ବାୟୁସେନାର ବୀର ଯବାନ ଅଭିନନ୍ଦନ ବର୍ତମାନ ! ଶତ୍ରୁ ଦେଶରେ ବି ଦେଖାଇଲେ ଦମ୍, ଜାଣନ୍ତୁ ସାହସୀ ଯବାନଙ୍କ ବୀରତ୍ୱର କାହାଣୀ । 

277

କନକ ବ୍ୟୁରୋ : ଅଭିନନ୍ଦନ ବର୍ତମାନ । ଭାରତର ଏହି ବୀର ଯବାନଙ୍କ ନାଁ, ହୁଏତ ଆଜି କାହାପାଇଁ ଅଜଣା ଥିବ । ସମସ୍ତଙ୍କ ମୁହଁରେ ସାହସୀ ଯବାନଙ୍କ ବୀରତ୍ୱର କାହାଣୀ । ଯିଏ ଶତ୍ରୁ ପକ୍ଷର କବଳରେ ଥାଇ ମଧ୍ୟ ଅଦମ୍ୟ ସାହସର ପରିଚୟ ଦେଇଥିଲେ । ଆସନ୍ତୁ ଜାଣିବା ଭାରତୀୟ ପାଇଲଟ୍ ପୁଅଙ୍କ ପୁରା କାହାଣୀ ।

୧୯୯୯ କାର୍ଗିଲ ଯୁଦ୍ଧର କାହାଣୀକୁ ନେଇ ତିଆରି ହୋଇଥିଲା ମଣିରତ୍ନମଙ୍କ ସୁପରହିଟ୍ ତାମିଲ ଫିଲ୍ମ ‘କାଟରୁ ବେଲ୍ଲିଦାୟୀ’ । ଯେଉଁଥିରେ କନସଲଟାଂଟ୍ ଭାବେ କାମ କରିଥିଲେ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ବାପା ଏସ୍. ବର୍ତମାନ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଫିଲ୍ମରେ ବି ଥିଲା ପାକିସ୍ତାନରେ ବନ୍ଦୀ ଜଣେ ବାୟୁସେନା ପାଇଲଟଙ୍କ କାହାଣୀ । ସ୍ୱାଭାବିକ ଭାବେ ଫିଲ୍ମ ତିଆରି କଲାବେଳେ ବାପା ଏସ. ବର୍ତମାନ ହୁଏତ କେବେ କଳ୍ପନା ବି କରିନଥିବେ ଯେ, ବଡ ପରଦାର କାହାଣୀ ଦିନେ ସତ ପାଲଟିଯିବ । ଗୋଟିଏ କାଳ୍ପନିକ କଥାବସ୍ତୁ ତାଙ୍କ ନିଜ ଜୀବନରେ ଘଟିଯିବ । ପାଇଲଟ୍ ପୁଅ ପାକିସ୍ତାନରେ ପଣବନ୍ଦୀ ହେବ ।

ଗତ ୨୭ ଫେବ୍ରୁଆରୀରେ ଭାରତୀୟ ବାୟୁସୀମାରେ ପଶି ପାକିସ୍ତାନୀ ଲଢୁଆ ବିମାନ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କଲାବେଳେ ସାମ୍ନାରେ ଥିଲେ ବାୟୁସେନାର ବୀର ଯୋଦ୍ଧା । ମିଗ୍-୨୧ ବାଇସନ୍ ବିମାନରେ ପାକିସ୍ତାନୀ ବିମାନକୁ କଡା ଟକ୍କର ଦେଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ । ତାଙ୍କରି ଆକ୍ରମଣରେ ଖସିପଡିଥିଲା ଭାରତ ମାଟିରେ ଆକ୍ରମଣ କରିବାକୁ ସାହସ କରୁଥିବା ପାକିସ୍ତାନୀ ଏଫ-୧୬ ବିମାନ । ହେଲେ ପାକିସ୍ତାନୀ ବିମାନକୁ ଚେଜ୍ କରି ପିଓକେ ଭିତରକୁ ପଶିଯାଇଥିଲେ ଅଭିନନ୍ଦନ । ଦୁର୍ଭାଗ୍ୟରୁ ତାଙ୍କ ବିମାନ ମଧ୍ୟ ଶତ୍ରୁ ଗୁଳିର ଶିକାର ହେଲା, ଆଉ ପାରାଚ୍ୟୁଟରେ ତଳକୁ ଖସି ପାକିସ୍ତାନ କବଜାରେ ପଡିଗଲେ ଭାରତୀୟ ପାଇଲଟ୍ ଅଭିନନ୍ଦନ ।

