ବିରାଟ ବାହିନୀର ବିରାଟ ବିଜୟ ! ଅଷ୍ଟ୍ରେଲିଆରେ କଙ୍ଗାରୁ ଶିକାର କଲା ଟିମ୍ ଇଣ୍ଡିଆ, ଶେଷ ଦିନିକିଆରେ ୭ ୱିକେଟରେ ଜିତି ରଚିଲା ଇତିହାସ ।

517

କନକ ବ୍ୟୁରୋ : ଟେଷ୍ଟ ପରେ ଦିନିକିଆରେ ଇତିହାସ ରଚିଲା ଭାରତ । ଶେଷ ତଥା ନିର୍ଣ୍ଣାୟକ ଦିନିକିଆରେ ଅଷ୍ଟ୍ରେଲିଆକୁ ୭ ୱିକେଟରେ ମାତ ଦେବା ସହ ୨-୧ରେ ସିରିଜ କବଜା କରିଛି ବିରାଟ ବାହିନୀ । ଏହା ସହ ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଥର ପାଇଁ ଭାରତ ଦ୍ୱିପାକ୍ଷିକ ଦିନିକିଆ ସିରିଜ ନିଜ ନାମରେ କରିଛି । ମେଲବର୍ଣ୍ଣରେ ଖେଳାଯାଇଥିବା ଶେଷ ଦିନିକିଆରେ ଭାରତ ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ।

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୨୩୦ ରନ କରିବା ସହ ଭାରତ ପାଇଁ ୨୩୧ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ସେପଟେ ଭାରତକୁ ପ୍ରଥମରୁ ହିଁ ଲାଗିଥିଲା ଜୋରଦାର ଝଟକା । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ମାତ୍ର ୯ ରନ କରି ଆଉଟ ହୋଇଯାଇଥିଲେ । କିନ୍ତୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ କେଦାର ଯାଦବଙ୍କ ଜବରଦସ୍ତ ଅର୍ଦ୍ଧଶତକ ବଳରେ ଭାରତ ୭ ୱିକେଟରେ ବିଜୟ ହୋଇଛି । ମହେନ୍ଦ୍ର ସିଂ ଧୋନି ଅପରାଜିତ ୮୭ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିବାବେଳେ କେଦାର ଯାଦବ ୬୧ ରନ ସଂଗ୍ରହ କରିଥିଲେ । ଏହା ପୂର୍ବରୁ ଅଧିନାୟକ ବିରାଟ କୋହଲି ୪୬ ରନ କରି ଆଉଟ ହୋଇଥିଲେ ।

ତେବେ ଅଷ୍ଟ୍ରେଲିଆକୁ ୨୩୦ ରନରେ ସୀମିତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ୍ । ସେ ମାତ୍ର ୪୨ ରନ୍ ଦେଇ ୬ଟି ୱିକେଟ୍ ହାସଲ କରିଥିଲେ । ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ଏକଦିବସୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ଚହଲଙ୍କ ସଫଳତା ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ସେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଏକ ଦିବସୀୟରେ ପ୍ରଥମ ସ୍ପିନର ଭାବେ ୬ ୱିକେଟ୍ ଅକ୍ତିଆର୍ କରି ରେକର୍ଡ କରିଛନ୍ତି।

୨୮ ବର୍ଷିୟ ଚହଲ ଏହି ସଫଳତା ହାସଲ କରି ଭାରତୀୟ କ୍ରିକେଟର ଅଜିତ୍ ଅଗରକରଙ୍କ ସମକକ୍ଷ ହୋଇଛନ୍ତି । ୨୦୦୪ ମସିହାରେ ମେଲବର୍ଣ୍ଣରେ ଭାରତ ପକ୍ଷରୁ ଖେଳି ଅଗରକର ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟରେ ୬ୱିକେଟ ହାସଲ କରିଥିଲେ।