ପାକ୍ ପୋଷ୍ଟରେ ବୋମାମାଡ ! ଭାରତୀୟ ସେନାର ଆକ୍ରମଣରେ ଉଡିଲା ସୀମା ଆରପଟର ଶିବିର

27

କନକ ବ୍ୟୁରୋ : ପାକିସ୍ତାନ ଉପରେ ଭାରତୀୟ ସେନା ଜୋରଦାର ଆକ୍ରମଣ । ନୌସେରା ସେକ୍ଟରରେ ମେ ୨୦ ତାରିଖରେ ଏହି ଅପରେସନ କରିବା ଥିବା ଭାରତୀୟ ସେନା ସ୍ପଷ୍ଟ କରିଛି । ବାରମ୍ବାର ହେଉଥିବା ଅନୁପ୍ରବେଶ ରୋକିବାକୁ ଯାଇ ଭାରତୀୟ ସେନା ଏହି ଅପରେସନ କରିଛି । କାଶ୍ମୀରରେ ହେଉଥିବା ଆକ୍ରମଣର ଜବାବରେ ଭାରତୀୟ ସେନା ନିଜର ଦମ୍ ଦେଖାଇଛି । ଏହି ଅପରେସନର ୩୦ ସେକେଣ୍ଡର ଭିଡିଓ ଜାରି କରିଛି ସେନା ।

ଏଥିରେ ପାକ୍ ସେନା ଶିବିର ଧ୍ୱଂସ ହେଉଥିବାର ଦୃଶ୍ୟ ରହିଛି । ଆଜି ଏନେଇ ଭାରତୀୟ ସେନାର ମେଜର ଜେନେରାଲ ଆଲୋକ ନରୁଲା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆମେ ସୀମାରେ ଶାନ୍ତି ଚାହୁଁ । କିନ୍ତୁ ବାରମ୍ବାର ପାକିସ୍ତାନ ପଟୁ ଭାରତୀୟ ଗାଁ ଉପରେ ହେଉଥିବା ଗୁଳି ଓ ମୋର୍ଟାର ମାଡ ଓ ଅନୁପ୍ରବେଶକୁ ସହିବା କଷ୍ଟକର ବୋଲି ସେ କହିଛନ୍ତି । ତେବେ ପାକ୍ ସେନା ଆମ ଉପରେ ଆକ୍ରମଣ କଲେ ହିଁ ଆମେ ଏହାର ଜବାବ ଦେଇଥାଉ ବୋଲି ମେଜର ଜେନେରାଲ ନରୁଲା ସ୍ପଷ୍ଟ କରିଦେଇଛନ୍ତି ।

ପୂର୍ବରୁ ଗତବର୍ଷ ସେପ୍ଟେମ୍ବର ୧୮ ତାରିଖରେ ଉରି ସେନା ଶିବିର ଉପରେ ହୋଇଥିବା ଆକ୍ରମଣର ଜବାବରେ ଭାରତୀୟ ସେମା ସେପ୍ଟେମ୍ବର ୧୮ ତାରିଖ ରାତିରେ ସୀମା ପାର କରି ସର୍ଜିକାଲ ଆଟାକ୍ କରିଥିଲା । ଫଳରେ ଅନେକ ଗୁଡିଏ ଆତଙ୍କବାଦୀ ଆଡ୍ଡା ନଷ୍ଟ ହୋଇଥିଲା । ସର୍ଜିକାଲ ଆଟାକ୍ ପରେ ଏହା ଭାରତ ସେନାର ଏକ ବଡ ଧରଣ ଆକ୍ରମଣ ବୋଲି କୁହାଯାଉଛି ।