୨୦୧୧ରେ ଏକ ଫୁଡ ଟ୍ରାଭେଲ୍ ଶୋ ରେ ଅଭିନନ୍ଦନ ଥରେ କହିଥିଲେ ଯେ, ବେପରୁଆ ମନୋଭାବ ହିଁ ଜଣଙ୍କୁ ଲଢୁଆ ପାଇଲଟ୍ କରିପାରିବ । ଏହି ପଦିଏ କଥା ହିଁ ଅଭିନନ୍ଦନଙ୍କ ସାହସ ଓ ଦକ୍ଷତାର ପ୍ରମାଣ ଦିଏ । ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତର୍ମାନ । ୨୦୦୪ରୁ ବାୟୁସେନାର ପାଇଲଟ୍ । ତାମିଲନାଡୁର ଅଭିନନ୍ଦନଙ୍କ ପରିବାର ଗତ ତିନି ପୀଢି ହେଲା ଭାରତୀୟ ବାୟୁସେନାରେ ରହି ଦେଶ ମାତୃକାର ସେବା କରିଆସୁଛନ୍ତି । ତାଙ୍କ ଜେଜେବାପା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବାୟୁସେନାରେ ଥିଲେ । ତାଙ୍କ ବାପା କାର୍ଗିଲ ଯୁଦ୍ଧ ସମୟରେ ଏୟାର ମାର୍ସାଲ ଥିଲେ । ୨୦୦୪ରେ ଭାରତୀୟ ବାୟୁସେନାରେ ପାଇଲଟ୍ ଭାବେ ଯୋଗଦେଲେ ଅଭିନନ୍ଦନ । ତାଙ୍କ ପତ୍ନୀ ମଧ୍ୟ ସ୍କ୍ୱାର୍ଡନ ଲିଡର ଭାବେ ବାୟୁସେନାରୁ ଅବସର ନେଇଛନ୍ତି । ତାଙ୍କ ଭାଇ ମଧ୍ୟ ଭାରତୀୟ ବାୟୁସେନାରେ ଅଛନ୍ତି । ଦେଶର ସୁରକ୍ଷା ପାଇଁ ସମର୍ପିତ ପୁରା ପରିବାର ।

ଭାରତୀୟ ପାଇଲଟ ଅଭିନନ୍ଦନ ପାକିସ୍ତାନରେ ବନ୍ଦୀ ହେବା ପରେ ତାଙ୍କର କେତେକ ସମ୍ବେଦନଶୀଳ ଫଟୋ ଭାଇରାଲ ହୋଇଥିଲା । ତାଙ୍କ ମୁହଁରେ ଥିଲା ଗଭୀର କ୍ଷତ, ରକ୍ତ ଜୁଡୁବୁଡୁ ଚେହେରା । ଏହି ଫଟୋ ଯେତିକି ସମବେଦନା ସାଉଁଟିଥିଲା ତାଠାରୁ ଅଧିକ ପ୍ରଶଂସା ପାଇଥିଲା ପାକିସ୍ତାନୀ ସେନା ଆଗରେ ନିର୍ଭୟରେ ଅଭିନନ୍ଦନ ରଖୁଥିବା ଉତ୍ତରର ଭିଡିଓ । ଶତ୍ରୁ ସାମ୍ନାରେ ଦେଶର ଗୋପନୀୟତାକୁ ପ୍ରକାଶ କରିନଥିଲେ ଅଭିନନ୍ଦନ ।