୁତ ଜୋତା ମଧ୍ୟ ଆବଶ୍ୟକ ପଡିଥାଏ ।

ଭାରତୀୟ କମ୍ପାନିମାନେ ବିଶ୍ୱର ଅନେକ ଦେଶକୁ ବୁଟ୍ ରପ୍ତାନି କରୁଛନ୍ତି । ଏପରିକି ଆମେରିକା ସେନାକୁ ମଧ୍ୟ କେତେକ ଭାରତୀୟ କମ୍ପାନି ଅତ୍ୟାଧୁନିକ ମିଲିଟାରୀ ବୁଟ୍ ଯୋଗାଉଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ଆମ ଭାରତୀୟ ସେନା ୧୩୦ ବର୍ଷ ତଳେ ବ୍ରିଟିଶ ଅମଳରେ ଡିଜାଇନ ହୋଇଥିବା ଜୋତା ବ୍ୟବହାର କରୁଛି । ସେଗୁଡ଼ିକୁ ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନସ୍ଥ କମ୍ପାନି ଅର୍ଡିନାନ୍ସ ଫାକ୍ଟରୀ ବୋର୍ଡ ନିର୍ମାଣ କରିଆସୁଛି । ପୁରୁଣାକାଳିଆ ହୋଇଥିବାରୁ ଏହି ଜୋତାଗୁଡ଼ିକ ସବୁ ପରିସ୍ଥିତିରେ ପିନ୍ଧିବା ପାଇଁ ଉପଯୁକ୍ତ ନୁହେଁ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି । କେବଳ ସିଆଚେନକୁ ଛାଡିଦେଲେ ଜଳବାୟୁ ଯେ କୌଣସି ହେଉନା କାହିଁକି ଭାରତୀୟ ସେନା ପାଇଁ ଗୋଟିଏ ପ୍ରକାରର ଜୋତା ଦିଆଯାଇଥାଏ । କିନ୍ତୁ ଆଧୁନିକ ମିଲିଟାରୀମାନେ ପରିସ୍ଥିତିକୁ ଦେଖିକରି ମିଲିଟାରୀ ବୁଟ ପିନ୍ଧିଥାନ୍ତି । କିଛି ଭାରତୀୟ କମ୍ପାନି ଅଛନ୍ତି ସେମାନେ ଆମେରିକୀୟ ସେନାକୁ ମିଲିଟାରୀ ବୁଟ ଯୋଗାଉଛନ୍ତି । କିନ୍ତୁ ଆମ ଦେଶର ସେନା ସେହି ପୁରୁଣା କାଳିଆ ସରକାରୀ ଜୋତା ବ୍ୟବହାର କରିଚାଲିଛି ।

ଅବଶ୍ୟ ଗତ ବର୍ଷ ଭାରତ ସରକାର ନିୟମରେ କେତେକ ପରିବର୍ତ୍ତନ କରି ସେନାର କେତେକ ସାମଗ୍ରୀ ଘରୋଇ କମ୍ପାନିମାନଙ୍କଠାରୁ କିଣିବାକୁ ପଥ ପରିଷ୍କାର କରିଥିଲେ । କିନ୍ତୁ ଏହି ନୀତି ଲାଗୁ ହୋଇନାହିଁ କିମ୍ବା ଆଗକୁ ଲାଗୁ ହେଲାଭଳି କୌଣସି ଆଶଙ୍କା ଦେଖାଯାଉନାହିଁ ।