୩୬ ବର୍ଷ ପୂର୍ବେ ଆଜିର ଦିନରେ ବିଶ୍ୱବିଜେତା ବନିଥିଲା ଭାରତ । ପ୍ରଥମ ଥର ଚାମ୍ପିୟନ୍ ହୋଇ ୭୫ କୋଟି ଭାରତୀୟ ସ୍ୱପ୍ନ ସାକାର କରିଥିଲା କପିଲ୍ ବାହିନୀ ।

412

କନକ ବ୍ୟୁରୋ : ଆଜି ୨୦୧୯ ଜୁନ୍ ୨୫ ତାରିଖ । ଠିକ୍ ୩୬ ବର୍ଷ ପୂର୍ବେ ଆଜିର ଦିନରେ ବିଶ୍ୱ କ୍ରିକେଟରେ କମାଲ୍ କରିଥିଲା ଭାରତ । ଅର୍ଥାତ୍ ୧୯୮୩ ଜୁନ୍ ମାସ ୨୫ ତାରିଖରେ ବିଶ୍ୱର ଶକ୍ତିଶାଳୀ ଦେଶମାନଙ୍କୁ ପରାସ୍ତ କରି ବିଶ୍ୱବିଜେତା ବନିଥିଲା ଟିମ୍ ଇଣ୍ଡିଆ । ଆଉ ଏହା ଥିଲା ଭାରତର ପ୍ରଥମ ବିଶ୍ୱକପ୍ ବିଜୟ । ଆଉ ଏହାରି ଭିତରେ ବିତିଯାଇଛି ୩୬ ବର୍ଷ କିନ୍ତୁ ଜୁନ୍ ମାସ ୨୫ ତାରିଖକୁ ଭୁଲିପାରି ନାହାନ୍ତି ଭାରତବାସୀ । ଏହି ତାରିଖ ଏଥିପାଇଁ ସ୍ୱତନ୍ତ୍ର, କାରଣ ୧୯୮୩ ଆଜିର ଦିନରେ ବିଶ୍ୱକପ୍ କ୍ରିକେଟ୍ ଫାଇନାଲରେ ଦୁଇ ଥରର ଚାମ୍ପିୟନ୍ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି କପିଲ ଦେବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୭୫ କୋଟି ଲୋକଙ୍କ ସ୍ୱପ୍ନ ସାକାର କରିଥିଲା ।

ତାରିଖ – ଜୁନ୍ ୨୫, ୧୯୮୩ । ସ୍ଥାନ- ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡ, ଇଂଲଣ୍ଡ । ବିଶ୍ୱକପ୍ କ୍ରିକେଟରେ ଖେଳାଯିବାକୁ ଥିଲା ଫାଇନାଲ୍ ଲଢେଇ । ଗୋଟିଏ ପଟେ ପ୍ରଥମ ଥର ପାଇଁ ଫାଇନାଲ୍ ଯାଇଥିବା ଭାରତୀୟ ଦଳ ଆଉ ଅନ୍ୟପଟେ ରହିଥାଏ ଦୁଇ ଦୁଇ ଥରର ଚାମ୍ପିୟନ୍ ୱେଷ୍ଟଇଣ୍ଡିଜ୍ । କେହି ହେଲେ ମଧ୍ୟ ବିଶ୍ୱାସ କରିପାରୁନଥାନ୍ତି ଯେ, ବିଶ୍ୱବିଜେତା ହେବାରେ ଭାରତ ଏବେ ମାତ୍ର ଗୋଟିଏ ପାଦ ପଛରେ ରହିଛି । ଆଉ ଭାରତ ସେତେବେଳେ କ୍ରିକେଟରେ ଶକ୍ତିଶାଳୀ ଦଳ କୁହାଯାଉଥିବା ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି ଦେଶକୁ ଚିତ୍ କରି ଫାଇନାଲରେ ପ୍ରବେଶ କରିଥିଲା । ଆଉ ଫାଇନାଲରେ ଯେତେବେଳେ ଭାରତ ୱେଷ୍ଟଇଣ୍ଡିଜକୁ ହରାଇ ବିଶ୍ୱକପ ଜିତିଲା ଆଉ ଲର୍ଡସରେ କପିଲ ଦେବଙ୍କ ବିଶ୍ୱକପ ସହ ଏହି ଫଟୋ, ବିଶ୍ୱକପର ସେହି ସ୍ମୃତି ସମଗ୍ର ଭାରତୀୟଙ୍କ ମନରେ ଆଜି ବି ସତେଜ ହୋଇରହିଛି ।

ସବୁଠାରୁ ବଡ କଥା ହେଉଛି, ୨୦୧୯ ବିଶ୍ୱକପ୍ ମଧ୍ୟ ଇଂଲଣ୍ଡ ଠାରେ ଖେଳାଯାଉଛି । ଆସନ୍ତା ଜୁଲାଇ ୧୪ ତାରିଖରେ ପୁଣି ଥରେ ଯେତେବେଳେ ଲର୍ଡସ ଗ୍ରାଉଣ୍ଡରେ ବିଶ୍ୱକପର ଫାଇନାଲ ମ୍ୟାଚ୍ ଖେଳାଯିବ, ପୁଣି ଥରେ ଭାରତ ଇଂଲଣ୍ଡ ମାଟିରୁ ବିଶ୍ୱବିଜେତା ହେବ ବୋଲି ସମଗ୍ର ଭାରତୀୟଙ୍କ ମନରେ ଆଶା ରହିଛି । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତ ବିଶ୍ୱକପରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମଧ୍ୟ ମ୍ୟାଚ୍ ହାରିନାହିଁ । ଆଉ ଭାରତର ଏପରି ପ୍ରଦର୍ଶନ ସମସ୍ତ ଭାରତବାସୀଙ୍କ ମନରେ ଗୋଟିଏ ଆଶା ଭରିରଖିଛି ଯେ, ୧୯୮୩ ଏବଂ ୨୦୧୧ ପରେ ୨୦୧୯ରେ ମଧ୍ୟ ବିଶ୍ୱବିଜେତା ବନିବ ଭାରତ ।