ଏକ ସମୟରେ ପାକ୍ ଓ ଚୀନ ସହ ହୋଇପାରେ ଯୁଦ୍ଧ ! ସେନାବାହିନୀକୁ ସତର୍କ ରହିବାକୁ ସେନା ମୁଖ୍ୟଙ୍କ ପରାମର୍ଶ

48

କନକ ବ୍ୟୁରୋ : ସେନା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ସତର୍କ ସୂଚନା । ଏକା ସମୟରେ ପାକିସ୍ତାନ ଓ ଚୀନ ସହ କରିବାକୁ ପଡିପାରେ ଫ୍ରଣ୍ଟ ୱାର ଯୁଦ୍ଧ । ନୂଆ ଦିଲ୍ଲୀରେ ଏକ ସେମିନାରରେ ଯୋଗ ଦେଇ ଏହା କରିଛନ୍ତି ଜେନେରାଲ ରାୱତ । ପରମାଣୁ ଅସ୍ତ୍ର ଥିବା କିମ୍ବା ପଡୋଶୀ ଗଣତାନ୍ତ୍ରିକ ଦେଶ ସହ ଯୁଦ୍ଧ ହେବ ନାହିଁ ଭାବିବା ଭୁଲ ବୋଲି ସେନା ମୁଖ୍ୟ କହିଛନ୍ତି । ତେଣୁ ସେନାବାହିନୀକୁ ସର୍ତକ ରହିବାକୁ ପରାମର୍ଶ ଦେଇଛନ୍ତି ସେନାମୁଖ୍ୟ ।

ସେ କହିଛନ୍ତି, ପଡୋଶୀ ପାକିସ୍ତାନ ସର୍ବଦା ଭାରତ ସହ ଛାୟା ଯୁଦ୍ଧ ଜାରି ରଖିଥିବା ବେଳେ ସେ କେବେ ବି ସୁଧୁରିବ ନାହିଁ । ପାକିସ୍ତାନ ଭାରତକୁ ତାର ସବୁଠାରୁ ବଡ ଶତ୍ରୁ ମନେକରେ ବୋଲି କହିଛନ୍ତି ଜେନେରାଲ ରାୱତ । ଭାରତ ସହ ପାକିସ୍ତାନର ମତଭେଦ ଦୂର ହେବା ସମ୍ଭାବନା କ୍ଷୀଣ ବୋଲି ସେ କହିଛନ୍ତି । ଅନ୍ୟପଟେ ଡୋକଲାମ ବିବାଦ ପ୍ରସଙ୍ଗରେ ସେ କହିଛନ୍ତି, ଚୀନ ନିଜକୁ ଅଧିକ ପ୍ରସ୍ତୁତ କରୁଛି ଏବଂ ଆଗାମୀ ଦିନରେ ଚୀନ ପୁର୍ନବାର ଭାରତୀୟ ସୀମାରେ ଅନୁପ୍ରବେଶ କରିବା ସମ୍ଭାବନା ରହିଛି ।

ତେବେ ଚୀନ୍ ଆଗକୁ ଭାରତୀୟ ସୀମାର ଅନେକ ସ୍ଥାନରେ ଏକାଥରେ ପ୍ରବେଶ କରିବ ବୋଲି ସେନାମୁଖ୍ୟ ସନ୍ଦେହ କରୁଛନ୍ତି । ଚୀନର ଏହି ଚାଲାକିକୁ ପ୍ରତିହତ କରିବା ପାଇଁ ଆମକୁ ସତର୍କ ରହିବାକୁ ପଡିବ ବୋଲି ସେନାମୁଖ୍ୟ ସତର୍କ ବାଣୀ ଶୁଣାଇଛନ୍ତି । ଭାରତ-ଚୀନ ମଧ୍ୟରେ ଯୁଦ୍ଧ ହେଲେ ପାକିସ୍ତାନ ଏହାର ଫାଇଦା ଉଠାଇବାକୁ ଉଦ୍ୟମ କରିପାରେ ବୋଲି ସେ କହିଛନ୍ତି । ତେଣୁ ଭାରତୀୟ ସେନା ସବୁ ପରିସ୍ଥିତି ପାଇଁ ସଜାଗ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

chinese-threat-to-indiaଟୁ ଆଣ୍ଡ ହାଫ ଫ୍ରଣ୍ଟ ୱାର ପାଇଁ ପୂର୍ବରୁ ମଧ୍ୟ ସେନାମୁଖ୍ୟ ଇଙ୍ଗିତ ଦେଇଥିଲେ । ଉଭୟ ଚୀନ- ପାକିସ୍ତାନ ଓ ଭାରତର ଆଭ୍ୟନ୍ତରୀଣ ଶତ୍ରୁ( ମାଓବାଦୀ) ଙ୍କୁ ଏକା ସଙ୍ଗେ ଦମନ କରିବାକୁ ଭାରତ ପ୍ରସ୍ତୁତ ବୋଲି ସେନାମୁଖ୍ୟ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । କାରଣ ଭାରତୀୟ ସେନା ଏବେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସହ ବେଶ ଶକ୍ତିଶାଳୀ । ଏହି ଯୁଦ୍ଧାସ୍ତ୍ର ବଳରେ ଭାରତୀୟ ସେନା ବେଶ ସହଜରେ ଶତ୍ରୁପକ୍ଷକୁ ମାତ୍ ଦେବାରେ ସକ୍ଷମ ।

ତା ସହିତ ଚୀନ ସହ ଡୋକଲାମ ବିବାଦ ପରେ ନିଜ ସେନାକୁ ବେଶ ସୁଦୃଢ଼ କରିଛି ଭାରତ । ଯେକୌଣସି ପରିସ୍ଥିତିର ମୁକାବିଲା କରିବା ସହ ସୀମାର ସୁରକ୍ଷା ପାଇଁ ଭାରତୀୟ ସେନା ଏବେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି ସେନାମୁଖ୍ୟ କହିଛନ୍ତି । ସେନାକୁ ସୁସଂଗଠିତ ଓ ଶକ୍ତିଶାଳୀ କରିବା ପାଇଁ ଭାରତ ଏବେ ବିଭିନ୍ନ ରାଷ୍ଟ୍ର ଠାରୁ ପ୍ରବଳ ମାତ୍ରାରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର କିଣୁଛି । ତା ସହିତ ବିଶ୍ୱର କିଛି ଦେଶକୁ ଛାଡିଦେଲେ ଭାରତର ଅନ୍ୟ ସବୁ ରାଷ୍ଟ୍ର ସହ ସୁସର୍ମ୍ପକ ସ୍ଥାପିତ ହୋଇଛି । ସେନାକୁ ସବୁପ୍ରକାର ସହାୟତା ପ୍ରଦାନ କରୁଥିବାରୁ ସେନାମୁଖ୍ୟ ଜେନେରାଲ ବିପିନ ରାୱତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ।