ପାଣି ପିଇବାକୁ ଆସି ଟାଙ୍କିରେ ଖସିପଡିଲେ ମା’ ଓ ଛୁଆ ହାତୀ । କିଛି ଏଭଳି ଭାବେ ଜୀବନ ବଞ୍ଚାଇଲେ ସେନା ଓ ବନ ବିଭାଗ କର୍ମଚାରୀ ।

189

କନକ ବ୍ୟୁରୋ : ଭାରତୀୟ ସେନା ଯୁଦ୍ଧ ଭୂମିରେ ରହି ଦେଶ ରକ୍ଷା କରିଥାନ୍ତି । ଶତ୍ରୁର ଗୁଳିକୁ ନ ଡ଼ରି ସେମାନେ ନିଜ ଜୀବନକୁ ବାଜି ଲଗାଇ ଦେଶର ରକ୍ଷା କରିଥାନ୍ତି । ସେମାନଙ୍କର ଏଭଳି କାମ ପାଇଁ ଦେଶର ଜନତାଙ୍କ ମନରେ ସମ୍ମାନ ରହିଥିବା ବେଳେ ଏବେ ଗୌହାଟୀରେ ଘଟିଥିବା ଏକ ଘଟଣା ସେହି ସମ୍ମାନକୁ ବଢ଼ାଇଛି । ଦୁଇ ହାତୀକୁ ବଞ୍ଚାଇ ପୁଣି ଥରେ ନିଜକୁ ପ୍ରମାଣ କରିଛନ୍ତି ସେନା ଯବାନ । ଭାରତୀୟ ସେନା ଓ ଆସାମ ବନ ବିଭାଗ କମର୍ଚାରୀଙ୍କ ମିଳିତ ପ୍ରୟାସରେ ଦୁଇ ହାତୀଙ୍କ ଜୀବନ ବଞ୍ଚି ପାରିଛି ।

ସୂଚନା ମୁତାବକ, ଘଟଣାଟି ଘଟିଥିଲା ଗୌହାଟୀର ନାରଙ୍ଗୀରେ ଥିବା ସେନା କ୍ୟାମ୍ପରେ । ଜଙ୍ଗଲରୁ ଖାଇବା ସନ୍ଧାନରେ ବାହାରିଥିବା ହାତୀ ପଲ ମଧ୍ୟରୁ ମା’ ଓ ଛୁଆ ହାତୀ ଅଲଗା ହୋଇ ସେନା କ୍ୟାମ୍ପରେ ଥିବା ପାଣି ଟାଙ୍କି ପାଖକୁ ଆସିଥିଲେ । ସେଠାରେ ପାଣି ପିଇବା ସମୟରେ ଦୁହିଁଙ୍କ ଗୋଡ଼ ଖସିଯିବାରୁ ପାଣି ଟାଙ୍କି ଭିତରେ ଖସି ପଡ଼ିଥିଲେ । ସକାଳ ସମୟରେ ଦୁଇ ହାତୀଙ୍କ ଉପରେ ଜଣେ ଯବାନଙ୍କ ନଜର ପଡ଼ିଥିଲା  । ଯାହା ପରେ ସେ ତୁରନ୍ତ ବନ ବିଭାଗ କର୍ମଚାରୀଙ୍କୁ ଫୋନ କରି ଡ଼କାଇଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀମାନେ ଦଳ ବଳ ନେଇ ପାଣି ଟାଙ୍କି ପାଖରେ ପହଞ୍ଚିଥିଲେ । ଯବାନମାନେ ଓ ବନ ବିଭାଗ କର୍ମଚାରୀମାନେ ମିଶି ଜେସିବି, ରଶି ଓ ଅନ୍ୟ ଯନ୍ତ୍ରପାତିର ପ୍ରୟୋଗ କରି ଦୁଇ ହାତୀକୁ ପାଣି ଭିତରୁ ବାହାର କରିଥିଲେ । ଏହି ଅଭିଯାନ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ।