ହିମାଳୟରେ ହିମମାନବ । ଟ୍ୱିଟ୍ କରି ଭାରତୀୟ ସେନା ଫଟୋ ଜାରି କରିବା ପରେ ବଢିଲା ଚର୍ଚ୍ଚା । ଉଠିଲା ପ୍ରଶ୍ନ, ବାସ୍ତବରେ ପାଦ ଚିହ୍ନ କାହାର ?

1,247

କନକ ବ୍ୟୁରୋ : ହିମ ମାନବ ବା ୟେତି ଏବେ ବି ହିମାଳୟରେ ଅଛି କି ? କିଛି ଏପରି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ଭାରତୀୟ ସେନା ଏହି ହିମ ମାନବର ପଦଚିହ୍ନ ଠାବ କରିଥିବା ଦାବି କରୁଛି । ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଗବେଷଣା । ପ୍ରକୃତରେ ହିମ ମାନବ ବା ୟେତି ଅଛି ନା ନାହିଁ , ଯଦି ଅଛି ତେବେ କେବେଠାରୁ ସେ ବସବାସ କରୁଛି, ସେନାର ଦାବି ପରେ ଏବେ ଆରମ୍ଭ ହୋଇଯାଇଛି ଅନୁଧ୍ୟାନ ।

ହିମାଳୟର ବରଫାବୃତ ପାଦଦେଶରେ କିଛି ଏହି ପରି ପାଦଚିହ୍ନ ଦେଖିବାକୁ ମିଳିଛି । ଭାରତୀୟ ସେନା ଠାବ କରିଛି ଏହି ଲମ୍ବା ଲମ୍ବା ପାଦ ଚିହ୍ନ । ନେପାଳକୁ ଲାଗି ରହିଥିବା ହିମାଳୟର ମାକାଲୁ ବେସ କ୍ୟାମ୍ପରେ ଏହି ପାଦ ଚିହ୍ନ ଦେଖାଯିବା ପରେ ଟ୍ୱିଟ କରି ସେନା ଦାବି କରିଛି ଏହା ବିଶାଳକାଳ ହିମ ମାନବ ବା ୟେତିର ପାଦ ଚିହ୍ନ । ଗତ ୯ ତାରିଖରେ ଠାବ କରାଯାଇଥିଲା ଏହି ପାଦ ଚିହ୍ନ ।

ସେନାର କହିବା କଥା ହେଲା, ଏହି ବିଶାଳକାୟ ହିମ ମାନବ କେବଳ ମାକାଲୁ-ବାରୁନ ନ୍ୟାସନାଲ ପାର୍କ ଅଂଚଳରେ ଦୃଶ୍ୟମାନ ହେଉଥିଲା । କୁହାଯାଉଥିଲା, କାଳକ୍ରମେ ଏହାର ବଂଶ ଲୋପପାଇଯାଇଛି । ହେଲେ ଏବେ ବି ହିମ ମାନବ ବା ୟେତି ରହିଛନ୍ତି କାହିଁକି ନାଁ ସେମାନଙ୍କ ପାଦଚିହ୍ନ ମିଳୁଛି ।

ତେବେ ଏହାର ସତ୍ୟତା ନେଇ ପ୍ରମାଣ ଏକାଠି କରାଯାଉଛି । ଘଟଣାସ୍ଥଳର ଫଟୋ ବିଶେଷଜ୍ଞମାନଙ୍କ ପାଖକୁ ପଠାଯାଉଛି । ୟେତି ହେଉଛି ଏକ ମାଙ୍କଡ ଜାତୀୟ ପ୍ରାଣୀ । କିନ୍ତୁ ଏହା ସାଧାରଣ ମାଙ୍କଡ ଠାରୁ ବହୁତ ବଡ ଓ ଲମ୍ବା । ସାଧାରଣ ମଣିଷଠାରୁ ମଧ୍ୟ ବହୁତ ବଡ । ଏହା ହିମାଳୟ, ସାଇବେରିଆ, କେନ୍ଦ୍ରୀୟ ଓ ପୂର୍ବ ଏସିଆରେ ଦେଖିବାକୁ ମିଳେ ବୋଲି ବିଶ୍ୱାସ ରହିଛି ।