କାଳେ ପୁଣି ହେବ ସର୍ଜିକାଲ ଷ୍ଟ୍ରାଇକ , ଡରିଗଲା ପାକିସ୍ତାନ? ରାତିଅଧିଆ କଲା ଏଭଳି କାମ

40

ଭାରତୀୟ ସେନାଧ୍ୟକ୍ଷଙ୍କ ସର୍ଜିକାଲ ଷ୍ଟ୍ରାଇକ ବୟାନକୁ ନେଇ ପାକିସ୍ତାନ ମନରେ ଛନକା ପଶିଛି । କାଳେ ଭାରତୀୟ ସେନା ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ କରିଦେବ ସେଥିପାଇଁ ସୀମାବର୍ତ୍ତୀ ଅଞ୍ଚଳରେ ସଜାଗ ହୋଇ ଉଠିଛି ପାକ୍ ସେନା । ପାକିସ୍ତାନ ସରକାର ଓ ସେନାକୁ ନେଇ ଭାରତୀୟ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ସୋମବାର ଏକ ବଡ ବୟାନ ଦେଇଥିଲେ । ଜେନେରାଲ ରାୱତ କହିଥିଲେ, ଯେତେବେଳ ଯାଏଁ ପାକିସ୍ତାନ ସେନା ଓ ଆଇଏସଆଇ ସରକାରଙ୍କ ଅଧିନକୁ ଆସିନାହିଁ ସେତେବେଳ ଯାଏଁ ସୀମାରେ ଭାରତ-ପାକ୍ ସର୍ମ୍ପକ ମଧ୍ୟରେ ସୁଧାର ଆସିବ ନାହିଁ । ଏହାଛଡା ଆତଙ୍କବାଦୀଙ୍କୁ ଦମନ କରିବାକୁ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକର ଆବଶ୍ୟକତା ରହିଛି ବୋଲି ଜେନେରାଲ ରାୱତ କହିଥିଲେ ।

ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଜେନେରାଲ ରାୱତଙ୍କ ବୟାନ ପରେ ପାକ୍ ଆର୍ମି ଆକ୍ସନ ମୋଡକୁ ଆସିଯାଇଛି । ପାକ୍ ରେଞ୍ଜର୍ସଙ୍କ ସହ ମିଶି ପାକ୍ ଆର୍ମି ପ୍ଲାନିଂ ପ୍ରସ୍ତୁତ କରୁଛି । ଏଥିପାଇଁ କିଛି ସ୍ଥାନରେ ଆଗୁଆ ମୋର୍ଟାର ରଖାଯାଇଛି । ଏପରିକି ସୀମାବର୍ତ୍ତୀ ଅଞ୍ଚଳକୁ ଖାଲି ମଧ୍ୟ କରାଯାଇଛି । ଯେପରି ଅଚାନକ କୌଣସି ଆକ୍ରମଣକୁ ବେଶ ସହଜରେ ପ୍ରତିହତ କରିହେବ । ଏସବୁ ଭିତରେ ଅନ୍ୟପଟେ ପିଓକେରେ ୬ଟି ନୂଆ ଆତଙ୍କବାଦୀ ଲଞ୍ଚପ୍ୟାଡ ନିର୍ମାଣ କରାଯାଇଥିବା ସୂଚନା ମିଳିଛି ।

ଏହି ଲଞ୍ଚପ୍ୟାଡ ଜରିଆରେ ପାକିସ୍ତାନ ଭାରତୀୟ ସୀମା ମଧ୍ୟକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଇଥାଏ । ମିଳିଥିବା ସୂଚନା ଅନୁଯାୟୀ, ୬ଟି ଲଞ୍ଚ ପ୍ୟାଡରେ ପାଖାପାଖି ୫୦ ଜଣ ଆତଙ୍କବାଦୀ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରିବାକୁ ଅପେକ୍ଷା କରି ରହିଛନ୍ତି । ଏସବୁକୁ ଲକ୍ଷ୍ୟ କରି ଭାରତ ଆଉଥରେ ସର୍ଜିକାଲ ଷ୍ଟ୍ରାଇକ କରିପାରେ ବୋଲି ଚର୍ଚ୍ଚା ହେଉଛି ।

Surgical-strikes-1ଏହାପୂର୍ବରୁ ୨୦୧୬ ସେପ୍ଟେମ୍ବର ୨୮ ରାତି ଅଧରେ ଭାରତୀୟ ସେନା ପାକ ଅଧିକୃ୍ତ କାଶ୍ମୀରରେ ପଶି ଆତଙ୍କବାଦୀଙ୍କୁ ନିପାତ କରିଥିଲେ । ଆତଙ୍କବାଦୀଙ୍କ ଉରୀ ଆକ୍ରମଣ ପରେ ଭାରତୀୟ ସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଯୋଜନା କରାଯାଇଥିଲା । ଏଥିପାଇଁ ପାକିସ୍ତାନ ସୀମାରେ ଥିବା ଲଞ୍ଚପ୍ୟାଡ ଗୁଡିକ ଉପରେ ସପ୍ତାହେ ଧରି ନଜର ରଖିଥିଲେ ଭାରତୀୟ ସେନା । ଆତଙ୍କବାଦୀଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କୁ କିଭଳି ଏକାଥରକେ ନିପାତ କରିହେବ ସେନେଇ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ । ଆଉ ଏହି ଯୋଜନା ଅନୁଯାୟୀ, ଆତଙ୍କବାଦୀଙ୍କ ୬ଟି କ୍ୟାମ୍ପକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିବାକୁ ଲକ୍ଷ୍ୟ ରଖିଥିଲା ସେନା । ଆଉ ସର୍ଜିକାଲ ଷ୍ଟ୍ରାଇକରେ ୩ଟି କ୍ୟାମ୍ପକୁ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶାଇ ଦେଇଥିଲେ ଭାରତୀୟ ସେନାର ବୀର ଯବାନ ।