ରଣନୀତି ବଦଳାଇଲା ଭାରତୀୟ ସେନା : ପାକ ପ୍ରାୟୋଜିତ ଅନୁପ୍ରବେଶ ରୋକିବାକୁ ଆରମ୍ଭ କଲା ଗରିଳା ଆକ୍ରମଣ

33

କନକ ବ୍ୟୁରୋ : ପାକିସ୍ତାନ ବିରୋଧରେ ରଣନୀତି ପରିବର୍ତନ କଲା ଭାରତ । ବାରମ୍ବାର ଭାରତୀୟ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଏଭଳି ରଣନୀତି ପରିବର୍ତନ କରିଛି ଭାରତୀୟ ସେନା । ପାକ ସେନା ସହାୟତାରେ ଆତଙ୍କବାଦୀଙ୍କ ଭାରତ ମାଟିରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ପାଇଁ ଗରିଲା ଯୁଦ୍ଧ ଆରମ୍ଭ କରିଛନ୍ତି ଭାରତୀୟ ଯବାନ । ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାର ଆରପଟୁ ଅନୁପ୍ରବେଶ ପାଇଁ ୪ଶହରୁ ଅଧିକ ଆତ୍ମଘାତୀ ଆତଙ୍କବାଦୀ ପ୍ରସ୍ତୁତ ହୋଇ ରହିଛନ୍ତି । ଆତଙ୍କବାଦୀଙ୍କ ଏଭଳି ଯୋଜନା ପଣ୍ଡ କରିବାକୁ ଗରିଲା ଅପରେସନ ମାଧ୍ୟମରେ ପ୍ରବଳ ଗୁଳିବର୍ଷା କରୁଛି ଭାରତୀୟ ସେନା । ବର୍ଷ ଆରମ୍ଭରୁ ଭାରତୀୟ ଯବାନ ଆରମ୍ଭ କରିଥିବା ଏହି ଆକ୍ରମଣରେ ୨୦ରୁ ଅଧିକ ପାକ୍ ସୈନିକଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି ।

ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ପାକିସ୍ତାନ ସେନା ଯେଭଳି ଆତଙ୍କବାଦୀଙ୍କୁ ସୁରକ୍ଷା ଯୋଗାଇ ଦେଉଛି ଓ ନିୟନ୍ତ୍ରଣ ରେଖାରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି ତାର ଜବାବ ଦେବାକୁ ବେଶ ଆକ୍ରମଣାତ୍ମକ ହୋଇଛି ଭାରତ । ଏଥିପାଇଁ ସେନାର ଟପ ବସ ସବୁପ୍ରକାର ସ୍ୱାଧୀନତା ଦେଇଛନ୍ତି । ଛୋଟ ଓ ହାଲୁକା ମେସିନ ଗନ୍, ଆସଲ୍ଟ ରାଇଫଲ, ଟ୍ୟାଙ୍କ ବିଧ୍ୱଂଶକାରୀ ମିଶାଇଲଠାରୁ ଆରମ୍ଭ କରି ୧୨୦ ଏମଏମ ମୋର୍ଟାର ମାଡ କରୁଛନ୍ତି ଭାରତୀୟ ଯବାନ । ଯାହା ପାକିସ୍ତାନ ସେନା ଓ ସେଠାକାର ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଜାମ୍ମୁ-କାଶ୍ମୀରର ସୁଞ୍ଜୁଆନ ଓ ଶ୍ରୀନଗରର କରନନଗରରେ ଆତଙ୍କୀ ହମଲା ପରେ ପାକିସ୍ତାନକୁ କଡା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ।