ଆକ୍ସନ ମୋଡରେ ଭାରତୀୟ ସେନା ! ଆତଙ୍କବାଦୀଙ୍କୁ ଦେଲା ଅନ୍ତିମ ଚେତାବନୀ, ବନ୍ଧୁକ ଧରିଲେ ମରିବ । 

219

କନକ ବ୍ୟୁରୋ : ଆତଙ୍କବାଦୀଙ୍କୁ ଅନ୍ତିମ ଚେତାବନୀ । ବନ୍ଧୁକ ଧରିଲେ ମରିବ । ପୁଲୱାମା ଆତଙ୍କୀ ହମଲା ପରେ ଆକ୍ସନ ମୋଡରେ ସେନା । ଘାଟିରେ ଜୋରଦାର ହୋଇଛି ଆତଙ୍କବାଦ ବିରୋଧୀ ଅଭିଯାନ । ସୋମବାର ଜେସ-ଏ-ମହମ୍ମଦର ଟପ୍ କମାଣ୍ଡରଙ୍କୁ ହତ୍ୟା କରିଛନ୍ତି ମିଳିତ ସୁରକ୍ଷା ବାହିନୀ । ଏହି ଅଭିଯାନ ଆଗକୁ ଜୋରଦାର ହେବ ଓ କେହି ବି ଆତଙ୍କବାଦୀ ବର୍ତିପାରିବେନି, ଏଭଳି ସଂକେତ ଦେଇଛି ସେନା । ମଙ୍ଗଳବାର ସେନା, ସିଆରପିଏଫ ଓ ଜାମ୍ମୁ-କାଶ୍ମୀର ପୋଲିସ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ଯେ, ହାତରେ ହତିଆର ଧରିଲେ ସେନା ଗୁଳିର ଶିକାର ହେବ । 

ଘାଟିରେ ଅପରେସନ୍ ସମୟରେ ମୁଖ୍ୟତଃ ସମସ୍ୟା ହେଉଛି ସ୍ଥାନୀୟ ଯୁବକଙ୍କ ଆତଙ୍କବାଦୀଙ୍କୁ ସମର୍ଥନ । ସେଥିପାଇଁ ମଙ୍ଗଳବାର ଏକ ଆବେଗଭରା ଅପିଲ କରିଛି ଭାରତୀୟ ସେନା । ଜାମ୍ମୁ-କାଶ୍ନୀରରେ ପରିବାର ଗୁଡିକରେ ମୁଖ୍ୟତଃ ମାଆ ମାନଙ୍କର ଗଭୀର ପ୍ରଭାବ ରହିଛି । ଆଉ ସେଥିପାଇଁ ମାଆ ମାନଙ୍କୁ ଅପିଲ କରି ସେନା ଜେନେରାଲ କେଜେଏସ ଧିଲୋନ କହିଛନ୍ତି ସେମାନେ ନିଜ ପିଲାମାନଙ୍କୁ ଆତଙ୍କବାଦ ଛାଡି ମୁଖ୍ୟ ଶ୍ରୋତକୁ ଫେରିଆସିବା ପାଇଁ ଅନୁରୋଧ କରନ୍ତୁ । ଆତ୍ମସମର୍ପଣ ନକଲେ ମୃତ୍ୟୁ ହିଁ ଏକମାତ୍ର ରାସ୍ତା ବୋଲି ସଫାସଫା ଶୁଣାଇ ଦେଇଛନ୍ତି ଜେନେରାଲ ଧିଲୋନ୍ । 

ଏଥିସହ ପୁଲୱାମା ଆତ୍ମଘାତୀ ଆକ୍ରମଣରେ ପାକିସ୍ତାନ, ସେଠାକାର ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦର ହାତ ରହିଥିବା କହିଛି ସେନା । ପାକିସ୍ତାନ ମାଟିରେ ବସି ଜୈସ ସଂଗଠନର ମାଷ୍ଟରମାଇଣ୍ଡ ଆଇଏସଆଇ ସହାୟତାରେ ପୁରା ଆକ୍ରମଣକୁ ନିୟନ୍ତ୍ରଣ କରିଥିବା କୁହାଯାଇଛି । ଏଥିସହ ସେନା ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ସୀମା ପାର କରି ଭାରତ ମାଟିରେ ପାଦ ରଖୁଥିବା ଆତଙ୍କବାଦୀ ଆଉ ଜୀବନ ଧରି ଫେରିପାରିବେ ନାହିଁ ।