ଓଡ଼ିଶା ସୀମାରେ ଖସିପଡିଲା ବାୟୁସେନାର ହକ୍ ଫାଇଟର ଜେଟ ! ବଞ୍ଚିଗଲେ ପାଇଲଟ, ଖଣ୍ଡ ବିଖଣ୍ଡିତ ହୋଇଗଲା ଲଢୁଆ ବିମାନ

32

କନକ ବ୍ୟୁରୋ : ଓଡିଶା-ଝାଡଖଣ୍ଡ ସୀମାନ୍ତ ମୟୁରଭଂଜରେ ଆକାଶରୁ ଖସିପଡିଛି ଭାରତୀୟ ସେନାର ଲଢୁଆ ବିମାନ । ପ୍ରଚଣ୍ଡ ଶବ୍ଦ କରି ସୁବଣ୍ଣରେଖା ନଦୀ ପଠାର ବାଲି ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଛି ହକ୍ ଫାଇଟର ଜେଟ୍ । ଖଡଗପୁରର କୋଲେଇକୁଣ୍ଡା ଏୟାରବେସରୁ ଉଡାଣ ଭରିଥିବା ଏହି ଫାଇଟର ଜେଟ୍ର ପାଇଲଟ୍ କିନ୍ତୁ ସୌଭାଗ୍ୟବସତ ବର୍ତିଯାଇଛନ୍ତି । ପାରାସୁଟ୍ ସାହାର୍ଯ୍ୟରେ ବିମାନରୁ ଡେଇଁ ପଡିଥିଲେ ପାଇଲଟ୍ , ଆଉ ରକ୍ଷା ପାଇଯାଇଥିଲେ ।

ସୁବର୍ଣ୍ଣରେଖା ନଦୀ ପଠାରେ ଖସିପଡିଛି ଲଢୁଆ ବିମାନ । ଚାରିଆଡେ ବିମାନର ଖଣ୍ଡ ବିଖଣ୍ଡ ଅଂଶ । ଅଗ୍ନି ପିଣ୍ଡୁଳା ଭଳି ଜଳିଉଠିଛି ବିମାନଟି । ଦୁର୍ଘଟଣାସ୍ଥଳରେ ସୃଷ୍ଟି ହୋଇଛି ବିରାଟ ଗାତ । ଆଉ ତାଭିତରେ ଜଳୁଛି ଫାଇଟର ଜେଟ୍ । ତେବେ ସୌଭାଗ୍ୟବସତ ପାଇଲଟଙ୍କ ବିଶେଷ କିଛି ହୋଇନି । ବାୟୁସେନା କର୍ମଚାରୀ ଟ୍ରେନି ପାଇଲଟଙ୍କୁ ଉଦ୍ଧାର କରିଛନ୍ତି ।

ଖଡଗପୁର କଲାଇକୁଣ୍ଡା ବାୟୁସେନା ଘାଟିରୁ ନିୟମିତ ଟ୍ରେନିଂ ପାଇଁ ଉଡାଣ ଭରିଥିଲା ବାୟୁସେନାର ହକ୍ ଫାଇଟର୍ ଜେଟ୍ । ସିଟରେ ଥିଲେ ଜଣେ ଟ୍ରେନି ପାଇଲଟ୍ । ହଠାତ୍ ନିୟନ୍ତ୍ରଣ ହରାଇ ବସିଲା ଏହି ହକ୍ ଫାଇଟର ଜେଟ୍ । ଏୟାର ଟ୍ରାଫିକ୍ କଂଟ୍ରୋଲ ସହ କୌଣସି ଯୋଗାଯୋଗ ପୂର୍ବରୁ କୌଣସି ନିଷ୍ପତି ନେବା ଜରୁରୀ ହୋଇପଡିଲା ପାଇଲଟଙ୍କ ପାଇଁ । ସେତେବେଳକୁ ତୀବ୍ର ବେଗରେ ବିମାନଟି ତଳକୁ ଖସିବାକୁ ଲାଗିଥିଲା । ଜେଟ୍ ନିୟନ୍ତ୍ରଣ ହରାଇଥିବା ଜାଣି ପାଇଲଟ୍ ଜଣକ ପାରାସୁଟ୍ ଖୋଲିଦେଇଥିଲେ । ଆଉ ତୀବ୍ର ବେଗରେ ଥିବା ଜେଟରୁ ଡେଇଁପଡିଥିଲେ । ସୌଭାଗ୍ୟବସତ ପାରାସୁଟ୍ ସହ ନଦୀ ବାଲିରେ ଖସିପଡିଲେ । ସେପଟେ ଲଢୁଆ ବିମାନଟି ପ୍ରଚଣ୍ଡ ଶବ୍ଦରେ ନଦୀ ବାଲିରେ ଖସିପଡିଥିଲା ।

ବାୟୁସେନାର ହକ୍ ଫାଇଟର ଜେଟ୍ । ଗ୍ରାଉଣ୍ଡ ଆଟାକ୍ରେ ଧୁରନ୍ଧର । ପାଇଲଟଙ୍କୁ ଉଡାଣ ଏବଂ ଆକ୍ରମଣ ପାଇଁ ତାଲିମ ଦିଆଯାଇଥାଏ ଏହି ବିମାନରେ । ଏଥିରେ ରହିଛି ଏମକେ ୮୭୧ ଟର୍ବାନ ଇଂଜିନ୍ । ସମ୍ପୂଣ୍ଣ ଧାତୁରେ ତିଆରି ଏହି ଲଢୁଆ ବିମାନରେ ରହିଛି ଅତ୍ୟାଧୁନିକ ଆକ୍ରମଣ ବ୍ୟବସ୍ଥା । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନରେ ଏସବୁ ବ୍ୟବସ୍ଥା ରହିଥିଲା । ତେବେ ଫାଇଟର ଜେଟଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।