ଟେଷ୍ଟ ଇତିହାସରେ ଭାରତର ବଡ ବିଜୟ ! ୱେଷ୍ଟଇଣ୍ଡିଜକୁ ଇଂନିସ ଏବଂ ୨୭୨ ରନରେ ମାତ୍ ଦେଲା ଟିମ୍ ଇଣ୍ଡିଆ ।

39

ରାଜକୋଟ ଟେଷ୍ଟରେ ଏକ ସହଜ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ମାତ୍ର ଅଢେଇ ଦିନରେ ଭାରତ ଆଗରେ ୱେଷ୍ଟଇଣ୍ଡିଜ୍ ଆତ୍ମସମର୍ପଣ କରିଦେଇଛି । ୱେଷ୍ଟଇଣ୍ଡିଜକୁ ଗୋଟିଏ ଇଂନିସ ଏବଂ ୨୭୨ ରନରେ ପରାସ୍ତ କରିଛି ଭାରତ । ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଟେଷ୍ଟ ମାତ୍ର ଅଢେଇ ଦିନରେ ହିଁ ଶେଷ ହୋଇଯାଇଛି । ଏହି ବିଜୟ ସହ ଭାରତ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି ।

ଭାରତୀୟ ଦଳ ପ୍ରଥମ ଇଂନିସରେ ୬୪୯ ରନ କରିଥିବାବେଳେ ୱେଷ୍ଟଇଣ୍ଡିଜ ନିଜର ପ୍ରଥମ ଇଂନିସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୮୧ ରନରେ ଅଲଆଉଟ ହୋଇ ଫଲୋଅନର ସମ୍ମୁଖୀନ ହୋଇଥିଲା । ଫଲୋଅନ ହେବା ପରେ ପୁଣି ଥରେ ବ୍ୟାଟିଂ କରି ଇଣ୍ଡିଜ ଦଳ ଓପନର କିରେନ ପାୱେଲଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ୧୯୬ ରନରେ ଅଲଆଉଟ ହୋଇଯାଇଥିଲା । ପାଓ୍ଵଲ ସର୍ବାଧିକ ୮୩ ରନ ସଂଗ୍ରହ କରିଥିଲେ ମଧ୍ୟ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ବେଶୀ ସମୟ ଛିଡା ହୋଇପାରିନଥିଲେ ।

ଭାରତ ପକ୍ଷରୁ କୁଳଦୀପ ଯାଦବ ନିଜ କ୍ୟାରିୟରର ପ୍ରଥମ ୫ ଓ୍ଵିକେଟ ସଫଳତା ହାସଲ କରିଛନ୍ତି ।ଭାରତ ପ୍ରଥମ ଇନିଂସରେ ୬୪୯ ରନର ବିଶାଳ ସ୍କୋର କରିଥିଲା । ଭାରତ ପକ୍ଷରୁ ନିଜର ପ୍ରଥମ ଟେଷ୍ଟ ଖେଳୁଥିବା ପୃଥ୍ଵୀ ସ’ ୧୩୪ ରନ କରିଥିଲେ, ସେହିପରି ଅଧିନାୟକ ବିରାଟ କୋହଲି ୧୩୯ ରନ ଓ ରବୀନ୍ଦ୍ର ଜାଦେଜା ୧୦୦ ରନ କରିଥିଲେ ।