ଦେଶରେ ଗୋଳାବାରୁଦର ଘୋର ଅଭାବ ! ପାର୍ଲାମେଂଟରେ ଉପସ୍ଥାପିତ ରିପୋର୍ଟରେ ସିଏଜିଙ୍କ ଚିନ୍ତା

38

କନକ ବ୍ୟୁରୋ: ଭାରତୀୟ ସେନା ନିକଟରେ ଗୋଳାବାରୁଦର ଘୋର ଅଭାବ ରହିଛି । ପାର୍ଲାମେଂଟରେ ଉପସ୍ଥାପିତ ସିଏଜି ରିପୋର୍ଟରେ ଏହା ଦର୍ଶାଯାଇଛି । ସିଏଜି ରିପୋର୍ଟରେ କୁହାଯାଇଛି ଯେ, ୧୫୨ ପ୍ରକାରର ଗୋଳାବାରୁଦ ମଧ୍ୟରେ ୬୧ ପ୍ରକାରର ଗୋଳାବାରୁଦର ଷ୍ଟକ୍ ସନ୍ତୋଷଜନକ ନୁହେଁ । ଭାରତୀୟ ସନା ପାଖରେ ଏତେ ଗୋଳାବାରୁଦ ରହିବା ଦରକାର ଯେ ୨୦ ଦିନ ଲାଗି ଯେକୌଣସି ପ୍ରକାରର ପରିସ୍ଥିତିକୁ ସାମ୍ନା କରାଯାଇପାରିବ । ପୂର୍ବରୁ ୪୦ ଦିନ ଲାଗି ଗୋଳାବାରୁଦ ଷ୍ଟକ ରଖାଯାଉଥିଲା ।

୧୯୯୯ ମସିହାରେ ଏହାକୁ କମାଇ ୨୦ ଦିନ ପାଇଁ କରାଯାଇଥିଲା । ଏଭଳି ସ୍ଥିତିରେ କ୍ୟାଗର ରିପୋର୍ଟ ଦେଶରେ ଗୋଳାବାରୁଦର ଅଭାବକୁ ସ୍ପଷ୍ଟ କରିଛି । କ୍ୟାଗ ରିପୋର୍ଟ ଅନୁସାରେ ୨୦୧୬ରେ ୧୫୨ ପ୍ରକାରର ଗୋଳାବରୁଦ ୩୧ରୁ ୪୦ ଦିନ ପାଇଁ, ୧୨ ପ୍ରକାରର ଗୋଳାବାରୁଦ ୩୦ରୁ ୪୦ ଦିନ ପାଇଁ ଓ ୨୬ ପ୍ରକାରର ଗୋଳାବାରୁଦ ୨୦ ଦିନ ପାଇଁ ଷ୍ଟକ ରହିଥିଲା । ସେନାରେ ଗୋଳାବାରୁଦ ଅଭାବ କିଛି ନୂଆ କଥା ନୁହେଁ । ୟୁପିଏ ସରକାର ସମୟରେ ମଧ୍ୟ ଗୋଳାବାରୁଦର ଘୋର ଅଭାବ ଦେଖାଦେଇଥିଲା । କିନ୍ତୁ ସେହି ସମୟରେ ଏହାକୁ କମ କରିବା ଲାଗି ତତକାଳୀନ ସରକାର ରୋଡମ୍ୟାପ ପ୍ରସ୍ତୁତ କରିଥିଲେ ।