ଡ଼େବ୍ୟୁ ଟେଷ୍ଟରେ ଫେଲ ମାରିଲା ଆଫଗାନିସ୍ତାନ! ଇନିଂସ ଓ ୨୬୨ ରନରେ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ । ଗୋଟିଏ ଦିନରେ ଆଫଗାନୀ ଟିମକୁ ଦୁଇଥର ଅଲଆଉଟ କଲା ଭାରତ

25

ଡ଼େବ୍ୟୁ ଟେଷ୍ଟ ମ୍ୟାଚରେ ଫେଲ ମାରିଲା ଆଫଗାନିସ୍ତାନ । ବାଙ୍ଗାଲୋର ଟେଷ୍ଟରେ ଆଫଗାନିସ୍ତାନ ବିପକ୍ଷରେ ଏକ ବଡ଼ ବିଜୟ ହାସଲ କରିଛି ଭାରତ । ଇନିଂସ ଓ ୨୬୨ ରନର ବଡ଼ ବ୍ୟବଧାନରେ ଆଫଗାନିସ୍ତାନକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଆଫଗାନିସ୍ତାନର ପର୍ଦାପଣ ମ୍ୟାଚର ଖୁସିକୁ ୨୬୨ ରନରେ ହରାଇ ଭାରତ ଦୁଃଖରେ ପରିଣତ କରି ଦେଇଛି । ସବୁଠୁ ବଡ଼ କଥା ହେଲା, ମାତ୍ର ଦୁଇ ଦିନ ମଧ୍ୟରେ ଏହି ଟେଷ୍ଟ ମ୍ୟାଚଟି ସମାପ୍ତ ହୋଇଛି । ଆଉ ଗୋଟିଏ ଦିନରେ ଆଫଗାନିସ୍ତାନକୁ ଦୁଇ ଥର ଅଲଆଉଟ କରି ଇତିହାସ ରଚିଛି ଭାରତ । ୧୪୧ ବର୍ଷ ଟେଷ୍ଟ ମ୍ୟାଚ ଇତିହାସରେ ଚତୁର୍ଥ ଥର ପାଇଁ ଏଭଳି ଦେଖିବାକୁ ମିଳିଛି ଯେତେବେଳେ କୌଣସି ଟିମ ଗୋଟିଏ ଦିନ ମଧ୍ୟରେ ଦୁଇ ଥର ଅଲଆଉଟ ହୋଇଛି । ଏହା ପୂର୍ବରୁ ଭାରତ ଓ ଜିମ୍ବାୱେ ନାଁରେ ଏହି ରେକର୍ଡ ରହିଛି ।

ବାଙ୍ଗାଲୋର ଟେଷ୍ଟ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ସହ ପ୍ରଥମ ଇନିଂସରେ ୪୭୪ ରନର ବିଶାଳ ସ୍କୋର ଛିଡ଼ା କରିଥିଲା । ଜବାବରେ ଆଫଗାନିସ୍ତାନ ପ୍ରଥମ ଇନିଂସରେ ମାତ୍ର ୧୦୯ ରନରେ ଅଲଆଉଟ ହୋଇଥିଲା । ଆଫଗାନିସ୍ତାନର ବ୍ୟାଟିଂ ମେରୁଦଣ୍ଡକୁ ଭାରତର ଷ୍ଟାର ସ୍ପିନର ଅଶ୍ୱିନ ଭାଙ୍ଗି ଦେଇଥିଲେ । ପ୍ରଥମ ଇନିଂସରେ ୪ଟି ୱିକେଟ ନେଇ ସ୍ପିନ ଯାଦୁଗରୀ ଦେଖାଇଥିଲେ ଅଶ୍ୱିନ । ପ୍ରଥମ ଇନିଂସରେ ୧୦୯ ରନରେ ଅଲଆଉଟ ହେବା ପରେ ଆଫଗାନିସ୍ତାନକୁ ଫଲୋଅନ ଦେଇଥିଲେ ଭାରତର ଅଧିନାୟକ ଆଜିଙ୍କ୍ୟ ରାହାଣେ । ଦ୍ୱିତୀୟ ଇନିଂସରେ ମଧ୍ୟ ଆଫିଗାନିସ୍ତାନର ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ଭାରତର ଯାଦୁଗରୀ ସ୍ପିନର ରବିନ୍ଦ୍ର ଜାଡ଼େଜାଙ୍କ ଆଗରେ ସରେଣ୍ଡର କରିଥିଲେ ଆଫଗାନ ବ୍ୟାଟସମ୍ୟାନ । ଦ୍ୱିତୀୟ ଇନିଂସରେ ୪ଟି ୱିକେଟ ନେବା ସହ ଜାଡ଼େଜା ଆଫଗାନ ବ୍ୟାଟ୍ସମ୍ୟାନଙ୍କ ପାଇଁ ଘାତକ ସାଜିଥିଲେ । ମାତ୍ର ୧୦୩ ରନରେ ଆଫଗାନର ସମସ୍ତ ବ୍ୟାଟ୍ସମ୍ୟାନ ପ୍ୟାଭିଲିୟନ ଫେରିଥିଲେ ।

ଏହା ପୂର୍ବରୁ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରଥମ ଇନିଂସରେ ଭାରତ ଧୂଆଁଧାର ବ୍ୟାଟିଂ କରିବା ସହ ୪୭୪ ରନର ବିଶାଳ ସ୍କୋର ଛିଡ଼ା କରିଥିଲା । ଟିମ ଇଣ୍ଡିଆର ପ୍ରଥମ ଇନିଂସରେ ଶିଖର ଧୱନ ୧୦୭ ରନ କରିଥିବା ବେଳେ ମୁରଲୀ ବିଜୟ ମଧ୍ୟ ନିଜର ୧୨ ତମ ଶତକ ପୂରଣ କରିଥିଲେ । ସେହିଭଳି ରାହୁଲ ଓ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ବଳରେ ଭାରତ ଆଫଗାନିସ୍ତାନ ଆଗରେ ରନର ପାହାଡ଼ ଛିଡ଼ା କରିଥିଲା । ଆଫଗାନିସ୍ତାନର ଯାଦୁଗରୀ ସ୍ପିନର ରସିଦ ଖାନଙ୍କୁ ନିର୍ଦ୍ଧୁମ ପିଟିଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ । ଭାରତର ପ୍ରଥମ ଇିନଂସ ଚାଲୁଥିବା ବେଳେ ଲାଗୁଥିଲା ସତେ ଯେପରି ଟେଷ୍ଟ ମ୍ୟାଚ ହେଉନାହିଁ ଦିନିକିଆ ମ୍ୟାଚ ଚାଲିଛି । ଏହାପୂର୍ବରୁ ଭାରତ ୨୦୦୭ରେ ବାଂଲାଦେଶ ବିପକ୍ଷରେ ଇନିଂସ ଓ ୨୩୯ ରନରେ ବିଜୟ ହାସଲ କରିଥିଲା । ସେହିଭଳି ୨୦୧୭ ମସିହାରେ ଇନିଂସ ଓ ୨୩୯ ରନ ବ୍ୟବଧାନରେ ଶ୍ରୀଲଙ୍କାକୁ ମାତ୍ ଦେଇଥିଲା ଭାରତ । ତେଣୁ ଆଫିଗାନିସ୍ତାନ ବିପକ୍ଷରେ ଇନିଂସ ଓ ୨୬୨ ରନ ବିଜୟ ଭାରତ ପାଇଁ ସବୁଠୁ ବଡ଼ ବିଜୟ ।